ଲାଞ୍ଜିଗଡ଼: ବୟସ ମାତ୍ର ଆଠ ବର୍ଷ। ଗୁଲୁଗୁଲିଆ ଚେହେରା। ଆଠ ବର୍ଷର ଏହି ନାବାଳକଟିର ନାଁ ଜଗଦୀଶ। ଚେହେରାରୁ ମନ କିଣି ନେଉଥିବା ଏଇ ପିଲାଟି ମୁଣ୍ଡରେ କିନ୍ତୁ ଏବେ ଛିଣ୍ଡିପଡ଼ିଛି ଦୁଃଖର ପାହାଡ଼ ବୋଝ। ଆଠ ମାସ ତଳେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିଲେ ବାପା। ଧାର ଉଧାର କରି ସ୍ୱାମୀଙ୍କ ଚିକିତ୍ସା କରି ସର୍ବସ୍ୱାନ୍ତ ହୋଇପଡ଼ିଥିଲେ ପରିବାର। ୮ ବର୍ଷର ପୁଅ ଜଗଦୀଶ ଆଉ ସାତ ମାସର ଗୋଟିଏ କଅଁଳା ଛୁଆକୁ ନେଇ ମାଆ ଫୁଲମତୀ ପରିବାର ପୋଷୁଥିବା ବେଳେ ପୁଣି ଦାଉ ସାଧିଲା କାଳ। ବିଦ୍ୟୁତ ଆଘାତରେ ଦଶ ଦିନ ତଳେ ଜୀବନ ହରାଇଛନ୍ତି ଫୁଲମତୀ ଓ ସାତ ମାସର କୁନିପୁଅ ସବୀର।
ଏଭଳି ହୃଦୟ ବିଦାରକ ଘଟଣା ପରେ ସାହିଭାଇ ମିଶି ମା’ପୁଅଙ୍କ ଦଶାହ କାର୍ଯ୍ୟ ସାରିଦେଇଛନ୍ତି। ତେବେ ଲୋକବାକ ଯିଏ ଯୁଆଡ଼େ ଗଲା ପରେ ୮ ବର୍ଷ ବୟସର ନାବାଳକ ଜଗଦୀଶ ଆଖି ଆଗରେ ଏବେ କଳା କିଟି କିଟି ଅନ୍ଧାର। କୁଆଡେ ଯିବ, କେଉଁଠି ରହିବ, ବୁଦ୍ଧିବାଟ ପାଉନି। ଅନ୍ଧାର ଛଡ଼ା ଆଉ କିଛି ଦିଶୁନି। ବାପ-ମାଆ ଓ ପରିବାରକୁ ହରାଇ ସଂପୂର୍ଣ୍ଣ ବେସାହାରା ହୋଇଯାଇଛି ଜଗଦୀଶ। ନା ତାକୁ ଆହା କରିବାକୁ ନା ସାହା ହେବାକୁ କେହି ଅଛି। ଆଖି ଆଗରେ ନିଜର ହସଖୁସିର ପରିବାର ଉଜୁଡ଼ି ଯିବା ପରେ ସେ ଏବେ ଏକପ୍ରକାର ଶଯ୍ୟାଶାୟୀ ହୋଇପଡିଛି। କିଛିଦିନ ହେଲା ଦେହରେ ତାର ଖଇଫୁଟା ତାତି। ଜ୍ୱର ଛାଡ଼ୁନି। ଶେଷରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳର ମାମୁଁ ଘରେ ଆଶ୍ରୟ ନେଇଛି। ଏହି ପରିପ୍ରେକ୍ଷୀରେ ବାପମାଆ ଛେଉଣ୍ଡ ଜଗଦୀଶକୁ ଉଦ୍ଧାର କରିବା ସହିତ ଥଇଥାନ କରିବାକୁ ସରକାର, ପ୍ରଶାସନ କିମ୍ବା କୌଣସି ସ୍ବେଛାସେବୀ ସଂଗଠନ ପଦକ୍ଷେପ ନେଇ ଆଗେଇ ଆସିବାକୁ ଦାବି ହେଉଛି।



