ଗଂଜାମ: ରମ୍ଭା ଥାନା ଅନ୍ତର୍ଗତ ଗଂଜାମ ବ୍ଲକର ରାମଗଡ଼ ପଞ୍ଚାୟତର ପ୍ରୟାଗିସ୍ଥିତ ଅଳେଶ୍ୱର ମନ୍ଦିରରେ ପୁଣି ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗୁରୁବାର ମଧ୍ୟରାତ୍ରିରେ ଦୁର୍ବୃତ୍ତମାନେ ମନ୍ଦିର ଭିତରେ ଥିବା ହୁଣ୍ଡିକୁ ଲୁହା ରଡ଼ ସାହାଯ୍ୟରେ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାରମ୍ବାର ମନ୍ଦିରରେ ଚୋରି ହେବା ନେଇ ସ୍ଥାନୀୟ ଲୋକମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ମନ୍ଦିରରେ ଷଷ୍ଠ ଥର ପାଇଁ ଚୋରି ହୋଇଛି ବୋଲି ଲୋକେ କହିଛନ୍ତି। ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଲଗାତାର ୫ ଥର ଚୋରି ହୋଇଥିଲେ ମଧ୍ୟ ପୁଲିସ ଚୋରମାନଙ୍କୁ ଧରି ୩ ହଜାର ଟଙ୍କା ଫେରାଇଥିଲେ। ଏହି ଘଟଣା ପରେ ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ଲୋକେ ପୁଲିସ ପ୍ରଶାସନର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବାରମ୍ବାର ଚୋରି ଘଟଣା ସତ୍ତ୍ୱେ ମନ୍ଦିର ପରିସରରେ ସିସିଟିଭି କିମ୍ବା ସୁରକ୍ଷା ବ୍ୟବସ୍ଥା ନଥିବାରୁ ଚୋରମାନେ ସହଜରେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ଦୃଢ଼ କରିବାସହ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରୁଛନ୍ତି।



