www.samajalive.in
Friday, December 12, 2025
14.1 C
Bhubaneswar

ନ୍ୟାୟମୂର୍ତ୍ତିଙ୍କ ଦୁର୍ନୀତି

କଟକ : ବିଚାରପତି ଜଷ୍ଟିସ୍‌ ଯଶବନ୍ତ ବର୍ମା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ତିନି ଜଣ ହାଇକୋର୍ଟ ବିଚାରପତିଙ୍କୁ ନେଇ ଗଠିତ ଆଭ୍ୟନ୍ତରୀଣ ତଦନ୍ତ କମିଟିର ନିଷ୍କର୍ଷ ଅତ୍ୟନ୍ତ ଉଦ୍‌ବେଗଜନକ। ରିପୋର୍ଟ ଅନୁସାରେ ଅଭିଯୁକ୍ତ ବିଚାରପତି ତାଙ୍କ ବିରୁଦ୍ଧରେ ଅଭିଯୋଗଗୁଡ଼ିକୁ ଏକ ଷଡ଼ଯନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ, କିନ୍ତୁ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ କମିଟି ସମସ୍ତ ଅଭିଯୋଗର ସତ୍ୟତା ରହିଥିବା ନିଶ୍ଚିତ କରିଛି। ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ୍‌ ବର୍ମାଙ୍କ ଦିଲ୍ଲୀ ବାସଭବନରେ ଏକ ଅଗ୍ନିକାଣ୍ଡ ଘଟିବା ପରେ ଅଧାଜଳା ନୋଟ୍‌ର ଗଦା ଥିବା ଦେଖାଯାଇଥିଲା। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କମିଟି ଗଠନ କରିଥିଲେ।

ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସଞ୍ଜୀବ ଖାନ୍ନା ଜଷ୍ଟିସ୍‌ ବର୍ମାଙ୍କ ସମ୍ପର୍କିତ ଗୋପନୀୟ ତଦନ୍ତ ରିପୋର୍ଟକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ଏକ ବିବୃତିରେ କୁହାଯାଇଛି। ଅପରପକ୍ଷେ ଏକ ରିପୋର୍ଟ ଅନୁସାରେ, ଜଷ୍ଟିସ୍‌ ବର୍ମାଙ୍କୁ ଇସ୍ତଫା ଦେବାର ବିକଳ୍ପ ଦିଆଯାଇଥିଲା। ଅନ୍ୟ ଅର୍ଥରେ କହିଲେ ତାଙ୍କୁ ପଦ ଛାଡ଼ିବାକୁ ପ୍ରଧାନ ବିଚାରପତି କହିଥିଲେ। ଯଦି ସେ ତାହା ନ କରନ୍ତି, ତେ‌େ‌ବ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇପାରେ। ସୂଚନାଯୋଗ୍ୟ ଯେ ମହାଭିଯୋଗ ଏକ ଆନୁଷ୍ଠାନିକ ପ୍ରକ୍ରିୟା ଯାହା ମାଧ୍ୟମରେ ସଂସଦ ଭାରତୀୟ ସମ୍ବିଧାନର ଧାରା ୧୨୪(୪) ଅନୁଯାୟୀ ଜଣେ ବିଚାରପତିଙ୍କୁ ଅସଦାଚରଣ, ଦୁର୍ନୀତି କିମ୍ବା ଅକ୍ଷମତା ସକାଶେ ହଟାଇ ପାରିବ।

- Advertisement -

କହିବା ବାହୁଲ୍ୟ ଯେ ବର୍ତ୍ତମାନ ଏହି ବିଷୟକୁ ହାଲୁକା ଭାବରେ ନିଆଯାଇ ପାରିବ ନାହିଁ। ଯଦି କୌଣସି କ୍ଷେତ୍ରରେ ବିଚାରପତିଙ୍କ ଉପରେ ଅଙ୍ଗୁଳି  ଉଠେ, ତେବେ ନ୍ୟାୟପାଳିକାର ବିଶ୍ୱସନୀୟତା ରକ୍ଷା ପାଇଁ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଆବଶ୍ୟକ, ଏଥିରେ କୌଣସି ସନ୍ଦେହ ନାହିଁ। ନିର୍ଦିଷ୍ଟ ଭାବେ ଜଷ୍ଟିସ୍‌ ବର୍ମାଙ୍କ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସଞ୍ଜୀବ ଖାନ୍ନାଙ୍କ ଦ୍ବାରା ତ୍ବରିତ୍‌ ପଦକ୍ଷେପ ନିଶ୍ଚିତ ଭାବେ ନ୍ୟାୟ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କର ବିଶ୍ବସନୀୟତାକୁ ବୃଦ୍ଧି କରିଛି। ସପ୍ତାହେ ପରେ ନ୍ୟାୟମୂର୍ତ୍ତି ଖାନ୍ନା ଅବସର ଗ୍ରହଣ କରିବାକୁ ଥିବାବେଳେ ତା’ ପୂର୍ବରୁ ସମ୍ଭବତଃ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

ଯେତେବେଳେ ଜଣେ ବିଚାରପତିଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସେ, ସାଧାରଣ ଲୋକଙ୍କର ନ୍ୟାୟ ବ୍ୟବସ୍ଥା ଉପରେ ଭରସା ହ୍ରାସ ପାଇବାକୁ ଲାଗେ। ଏହା ଭରଣା ହେବା ସହଜ ନୁହେଁ। ସୁତରାଂ ଏପରି ମାମଲାର କେବଳ ସ୍ୱଚ୍ଛ ତଦନ୍ତ ନୁହେଁ, ବରଂ ଉପଯୁକ୍ତ କାର‌୍ୟ୍ୟାନୁଷ୍ଠାନ ମଧ୍ୟ ଆଶା କରାଯାଏ। ତଦନ୍ତ କମିଟିର ରିପୋର୍ଟ ବଳରେ ଏବେ ଏକ ତାର୍କିକ ନିଷ୍କର୍ଷରେ ପହଞ୍ଚିବା ପରେ ଆଶା କରାଯାଉଛି ଯେ ବିଚାରପତି ଜଷ୍ଟିସ୍‌ ବର୍ମାଙ୍କ ବିରୋଧରେ ଅବଳିମ୍ବେ ନିରପେକ୍ଷ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories