www.samajalive.in
Saturday, December 6, 2025
23.1 C
Bhubaneswar

ସରଳ ଓ ତ୍ରୁଟିଶୂନ୍ୟ ହେବ ପରିବାର ପେନ୍‌ସନ୍ ନିୟମ

ଭୁବନେଶ୍ବର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ବିଭାଗର ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗୃହୀତ ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତିନିଟି ପ୍ରସ୍ତାବ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇଟି ପ୍ରସ୍ତାବ ଆସିଥିବାବେଳେ ବାଣିଜ୍ୟ ଓ ପରିବହନ ବିଭାଗ, ଅର୍ଥ ବିଭାଗ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବକୁ ଆଲୋଚନାରେ ମଞ୍ଜୁରି ପ୍ରଦାନ କରାଯାଇଛି। ଓଡ଼ିଶା ବେସାମରିକ ସେବା (ପେନ୍‌ସନ୍) ନିୟମାବଳୀ, ୧୯୯୨ରେ ସଂଶୋଧନ କରିବା ପାଇଁ ମଞ୍ଜୁରି ମିଳିଥିବାବେଳେ ୨୦୩୨-୩୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍‌ ସେବାର ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା-ବିପର୍ଯ୍ୟୟ ପ୍ରତିରୋଧ ସଡ଼କ ନିର୍ମାଣ ପାଇଁ ୨୦୨୫-୨୬ରୁ ୨୦୨୯-୩୦ ବର୍ଷ ମଧ୍ୟରେ ମୋଟ ୧୦୦୦ କୋଟି ଟଙ୍କା ବ୍ୟୟରେ ୫୦୦ କିମି ସଡ଼କ ନିର୍ମାଣ, ୧୪୭ ନିର୍ବାଚନ ମଣ୍ଡଳୀରେ ସଡ଼କ ନିର୍ମାଣ ଓ ଉନ୍ନୟନ ପାଇଁ ୨୦୨୪-୨୫ରୁ ୨୦୨୬-୨୭ ମଧ୍ୟରେ ୪୨୬ କୋଟି ଟଙ୍କା ବ୍ୟୟବରାଦ ନିମନ୍ତେ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଓଡ଼ିଶା ବେସାମରିକ ସେବା (ପେନ୍‌ସନ୍) ନିୟମାବଳୀ, ୧୯୯୨ରେ ଅତ୍ୟାବଶ୍ୟକ ସରଳୀକରଣ ଏବଂ ପ୍ରଣାଳୀଗତ ତଥା ନିୟମଗତ ତ୍ରୁଟି ଅବା ଅସଙ୍ଗତି ଦୂର ନିମନ୍ତେ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ମୃତ କର୍ମଚାରୀ/ପେନ୍‌ସନ୍‌ଭୋଗୀଙ୍କ ଅବିବାହିତା/ବିଧବା/ସ୍ବାମୀ ପରିତ୍ୟକ୍ତା/ଦିବ୍ୟାଙ୍ଗ ବିଧବା/ଦିବ୍ୟାଙ୍ଗ ସ୍ବାମୀ ପରିତ୍ୟକ୍ତା ୨୫ ବର୍ଷରୁ ଉର୍ଦ୍ଧ୍ବ ଝିଅଙ୍କୁ ପରିବାର ପେନ୍‌ସନ୍‌ ପରିସରକୁ ୨୦୧୧ ମସିହାରେ ଆଣିଛନ୍ତି। ଓଡ଼ିଶା ବେସାମରିକ ସେବା (ପେନ୍‌ସନ୍) ନିୟମାବଳୀ, ୧୯୯୨ର ଦ୍ବିତୀୟ ସଂସ୍କରଣ ମଧ୍ୟ ପ୍ରଚଳନ କରିଛନ୍ତି। ତେବେ ଉକ୍ତ ନିୟମାବଳୀରେ କିଛି ସଂଶୋଧନ ଆବଶ୍ୟକ ହେଉଥିବାରୁ ରାଜ୍ୟ କ୍ୟାବିନେଟ ଆଜି ଏହାକୁ ଅନୁମୋଦନ କରିଛନ୍ତି।ସରକାରୀ ଡାକ୍ତରଖାନାରେ ମାଗଣା ନିଦାନ ଏବଂ ଡାଏଲିସିସ୍ ସେବା ‘ନିଦାନ’ ପାଇଁ ୫ ବର୍ଷରେ ୨୪୫୯.୫୧ କୋଟି ଟଙ୍କା ବ୍ୟୟ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ସରକାରୀ ଡାକ୍ତରଖାନାରେ ଅାନୁଷଙ୍ଗିକ ସେବା ବୃଦ୍ଧି ପାଇଁ ନିର୍ମଳ ଯୋଜନାର ଦ୍ବିତୀୟ ପର୍ଯ୍ୟାୟକୁ ସରକାର ଅନୁମୋଦନ ପ୍ରଦାନ କରି ୫ ବର୍ଷ ପାଇଁ ୫୧୭୪.୭୯ କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରିଛନ୍ତି। ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୦୨୧.୮୭ କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ କ୍ୟାବିନେଟର ନିଷ୍ପତ୍ତିକ୍ରମେ ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରରେ ୧୧୩ଟି ନୂତନ ପଦ ସୃଷ୍ଟି କରାଯାଇ କ୍ଷମତା ୪୦୪୫ରୁ ୪୧୫୮କୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ବସ୍ ସେବାର ସମ୍ପୂର୍ଣ୍ଣ ନବୀକରଣ କରାଯାଇ ନିୟନ୍ତ୍ରଣ ଦାୟିତ୍ବ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)କୁ ପ୍ରଦାନ କରାଯିବ। ବସ୍‌ରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରୀ ସୁବିଧା ବୃଦ୍ଧି କରାଯିବ। ସେହିପରି ମହିଳା, ତୃତୀୟଲିଙ୍ଗୀ, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ଯାତ୍ରୀ ଭଡ଼ାରେ ୫୦ ପ୍ରତିଶତ ରିଆତି ଦିଆଯିବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories