www.samajalive.in
Saturday, December 13, 2025
26.1 C
Bhubaneswar

ରଥଯାତ୍ରାରେ ମୁତୟନ ହେବେ ଆତଙ୍କବାଦୀ ନିରୋଧ ବାହିନୀ

ପୁରୀ : ଭାରତ – ପାକିସ୍ତାନ ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଗାମୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ପୂର୍ବବର୍ଷ ତୁଳନାରେ ଅଧିକ କଡ଼ାକଡ଼ି କରାଯିବ। ଜଳ, ସ୍ଥଳ ଓ ଆକାଶ ପଥରେ ଅଭୂତପୂର୍ବ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ଶ୍ରୀ ଜଗନ୍ନାଥ ମନ୍ଦିର, ଗୁଣ୍ଡିଚା ମନ୍ଦିର ଏବଂ ତିନିରଥ। ପୁରୀ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ କ୍ଲୋଜ୍‌ ସର୍କିଟ କ୍ୟାମେରା ଲଗାଯାଇ ଲୋକଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିବ ପୁଲିସ ଓ ଗୁଇନ୍ଦା ବାହିନୀ। ବଡ଼ଦାଣ୍ଡ ଦୁଇପାର୍ଶ୍ବ କୋଠା ସମେତ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ନିରୋଧ ବାହିନୀ ମୁତୟନ କରାଯିବ। ଏହି ଦାୟିତ୍ବରେ ରହିବେ ସ୍ବତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ। ରଥ କର୍ଡ଼ନ ସୁରକ୍ଷା ଦାୟିତ୍ବରେ ରାପିଡ଼ ଆକ୍ସନ ଫୋର୍ସ ରହିବେ। ରଥଯାତ୍ରାରେ ଗହଳି ନିୟନ୍ତ୍ରଣ ପାଇଁ କୁଇକ୍‌ ରେସ୍‌ପନ୍ସ ଟିମ୍ ନିୟୋଜିତ କରାଯିବ। ରାଜ୍ୟ ପୁଲିସ ମହାନିର୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସୋମବାର ପୁରୀ ଗସ୍ତରେ ଆସି ସ୍ନାନଯାତ୍ରା ଓ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି।
ଶ୍ରଦ୍ଧାଳୁ ଭକ୍ତଙ୍କ ନିରାପତ୍ତା, ଗହଳି ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ଭିଭିଆଇପି ସୁରକ୍ଷା, ଶ୍ରୀମନ୍ଦିର ଓ ରଥ ସୁରକ୍ଷା ତଦାରଖ ଦାୟିତ୍ବରେ ଜଣେ ଲେଖାଏଁ ଅତିରିକ୍ତ ପୁଲିସ ମହାନିର୍ଦେଶକ ରହିବେ ବୋଲି ସେ ସୂଚନା ଦେଇଛନ୍ତି। ଏହାଛଡା ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ସମୁଦ୍ରକୂଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ଶ୍ରୀ ଗୁଣ୍ଡିଚା ଯାତ୍ରା ଦିନ ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯିବ। ଏଥିପାଇଁ କେନ୍ଦ୍ର ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ପ୍ରସ୍ତାବ ଦିଆଯିବ। ସମୁଦ୍ରରେ ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ ପଇଁତରା ମାରିବେ। ସେମାନଙ୍କ ସହଯୋଗରେ ଜଳପଥରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ଗୁଇନ୍ଦା ବାହିନୀକୁ ଅଧିକ ସକ୍ରିୟ କରିବା ବିଷୟରେ ବୈଠକରେ ଆଲୋଚନା କରାଯାଇଛି।
ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ରଥଯାତ୍ରା ଦେଖି ନିରାପଦରେ ସୁଖଦ ଅନୁଭୂତି ନେଇ ଫେରିବେ ସେଥିପାଇଁ ଓଡ଼ିଶା ପୁଲିସ ନିଷ୍ଠାର ସହ କାର୍ଯ୍ୟ କରିବ ବୋଲି ଖୁରାନିଆ କହିଛନ୍ତି। ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ସୁରକ୍ଷା ମାଷ୍ଟରପ୍ଲାନ ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ସେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଚାରି ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବା ସହ ମେଟାଲ ଡିଟେକ୍ଟର ଓ ଲଗେଜ୍‌ ସ୍କାନରକୁ କାର୍ଯ୍ୟକ୍ଷମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ପୁଲିସ ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ସଞ୍ଜୟ କୁମାର, ରାଜେଶ କୁମାର, ଆର୍. ପି କୋଚେ, ଦୟାଲ ଗଙ୍ଗୱାର, ଅରୁଣ ବୋଥ୍ରା, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ପ୍ରବୀଣ କୁମାର ଏବଂ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories