ଭୁବନେଶ୍ୱରରେ ଓଡ଼ିଆ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆ ବୀର ଯବାନଙ୍କୁ ଭୁବନେଶ୍ୱରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସହିଦ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପୁଲିସ ବାହୀନି ପକ୍ଷରୁ ସହିଦଙ୍କୁ ତୋପ ସଲାମୀ ଦିଆଯାଇଥିଲା। ସହିଦଙ୍କ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ଆଖି ଲୁହରେ ଭିଜିଯାଇଥିଲା।
ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ପ୍ରତାପ ଜେନା ଏବଂ ସାସଂଦ ପ୍ରସନ୍ନ ପାଟ୍ଟଶାଣୀ ସମେତ ଦଳମତ ନିର୍ବିଶେଷରେ ଦୁଇ ବୀର ଓଡ଼ିଆ ପୁଅଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାବ୍ୟତୀତ ବିଭିନ୍ନ ସାମାଜିକ ସଂଗଠନ, ଛାତ୍ର ସଂଗଠନ ଓ ସାମ୍ବାଦିକ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ‘ସହିଦ ଯବାନ ଅମର ରହେ’ ନାରାରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଏହି ଦୁଇ ବୀର ଯବାନଙ୍କ ପାର୍ଥିବ ଶରୀରକୁ ନିଜ ଜନ୍ମମାଟି ଅଭିମୁଖେ ପଠାଇ ଦିଆଯାଇଛି।