www.samajalive.in
Friday, December 5, 2025
26.1 C
Bhubaneswar

ସୁପ୍ରିମକୋର୍ଟଙ୍କୁ କୈଫିୟତ ମାଗିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ବିଧାନସଭାରେ ଗୃହୀତ ହେଉଥିବା ବିଲ୍‌କୁ ଅନୁମୋଦନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପାଇଁ ଯେଉଁ ସମୟ ସୀମା ଧାର୍ଯ୍ୟ କରିଛନ୍ତି, ସେହି ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ ପଚାରି କୈଫିୟତ ଲୋଡିଛନ୍ତି। ରାଷ୍ଟ୍ରପତି ଏହି ପ୍ରସଙ୍ଗରେ ସମ୍ବିଧାନର ଧାରା ୧୪୩ (୧) ଅନୁଯାୟୀ, କ୍ଷମତା ପ୍ରୟୋଗ କରିଥିବା ଜଣାପଡିଛି। ବିଲ୍‌ ଅନୁମୋଦନ ପାଇଁ ସମ୍ବିଧାନରେ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନ ଥିବାବେଳେ ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦେଶନାମା ଏକପ୍ରକାର ସାମ୍ବିଧାନିକ ଅଡୁଆ ସୃଷ୍ଟି କରିଥିଲା।
ସୂଚନାଯୋଗ୍ୟ ଏପ୍ରିଲ ୮ରେ ଏହି ପ୍ରସଙ୍ଗରେ ତାମିଲନାଡୁ ସରକାରଙ୍କ ଦ୍ବାରା ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାଷ୍ଟ୍ରପତିଙ୍କ ପାଇଁ ୩ ମାସର ସମୟସୀମା ଧାର୍ଯ୍ୟ କରିଥିଲେ। ବିଧାନସଭାରେ ଗୃହୀତ ହୋଇଥିବା ଏକାଧିକ ବିଲ୍‌କୁ ଅନୁମୋଦନ କରିବାକୁ ରାଜ୍ୟପାଳ ଆର.ଏନ.ରବି କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଡିଏମକେ ସେତେବେଳେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଏହି ମାମଲାର ଶୁଣାଣି କରି ବିଧାନସଭାରେ ଗୃହୀତ କୌଣସି ବିଧେୟକକୁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ଅସୀମିତ ସମୟ ପର୍ଯ୍ୟନ୍ତ ଅଟକାଇ ରଖିପାରିବେନି ବୋଲି ସୁପ୍ରିମକୋର୍ଟ କହିଥିଲେ। ଏପରିକି ୩ମାସ ମଧ୍ୟରେ ବିଲ୍‌କୁ ଅନୁମୋଦନ ଦେବାକୁ ରାୟ ଦେଇଥିଲେ। ଏହି ରାୟ ପରେ ରାଜ୍ୟପାଳଙ୍କ ବିନା ଅନୁମୋଦନରେ ତାମିଲନାଡୁ ସରକାର ୧୦ଟି ବିଲ୍‌କୁ ଆଇନରେ ପରିଣତ କରିଥିଲେ। ସୁପ୍ରିମକୋର୍ଟଙ୍କ ଏତାଦୃଶ ରାୟକୁ ନେଇ ଆଇନଗତ ଜଟିଳତା ସୃଷ୍ଟି ହୋଇଥିବାବେଳେ ସମ୍ବିଧାନର ଧାରା ୨୦୦ ଏବଂ ୨୦୧ ଅନୁଯାୟୀ ଏହା ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ପ୍ରତି ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଥିଲା।
ବର୍ତ୍ତମାନ ରାଷ୍ଟ୍ରପତିଙ୍କ ଦ୍ବାରା ଉତ୍‌ଥାପନ କରାଯାଇଥିବା ପ୍ରଶ୍ନ ଅନୁଯାୟୀ (୧) ସମ୍ବିଧାନର ଧାରା ୨୦୦ ଅନୁଯାୟୀ ଯଦି କୌଣସି ବିଲ୍‌ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯାଏ, ତେବେ ତାଙ୍କ ନିକଟରେ କ’ଣ ସାମ୍ବିଧାନିକ ବିକଳ୍ପ ରହିଛି ? (୨) ଯେତେବେଳେ କୌଣସି ବିଲ୍‌ ରାଜ୍ୟପାଳଙ୍କ ଅନୁ​‌େ​‌ମାଦନ ପାଇଁ ଆସିଥାଏ, ସେତେବେଳେ ରାଜ୍ୟପାଳ କ’ଣ ମନ୍ତ୍ରିମଣ୍ଡଳର ପରାମର୍ଶ ଗ୍ରହଣ କରିବାକୁ ବାଧ୍ୟ ? (୩) ସମ୍ବିଧାନର ଧାରା ୨୦୦ ଅନୁଯାୟୀ ଯଦି ରାଜ୍ୟପାଳ ତାଙ୍କର ସାମ୍ବିଧାନିକ କ୍ଷମତାର ବ୍ୟବହାର କରନ୍ତି, ତେବେ ତାହା କ’ଣ ନ୍ୟାୟସଙ୍ଗତ ହେବ କି ? (୪) ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗ ପ୍ରସଙ୍ଗରେ ସମ୍ବିଧାନର ଧାରା ୩୬୧ କ’ଣ ନ୍ୟାୟିକ ସମୀକ୍ଷାରେ ବାଧକ ସୃଷ୍ଟି କରିବ ? (୫) ସମ୍ବିଧାନରେ କୌଣସି ସମୟସୀମା ଧାର୍ଯ୍ୟ ହୋଇ ନ ଥିବା ଏବଂ ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗ ଶୈଳୀ ଉପରେ କଟକଣା ଜାରି କରାଯାଇ ନ ଥିବାବେଳେ ନ୍ୟାୟିକ ରାୟ ଅନୁଯାୟୀ ଏଭଳି ସମୟସୀମା ଧାର୍ଯ୍ୟ କରାଯାଇପାରିବ କି ? (୬) ସମ୍ବିଧାନର ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତି ଯଦି ତାଙ୍କର ସାମ୍ବିଧାନିକ ସ୍ବାଧୀନତାକୁ ଉପଯୋଗ କରନ୍ତି, ତେବେ ତାହା ନ୍ୟାୟସଙ୍ଗତ ହେବ କି ? (୭) ସମ୍ବିଧାନରେ କୌଣସି ସମୟସୀମା ଏବଂ କ୍ଷମତା ଶୈଳୀ ଉପରେ କଟକଣା ଜାରି କରାଯାଇ ନ ଥିବା ସତ୍ତ୍ବେ ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତି ଯଦି ତାଙ୍କର କ୍ଷମତା ପ୍ରୟୋଗ କରନ୍ତି, ତେବେ ନ୍ୟାୟିକ ରାୟ ଅନୁଯାୟୀ ଏଭଳି ସମୟସୀମା ଧାର୍ଯ୍ୟ କରାଯାଇପାରିବ କି ? (୮) ରାଷ୍ଟ୍ରପତିଙ୍କ କ୍ଷମତା ପ୍ରୟୋଗ ପ୍ରସଙ୍ଗରେ ଥିବା ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯଦି ରାଜ୍ୟପାଳଙ୍କ ନିକଟରୁ ସୁପାରିସ କରାଯାଇଥାଏ ତେବେ ରାଷ୍ଟ୍ରପତି କ’ଣ ସୁପ୍ରିମକୋର୍ଟଙ୍କ ମତାମତ ଗ୍ରହଣ କରିବା ଜରୁରୀ ? (୯) କୌଣସି ବିଲ୍‌ ଆଇନରେ ପରିଣତ ହେବା ପୂର୍ବରୁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ କ୍ଷମତା ନ୍ୟାୟସଙ୍ଗତ ହେବ କି ? ଆଇନରେ ପରିଣତ ହେବା ପୂର୍ବରୁ ଅଦାଲତ କ’ଣ ସଂପୃକ୍ତ ବିଲ୍‌ର ବିଷୟବସ୍ତୁକୁ ବିଚାର କରିବା ନିମନ୍ତେ ଅଦାଲତଙ୍କୁ କ୍ଷମତା ଦିଆଯାଇଛି କି ? (୧୦) ସମ୍ବିଧାନର ଧାରା ୧୪୨ ଅନୁଯାୟୀ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତାର ବିକଳ୍ପ ରହିଛି କି ? (୧୧) ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଅନୁମୋଦନ ବିନା ବିଧାନସଭାରେ ଗୃହୀତ ଏକ ବିଲ୍‌ ଯଦି ଆଇନରେ ପରିଣତ କରାଯାଏ, ତେବେ ତାହା ଆଇନର ମାନ୍ୟତା ପାଇବ କି ? (୧୨) ସମ୍ବିଧାନର ଧାରା ୧୪୫(୩) ଅନୁଯାୟୀ ଯଦି ଏଭଳି କୌଣସି ମାମଲା ସୁପ୍ରିମକୋର୍ଟଙ୍କ ବିଚାର ପାଇଁ ଆସିଥାଏ, ତେବେ ଏହାର ଶୁଣାଣି ଅତି କମରେ ପାଞ୍ଚଜଣିଆ (ସାମ୍ବିଧାନିକ) ପୀଠରେ କରାଯିବା ଉଚିତ କି ନୁହଁ, ସେ ସମ୍ପର୍କରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବା ଜରୁରୀ ? (୧୩) ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସାମ୍ବିଧାନିକ ବ୍ୟବସ୍ଥାକୁ ଉଲ୍ଲଘଂନ କରୁଥିବା ମାମଲାରେ ସୁପ୍ରିମକୋର୍ଟଙ୍କ କ୍ଷମତା ସଙ୍କୁଚିତ କି ? (୧୪) ସମ୍ବିଧାନର ଧାରା ୧୩୧ ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ କ୍ଷମତା ଉପରେ ସାମ୍ବିଧାନିକ ପ୍ରତିବନ୍ଧକ ରହିଛି କି ?
ସୂଚନାଯୋଗ୍ୟ ବିଲ୍‌ ଅନୁମୋଦନ ପ୍ରସଙ୍ଗକୁ କେନ୍ଦ୍ର କରି ତାମିଲନାଡୁ ରାଜ୍ୟପାଳ ଏବଂ ସେଠାରେ କ୍ଷମତାସୀନ ଡିଏମକେ ସରକାରଙ୍କ ମଧ୍ୟରେ ଯେଉଁ ବିବାଦର ସୂତ୍ରପାତ ହୋଇଥିଲା, ସେ ସମ୍ପର୍କରେ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏପ୍ରିଲ ୮ରେ ଏକ ରାୟ ପ୍ରକାଶ କରିଥିଲେ। ଜଷ୍ଟିସ ଜେ.ବି.ପାର୍ଦିୱାଲା ଏବଂ ଜଷ୍ଟିସ ଆର.ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ ଯେ କୌଣସି ବିଲ୍‌ ଅନୁମୋଦନ କରିବାକୁ ରାଷ୍ଟ୍ରପତି ୩ ମାସ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ବାଧ୍ୟ। ଯଦି କୌଣସି ବିଲ୍‌କୁ ଅନୁମୋଦନ କରିବା ନିମନ୍ତେ ରାଷ୍ଟ୍ରପତି ୩ ମାସରୁ ଅଧିକ ସମୟ ନିଅନ୍ତି, ତେବେ ଏହାର ବୈଧ କାରଣ ଦର୍ଶାଇବା ସହ ସଂପୃକ୍ତ ରାଜ୍ୟକୁ ଏ ସମ୍ପର୍କରେ ସୂଚିତ କରାଇବା ଜରୁରୀ ବୋଲି ଖଣ୍ଡପୀଠ ଉକ୍ତ ରାୟରେ ଉଲ୍ଲେଖ କରିଥିଲେ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories