www.samajalive.in
Friday, December 5, 2025
20.1 C
Bhubaneswar

ଶାସକ ଓ ବିଚାରକ

ଗଣତାନ୍ତ୍ରିକ ବ୍ୟବସ୍ଥା ସେତେବେଳେ ଶକ୍ତିଶାଳୀ ହୁଏ, ଯେତେବେଳେ  ସାମ୍ବିଧାନିକ ସଂସ୍ଥାଗୁଡ଼ିକର କାର୍ଯ୍ୟକାରିତାରେ ଶୁଚିତା ଓ ପାରଦର୍ଶିତା ସ୍ପଷ୍ଟ ପରିଦୃଷ୍ଟ ହୁଏ;  କିନ୍ତୁ ରାଜନୈତିକ ଲାଭ-କ୍ଷତିର ଅଙ୍କ କଷି ସରକାରମାନେ ଏହି ସଂସ୍ଥାଗୁଡ଼ିକୁ ନିଜ ଇଚ୍ଛାନୁସାରେ ପରିଚାଳନା କରି ସେଗୁଡ଼ିକୁ ଦୁର୍ବଳ କରିଦିଅନ୍ତି। ଏହାର ଫଳ ଭୋଗନ୍ତି ଜନସାଧାରଣ। ସମ୍ଭବତଃ ଏପରି କୌଣସି ସରକାରୀ ସଂସ୍ଥା ନାହିଁ, ଯାହା ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ। ତଥାପି ଯେତେବେଳେ କୌଣସି ପ୍ରତିଷ୍ଠାନରେ ନିଜ ଭିତରୁ ଶୁଚିତା ଓ ସ୍ବଚ୍ଛତା ଆଣିବାର ସଙ୍କଳ୍ପ ଦୃଷ୍ଟିଗୋଚର ହୁଏ, ତାହା ସ୍ୱାଭାବିକ ଭାବେ ଆଶା ସୃଷ୍ଟି କରିଥାଏ। ଦେଶର ନ୍ୟାୟପାଳିକାରେ ମଧ୍ୟ ଦୀର୍ଘ ସମୟ ଧରି ଦୁର୍ନୀତିର ଅଭିଯୋଗ ଲାଗି ରହିଛି। ନିମ୍ନ ଅଦାଲତଗୁଡ଼ିକରେ ଏପରି ଅଭିଯୋଗ ସାଧାରଣ ହୋଇଥିବାବେଳେ ଗତ କିଛି ବର୍ଷ ଧରି ଉଚ୍ଚ ଅଦାଲତଗୁଡ଼ିକରେ ମଧ୍ୟ ଏପରି ମାମଲା ସାମ୍ନାକୁ ଆସିଛି ଯାହା ନ୍ୟାୟପାଳିକାର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛି। ଏପରି ସ୍ଥିତିରେ ଭାରତର ପ୍ରଧାନ ବିଚାରପତି ବି.ଆର. ଗବଇ ଏହି ସମସ୍ୟାକୁ ସ୍ପଷ୍ଟଭାବେ ସ୍ୱୀକାର କରି ତାକୁ ଦୂର କରିବାର ସଙ୍କଳ୍ପକୁ ପୁନର୍ବାର ଦୋହରାଇବା ପ୍ରଣିଧାନଯୋଗ୍ୟ। ନିକଟରେ ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ଆୟୋଜିତ ଏକ ସମ୍ମିଳନୀରେ ନ୍ୟାୟମୂର୍ତ୍ତି ଗବଇ କହିଛନ୍ତି ଯେ ନ୍ୟାୟପାଳିକାରେ ଦୁର୍ନୀତି ଘଟଣା ଯୋଗୁଁ ଜନସାଧାରଣଙ୍କର ବିଶ୍ୱାସ ଭାଙ୍ଗୁଛି। ଦୁଃଖର ବିଷୟ ଯେ ନ୍ୟାୟପାଳିକା ଭିତରେ ମଧ୍ୟ ଭ୍ରଷ୍ଟାଚାର ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରେ ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ଜବତ ହୋଇଥିବା ପୋଡ଼ାନୋଟ୍ ପ୍ରସଙ୍ଗରେ ସେ ଏହା କହିଥିଲେ।

ପ୍ରଧାନ ବିଚାରପତି ଭାରତୀୟ ନ୍ୟାୟପାଳିକାରେ ରହିଥିବା ସମସ୍ତ ସମସ୍ୟାକୁ ଅତି ସ୍ପଷ୍ଟ ଶବ୍ଦରେ ସ୍ୱୀକାର କରିଛନ୍ତି, ଯାହା ଉପରେ ଗତ କିଛିବର୍ଷ ଧରି ଆଲୋଚନା-ସମାଲୋଚନା ହୋଇଆସୁଛି। ସର୍ବୋଚ୍ଚ ନ୍ୟାୟାଳୟ ଓ କେତେକ ଉଚ୍ଚ ନ୍ୟାୟାଳୟର ବିଚାରପତି ରାଜନୈତିକ ଚାପ ଅଥବା ଆପଣା  ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ରାୟ ଦେବା ନେଇ ବହୁତ ଅସନ୍ତୋଷ ପ୍ରକାଶ ପାଇଆସୁଛି। କେତେକ ବିଚାରପତି ଅବସର ଗ୍ରହଣ ପରେ ତୁରନ୍ତ ସରକାରୀ ପଦ ଗ୍ରହଣ କରିଛନ୍ତି ତ କେହିକେହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହାକୁ କୌଣସି ଭାବେ ନୈତିକ ବୋଲି ବିବେଚନା କରାଯାଇ ପାରିବ ନାହିଁ। ତେବେ ଭଲ କଥା ଯେ ଅବସର ପରେ ସରକାରୀ ପଦ ଗ୍ରହଣ ନ କରିବା କିମ୍ବା ଇସ୍ତଫା ଦେଇ ନିର୍ବାଚନ ନ ଲଢ଼ିବାକୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ନିକଟରେ ସଙ୍କଳ୍ପ ନେଇଛନ୍ତି। ଏହାଦ୍ୱାରା ଏକ ଆଶା ସୃଷ୍ଟି ହୋଇଛି ଯେ ଅନ୍ତତଃ ଶୀର୍ଷ ନ୍ୟାୟାଳୟର ବିଚାରପତିମାନେ ସରକାରଙ୍କ ଚାପରେ ଆସି କୌଣସି ରାୟ ଦେବେ ନାହିଁ।  ଗଣତନ୍ତ୍ରରେ ନ୍ୟାୟପାଳିକା ଉପରେ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରହିବା ଅତ୍ୟନ୍ତ ଜରୁରୀ, କାରଣ ଏହା ଏକମାତ୍ର ସ୍ତମ୍ଭ ଯାହା ଉପରେ ସମ୍ବିଧାନର ସୁରକ୍ଷା ଏବଂ ରାଜନୈତିକ ତଥା ବ୍ୟବସ୍ଥାଗତ ଅନ୍ୟାୟ ଓ ଦୁର୍ନୀତିକୁ ନିୟନ୍ତ୍ରଣ କରିବାର ଅପାର କ୍ଷମତା ରହିଛି। ଏହା ମଧ୍ୟ ସର୍ବଜନବିଦିତ ଯେ ଯେତେବେଳେ ନ୍ୟାୟପାଳିକା ଦୁର୍ବଳ ଦେଖାଯାଏ, ସେତେବେଳେ ଶାସକ ପକ୍ଷର ସ୍ବେଚ୍ଛାଚାରିତା ବୃଦ୍ଧି ପାଇଥାଏ। କହିବା ବାହୁଲ୍ୟ, ରାଜନୈତିକ ଲୋଭ ଓ ଚାପରୁ ମୁକ୍ତ ନହେଲେ ନ୍ୟାୟପାଳିକା ନିଜର ଦାୟିତ୍ୱକୁ ଠିକ୍‌ଭାବେ ପାଳନ କରିପାରିବ ନାହିଁ। ସୁତରାଂ ଏ ଦିଗରେ ପ୍ରଧାନ ବିଚାରପତିଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories