www.samajalive.in
Friday, December 12, 2025
15.1 C
Bhubaneswar

ଭିଜିଲାନ୍ସ ସକ୍ରିୟ, ଦୁର୍ନୀତିଗ୍ରସ୍ତଙ୍କ ଉପରେ ନଜର; ଅଭିଯୋଗ ଆସିଲେ ତତ୍କାଳ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ପ୍ରଥମ ଥର ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ସରକାର ସପ୍ତାହକ ପରେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଗୋଟିଏ ପଟେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ସରକାରଙ୍କ ବିଭିନ୍ନ ବିଭାଗର ସଫଳତା ତାଲିକା ପ୍ରସ୍ତୁତ ଚାଲିଥିବାବେଳେ ଅନ୍ୟପଟେ ସରକାରଙ୍କ ଭାବମୂର୍ତ୍ତି ରକ୍ଷା ନିମନ୍ତେ ଏବେ ଦୁର୍ନୀତିଗ୍ରସ୍ତଙ୍କ ଉପରେ ଚଢ଼ଉ ଅଭିଯାନ ତ୍ବରାନ୍ବିତ କରାଯାଇଛି। ଏହି କ୍ରମରେ ଏବେ ବଡ଼ ବଡ଼ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ନଜର ରଖାଯାଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଡିଜି ସମ୍ମିଳନୀ ଏବଂ ବିଭିନ୍ନ ସଭାସମିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ। ଆଇନଶୃଙ୍ଖଳା ରକ୍ଷା ଓ ଦୁର୍ନୀତି ପ୍ରସଙ୍ଗରେ ବିରୋଧୀ ମୋହନ ସରକାରଙ୍କୁ ବିଭିନ୍ନ ଫୋରମରେ ଘେରୁଥିବାବେଳେ ମୁଖ୍ୟମନ୍ତ୍ରୀ ନିଜ ଅଧୀନରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଥିବାରୁ ଏ ଦୁଇ ବିଭାଗକୁ ସକ୍ରିୟ କରାଇଛନ୍ତି। ଦୁର୍ନୀତିଗ୍ରସ୍ତ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅସାଧୁ ଅଧିକାରୀଙ୍କୁ ଖୋଜି ବାହାର କରିବାକୁ ଭିଜିଲାନ୍ସକୁ ଦାୟିତ୍ବ ଦିଆଯାଇଛି। ଅଧିକ ରୋଚକ ବିଷୟ ହେଲା ବହୁ ଦୁର୍ନୀତିରେ ଲିପ୍ତ ଅଧିକାରୀ ଅବସର ନେବାର ଠିକ୍‌ ପୂର୍ବରୁ ଭିଜିଲାନ୍ସ ଜାଲରେ ଫସି ଯାଉଛନ୍ତି। ନିକଟରେ ଦୁଇ ଜଣ ବରିଷ୍ଠ ଯନ୍ତ୍ରୀ ଏଭଳି ଜାଲରେ ପଡ଼ିଯାଇଛନ୍ତି। ଏହାଛଡ଼ା ଲାଞ୍ଚ ନେବାରେ ଅଭ୍ୟସ୍ତ ବହୁ ଅଧିକାରୀ ପୂର୍ବରୁ ଆଦୌ ଧରାପଡ଼ି ନଥିଲେ ବି ଅର୍ଥ ରୋଜଗାର କରି କୁବେର ପାଲଟିଥିବାରୁ ଶେଷ ମୁହୂର୍ତ୍ତରେ ଜାଲରେ ପଡ଼ୁଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ବଡ଼ ହସ୍ତୀଙ୍କ ଘରେ ଅତର୍କିତ ଚଢ଼ଉ କରାଯାଉଛି। ଏ ଧାରା ଏବେ ଜାରି ରହିଛି ଏବଂ ସରକାର ବର୍ଷ ପୂର୍ତ୍ତି ଉତ୍ସବକୁ ଯିବା ପୂର୍ବରୁ ଆଗାମୀ ଦିନମାନଙ୍କରେ ଚଢ଼ଉ ଅଭିଯାନ ଆହୁରି ଜୋରଦାର କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି।
ଗତ ସରକାରଙ୍କ ଅମଳରେ ହେଉଥିବା ଚଢ଼ଉ ଓ ବର୍ତ୍ତମାନର ଚଢ଼ଉ ଭିତରେ କିଛି ଫରକ ଲକ୍ଷ୍ୟ କରାଯାଉଛି। ଗତ ସରକାର ଦୀର୍ଘବର୍ଷ କ୍ଷମତାରେ ରହିବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। ତେବେ ଏବେକା ତରିକା ଟିକେ ଭିନ୍ନ ଜଣାପଡ଼ୁଛି। ଲୋକଙ୍କ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କିଛି ଖବର ବାହାରକୁ ବାହାରିବା ପୂର୍ବରୁ ବିଭିନ୍ନ ସ୍ଥାନରେ ଏବେ ଅତର୍କିତ ଚଢ଼ଉ ହୋଇଯାଉଛି। କିଛି ଦିନର ବ୍ୟବଧାନ ପରେ ଏବେ ବଡ଼ବଡ଼ିଆଙ୍କ ଉପରେ ଧରପଗଡ଼, ଚଢ଼ଉ ଆଦି ଅଭିଯାନ ତ୍ବରାନ୍ବିତ ହୋଇଛି। ବି‌େଶଷକରି ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଭଳି ବିଭାଗ, ପୁଲିସ ପ୍ରତିଷ୍ଠାନ ଲାଭଜନକ ସରକାରୀ ସଂସ୍ଥା ଯେଉଁଠି ଦୁର୍ନୀତିର ଗନ୍ଧ ବାହାରୁଛି ସେଠାରେ ଚଢ଼ଉ ପାଇଁ ନିର୍ଦେଶ ଦିଆଯାଇଛି। ସେଥିପାଇଁ ଜୀବନ କାଳରେ ଅମାପ ସମ୍ପତ୍ତି ଠୁଳ କରିଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଭିତରେ ଛନକା ପଶିଯାଇଛି।
ଗତ ବିଧାନସଭା ଅଧିବେଶନ କାଳରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଉପସ୍ଥାପିତ ସ୍ଥାୟୀ କମିଟି ରିପୋର୍ଟ ତଥ୍ୟ ଅନୁସାରେ ୨୦୨୪ରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୩୪୫ଜଣଙ୍କ ଅଧିକାରୀଙ୍କ ବିରୋଧରେ ମୋଟ ୨୧୧ଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିଲା। ବିଭିନ୍ନ ବିଭାଗରେ କାର୍ଯ୍ୟରତ ୫୪ଜଣ ଗ୍ରୁପ୍‌ ଏ’ ଅଧିକାରୀ, ୪୬ଜଣ ଗ୍ରୁପ୍‌ ବି’, ୧୪୦ ଗ୍ରୁପ୍‌ ସି’, ୨ଗ୍ରୁପ୍‌ ଡି’, ୧୯ ଅନ୍ୟ ସରକାରୀ କର୍ମଚାରୀ ଓ ୮୪ଜଣ ବେସରକାରୀ ବ୍ୟକ୍ତିବିଶେଷଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା। ଚଳିତ ବର୍ଷ ଚଢ଼ଉ ଅଭିଯାନ ତ୍ବରାନ୍ବିତ ହୋଇଥିବାବେଳେ ଅଧିକ ସଂଖ୍ୟକ ଅସାଧୁ ଅଧିକାରୀ ଜାଲରେ ପଡ଼ିବା ସହିତ ଜବତ ସମ୍ପତ୍ତି ବଢ଼ିବା ସମ୍ଭାବନା ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories