ଜଣେ ସାଧୁ ତାଙ୍କ ଶିଷ୍ୟଟିଏ ସହିତ ଯାଉଥିଲେ ନିଜ ଗନ୍ତବ୍ୟ ପଥରେ। ଆଗରେ ତାଙ୍କର ଚାଲିଥିଲେ ଜଣେ ବ୍ୟକ୍ତି। ଦେହରେ ସୁଟ୍, ପାଦରେ ବୁଟ୍, ହାତରେ ଛଡି, ମୁଣ୍ଡରେ ଟୋପି ଓ ପାଟିରେ ଚୁରୁଟ୍। ଛଡି ଘୂରେଇ ଘୂରେଇ ଯାଉଯାଉ ଉକ୍ତ ବ୍ୟକ୍ତି, ରାସ୍ତା କଡ଼ରେ ରାତିର ଅଳସ ଭାଙ୍ଗୁଥିବା କୁକୁରଟିଏକୁ ପକାଇଲେ ଦୁଇ ପାହାର। କୁକୁରଟି ବିକଳରେ ଚିତ୍କାର କରି ଧାଇଁ ଧାଇଁ ଚାଲିଗଲା ଦୂରକୁ। ପଛରେ ଚାଲିିଥିବା ଶିଷ୍ୟଟି ମନରେ ସୃଷ୍ଟି ହେଲା ଭାବାନ୍ତର। ସେ ପ୍ରଶ୍ନ କଲା, “ନିରୀହ କୁକୁରଟି ତା’ର ରାସ୍ତାରେ ଶୋଇଥିଲା। ଇଏ ତାକୁ ଅକାରଣରେ ଏପରି ପିଟିଲେ କାହିଁକି?” ସାଧୁ ହସିଲେ ଏକ ରହସ୍ୟମୟ ହସ। କହିଲେ, “ଗୋଟେ କୁକୁର ଆଉ ଗୋଟେ କୁକୁରକୁ କାହିଁକି କାମୁଡିବ, ସେଥିରେ ସେପରି କୌଣସି ନିର୍ଦିଷ୍ଟ କାରଣ ଖୋଜିବା ହେଉଛି ନିର୍ବୋଧତା”। ଗୁରୁଙ୍କ ଉତ୍ତରରେ ଶିଷ୍ୟର ମନ ସନ୍ତୁଷ୍ଟ ହେଲା ନାହିଁ। ସେ ପୁଣି ନିଜର ସଂଶୟ କଲା ବ୍ୟକ୍ତ, ‘‘ଗୁରୁ ମହାରାଜ, ଗୋଟିଏ କୁକୁର ଆଉ ଗୋଟେ କୁକୁରକୁ କାହିଁକି କାମୁଡିବ, ସେଥିରେ କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇପାରେ.. କିନ୍ତୁ ଏ ବାବୁଟି ତ ସଭ୍ୟ, ବେଶ୍ ଶିକ୍ଷିତ ପରି ଦିଶୁଛନ୍ତି, ଏକରକମ ତାଙ୍କୁ ଜଣେ ସାହେବ ବୋଲି କୁହାଯାଇପାରେ, ତେବେ..”। ଗୁରୁଜୀ କଲେ ଶିଷ୍ୟର ସନ୍ଦେହ ମୋଚନ, “ବାବୁରେ ତୋର ଏ ସାହେବଟିର ଚେତନା ବଡ କଞ୍ଚା, ସେ ନୂଆ ନୂଆ କୁକୁରରୁ ସାହେବ ପାଲଟିଛି। ତା’ର ସେ କୁକୁର ପ୍ରବୃତ୍ତିରୁ ସେ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ସମୟ ତ ଲାଗିବ..!”
ପରମ ଶାସ୍ତ୍ର କୁହନ୍ତି ‘‘ଅନେକ ଜନ୍ମ ତପ ବଳେ, ମନୁଷ୍ୟ ଜନ୍ମ ମହୀ ତଳେ।” ହଁ, ଅନେକ ଜନ୍ମର ପୁଣ୍ୟ ବଳ ନେଇ ଆମକୁ ମନୁଷ୍ୟ ଶରୀର ପ୍ରାପ୍ତ ହୁଏ। ହେଲେ ମନୁଷ୍ୟ ଶରୀର ପ୍ରାପ୍ତ ହେଲେ ଯେ ସମସ୍ତେ ମନୁଷ୍ୟ ହୋଇ ଯାଆନ୍ତି, ତା ନୁହେଁ; ବରଂ ଯେଉଁ ମନୁଷ୍ୟ ଶରୀରଧାରୀ ନିକଟରେ ମାନବିକତା ନାହିଁ, ସେ ମନୁଷ୍ୟ ପଦବାଚ୍ୟ ନୁହେଁ। ଯାହା ଆମେ ନିତିଦିନିଆ ଜୀବନରେ ଅଙ୍ଗେ ଅଙ୍ଗେ ଅନୁଭବ କରିଥାଉ। ବିନା କୌଣସି କାରଣରେ ଲୋକେ ନିଜ ଠାରୁ ଧନ ଓ ପ୍ରତିପତ୍ତିରେ ଦୁର୍ବଳମାନଙ୍କୁ ଦୁର୍ବ୍ୟବହାର କରିବାକୁ ନିଜର ଅଧିକାର ବୋଲି ଭାବନ୍ତି। ଛୋଟଛୋଟ କଥାକୁ ନେଇ ଅଡ଼ି ବସନ୍ତି, ଗରଗର ସିଂ ସିଂ ହୁଅନ୍ତି। ନିଜ ଛିଦ୍ରଟି ଛାଡି ଅନ୍ୟ ସମସ୍ତଙ୍କ ଛିଦ୍ର ତାଙ୍କୁ ବେଶ୍ ସ୍ପଷ୍ଟ ଭାବେ ଦିଶେ। ସଜ ମାଛରେ ପୋକ ପକାଇ ସେମାନେ ହୁଅନ୍ତି ଉଲ୍ଲସିତ। ଅନ୍ୟର ଆଖିରୁ ଲୁହ ଝରିଗଲେ ତାଙ୍କୁ ଏକ ପୈଶାଚିକ ଆନନ୍ଦ ମିଳେ। ଯେଉଁ କଥାଟି ନଖରେ ଛିଣ୍ଡିଯିବ, ସେଥିପାଇଁ କୁରାଢ଼ି ଆବଶ୍ୟକ କରନ୍ତି। ନିଜକୁ ଭଲ ତଥା ସଚ୍ଚୋଟ ଦେଖାଇବାକୁ ଯାଇ ଅନ୍ୟକୁ ମନ୍ଦ ତଥା ଦୁର୍ନୀତିଖୋର ଆଖ୍ୟା ଦେବାକୁ ପଛାନ୍ତି ନାହିଁ। ନିଜ ଘର ସଫା ରଖିବାକୁ ଯାଇ, ନିଜ ଘରର ମଇଳା ବାହାରେ ପକାଇ ସର୍ବସାଧାରଣଙ୍କୁ ଅସୁବିଧାରେ ପକାନ୍ତି। ଅଯଥାରେ ଗଛରୁ ପତ୍ର, ଫୁଲ ବା ଫଳଟିଏ ଛିଣ୍ଡାଇ ପକାଇବା ପାଇଁ ହୁଅନ୍ତି ଆଗଭର। ଦୁନିଆର ସବୁତକ ଭଲ ଜିନିଷ ପାଇବା ପାଇଁ ସେମାନେ ହିଁ ହକ୍ଦାର ବୋଲି ନିଜେନିଜେ ଘୋଷଣା କରି ପକାନ୍ତି। କାହାର ପ୍ରିୟପାତ୍ର ହେବାକୁ ଯାଇ, ଅନ୍ୟ କାହାର କୁତ୍ସାରଟନା କରିବାଟା ତାଙ୍କୁ ବୃଥା ମନେ ହୁଏନା। ସମ୍ପର୍କ ଯୋଡ଼ିବାକୁ ସାମର୍ଥ୍ୟ ନଥାଇ, ସମ୍ପର୍କ ଭାଙ୍ଗି ଦେବାରେ ସେମାନେ କରନ୍ତି ବିଶ୍ବାସ। ଅନ୍ୟକୁ ନିଜଠାରୁ ନ୍ୟୂନ ଦେଖାଇବାରେ ସେମାନେ ପାଆନ୍ତି ଆତ୍ମସନ୍ତୋଷ। କୂଟ, କପଟ ତଥା ଛଳନା ହୋଇଥାଏ ତାଙ୍କ ହାତହତିଆର। ତାଙ୍କ ଆଚାର ବ୍ୟବହାର ଓ ଚାଲିଚଳନ ଦେଖି ଜଣାପଡ଼ିଯାଏ ଯେ ସେମାନଙ୍କ ଚେତନାଟି ବଡ କଞ୍ଚା।
ସେଇଥିପାଇଁ ତ ମନୁଷ୍ୟଙ୍କ ଭିତରେ ଥିବା ପ୍ରକୃତିର ସ୍ତରକୁ ନେଇ ଶ୍ରେଣୀ ବିଭାଗ କରାଯାଇଛି। ଅଧମ, ମଧ୍ୟମ ଓ ଉତ୍ତମ। ଅନ୍ୟକୁ ଦେଇ ଖାଇବା ମଧ୍ୟମ। ଅନ୍ୟ ଜଣେ ଭୋକିଲା ଅଛି ଦେଖି ନିଜେ ନ ଖାଇ ଦେଇଦେବା ଉତ୍ତମ, ହେଲେ ଅନ୍ୟଠାରୁ ଛଡାଇ ଆଣି ଖାଇଦେବା ବା ଅନ୍ୟର ଜିନିଷ ଆତ୍ମସାତ୍ କରିବା ଅଧମ ବ୍ୟକ୍ତିର ଲକ୍ଷଣ। ଯେଉଁ ପ୍ରକୃତିଟି ସାଧାରଣ ଭାବେ ପଶୁଠାରେ ଦେଖାଯାଏ ଯଦି ମନୁଷ୍ୟ ବି ଏହା କରିବ ତେବେ ପଶୁ ଓ ତା ଭିତରେ ଫରକ ରହିବ କେଉଁଠି?
ଏ ତ ଥିଲା ଅଧମ ମନୁଷ୍ୟଙ୍କ କଥା। ଆଉ ଊଣାଅଧିକେ ଆମ ଭିତରେ ଅଧିକାଂଶ ହେଉଛନ୍ତି ମଧ୍ୟମ ଧରଣର ମନୁଷ୍ୟ। କିଛି ଭଲ ଓ କିଛି ମନ୍ଦର ସମାହାର। ଯେଉଁମାନଙ୍କ ସହିତ ଆମେ ଓ ଯେଉଁମାନେ ଆମ ସହିତ ବୁଝାମଣା କରି ଜୀବନ ଯାପନ କରିଥାଉ। ଯେଉଁମାନେ ସମସ୍ତଙ୍କ ସମ୍ମୁଖରେ ଭଦ୍ର ମୁଖାଟିଏ ଘୋଡେଇ ହୋଇଥିଲାବେଳେ, ଏକୁଟିଆ ସମୟରେ ମୁଖା ଖୋଲିଦେଇ ହୋଇପଡ଼ନ୍ତି ଭୟଙ୍କର; କିନ୍ତୁ ଉତ୍ତମ ମନୁଷ୍ୟ ହାତ ଗଣତି ହେଲେ ମଧ୍ୟ ସେମାନଙ୍କୁ ଦେଖି ଆମେ ପ୍ରେରଣା ପାଉ। ସେମାନଙ୍କୁ ଦେଖିଲେ ମନେହୁଏ ଦେବଦୂତ ସମ। ସେମାନଙ୍କୁ ଦେଖିଲେ ଲାଗେ, ସଂସାର ଭିତରେ ସନ୍ନ୍ୟାସୀଟିଏ ପରି। ନିଜକୁ ମହତ୍ କରିବାର ପ୍ରୟାସରେ ସେମାନେ ଏତେ ମଗ୍ନ ରହନ୍ତି ଯେ ତାଙ୍କୁ ଅନ୍ୟର ଦୋଷ ଦୁର୍ବଳତା ଦିଶେନା। ତାଙ୍କ ପାଇଁ ସବୁକିଛି ହେଉଛି ଈଶ୍ବରଙ୍କ ଆଶିଷ। ତାଙ୍କ ପୂର୍ବ ଜନ୍ମଗୁଡିକର ସଂସ୍କାର ତାଙ୍କୁ ଏପରି ମହତ୍ କରିଥାଏ, ନହେଲେ ଯିଏ ଶୁଣେ ସେ ଶୁଣେଇ ବି ପାରେ। ଏହି ମାନଙ୍କୁ ଦେଖି ଅନୁପ୍ରାଣିତ ହୋଇ ଆମେ ତାଙ୍କୁ ଅନୁସରଣ କରିବାକୁ ଉଚିତ୍ ମଣିଥାଏ। ଯାହାଙ୍କ ସହିତ କିଛି ସମୟ ବିତାଇବାର ଆନନ୍ଦ ଆମକୁ ଅମୂଲ୍ୟ ମନେ ହୁଏ।
ତେବେ ମଜାଦାର କଥାଟି ହେଉଛି ଯେ, ଉତ୍ତମ ମନୁଷ୍ୟ ହେବା ପାଇଁ କୌଣସି ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ପୁଣି ତାହା ଯେତିକି ସହଜ ସେତିକି ସରଳ ବି। ତେବେ ସେଥିପାଇଁ ନିରନ୍ତର ସାଧନା ସହିତ ଆତ୍ମ ନିୟନ୍ତ୍ରଣ ଏକାନ୍ତ ଆବଶ୍ୟକ। ଅବଶ୍ୟ ଦୀର୍ଘ ପ୍ରୟାସରୁ ଚେତନାକୁ ପାକଳ କରିବାରେ ହିଁ ଏହି ସାଧନା ସଫଳ ହୋଇଥାଏ; ଅନ୍ୟଥା ଦୟାଳୁ, ଧୈର୍ଯ୍ୟବାନ, ମିଷ୍ଟଭାଷୀ, ସତ୍ୟପ୍ରିୟ, ସାହାଯ୍ୟକାରୀ, ସଚ୍ଚୋଟ, କ୍ଷମାଶୀଳ ଓ ଉଦାରଚିତ୍ତ ହେବା ପାଇଁ କ’ଣ ପଇସା ପଡେ!
ଛନ୍ଦା ମିଶ୍ର, ଭୁବନେଶ୍ଵର



