ଭୁବନେଶ୍ବର: ମହାପ୍ରଭୁଙ୍କ ବଳକା ନବକଳେବର ଦାରୁରୁ ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ଥିବା ଦ୍ୱନ୍ଦ୍ୱକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦୂର କରିଛନ୍ତି। ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ, ମହାରଣା ସେବାୟତଙ୍କ ସହ କଥା ହେବା ପରେ ଏ କଥାରେ ସ୍ପଷ୍ଟତା ଆସିଛି। ରାମକୃଷ୍ଣ ଦାସମହାପାତ୍ର କହୁ କହୁ କହି ଦେଇଥିଲେ। ସେ ଭୁବନେଶ୍ବରର ସୁଦର୍ଶନ ମହରଣାଙ୍କ ପାଖରେ ନିମ୍ବ କାଠରେ ମୂର୍ତ୍ତି ତିଆରି କରି ଦୀଘାରେ ଦେଇଥିଲେ। ଦୀଘା ମନ୍ଦିର ବିବାଦକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଆଇନ ମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି। ସତ୍ତ୍ୱଲିପି ଅନୁସାରେ ସମସ୍ତ ବଳକା ଦାରୁକାଠ ଦାରୁ ଘରେ ହିଁ ରହିବ ବୋଲି ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ବଳକା ଦାରୁ କାଠ ପୁରୀରୁ ଯାଇ ଦୀଘା ଜଗନ୍ନାଥ ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି ବୋଲି ଯେଉଁ କଥା କୁହାଯାଇଥିଲା, ତାହା ମିଛ। ବଳକା ଦାରୁ କାଠରେ ଅଢେଇ ଫୁଟର ମୂର୍ତ୍ତି ତିଆରି କରିବା ସମ୍ଭବ ନୁହେଁ। ଶ୍ରୀ ଜଗନ୍ନାଥଙ୍କ ମହାରଣା ସେବକମାନେ ଏକଥା ସ୍ପଷ୍ଟ କରିଛନ୍ତି। ୧୯୯୫-୯୬ ମସିହାରେ କିଛି ଦାରୁ କାଠ ସେତେବେଳର ସରକାରଙ୍କର ଭୁଲ ନିଷ୍ପତ୍ତି ଫଳରେ ଦଇତାପତି ନିଯୋଗ ଘରେ ରଖାଯାଇଥିଲା। ଏକ ୫ ଜଣିଆ କମିଟି ଗଠନ ହୋଇଛି। କମିଟି ନିର୍ଦେଶରେ ବଳକା ଦାରୁ କାଠର ପରିମାଣ ରେକର୍ଡ କରାଯାଇ ସମସ୍ତ କାଠକୁ ଦାରୁ ଘରକୁ ସ୍ଥାନାନ୍ତର କରାଯିବ। ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣଦାସ ମହାପାତ୍ରଙ୍କ ବିରୋଧରେ ଯାହା ଅଭିଯୋଗ ଆସିଥିଲା ଏବଂ ସେ ପଶ୍ଚିମବଙ୍ଗ ଦୀଘାରେ ଗଣମାଧ୍ୟମକୁ ଯାହା ମନ୍ତବ୍ୟ ଦେଇଥିଲେ, ସେନେଇ ତାଙ୍କୁ କୈଫିୟତ ମଗାଯାଇଛି। ସେ ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ସେ ସ୍ପଷ୍ଟ କହିଛନ୍ତି ଯେ ତାଙ୍କର ସେଭଳି କୌଣସି ଉଦ୍ଦେଶ୍ୟ ନଥିଲା। ତାଙ୍କୁ ଲିଖିତ ସ୍ପଷ୍ଟୀକରଣ ମଗାଯାଇଛି। ମନ୍ଦିର ପ୍ରଶାସନ ସନ୍ତୁଷ୍ଟ ନହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଦୀଘା ଜଗନ୍ନାଥଧାମ ନାମକରଣ ବିବାଦ ନେଇ ଆଇନ ମନ୍ତ୍ରୀ ପଶ୍ଚିମବଙ୍ଗ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ। ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ। ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ। ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ କରୁଛୁ। ଏନେଇ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ। ସେ ନ ମାନିଲେ ଆମେ ଆଇନର ଆଶ୍ରୟ ନେବୁ ବୋଲି ମନ୍ତ୍ରୀ କହିଛନ୍ତି। ଜଗନ୍ନାଥଙ୍କ ଜିନିଷ ନେଇ କେହି ବଞ୍ଚିଯାଇ ପାରିବେନି। ପୂର୍ବରୁ ମଧ୍ୟ ଏହାର ଉଦାହରଣ ଅଛି। ମହାପ୍ରଭୁଙ୍କ ଜିଭ ଛେଲା ଜଣେ ସେବାୟତ ଚୋରି କରିନେଇଥିଲେ। ମାତ୍ର କିଛି ଦିନରେ ସେ ପକ୍ଷାଘାତର ଶିକାର ହୋଇ ତାଙ୍କର ଦେହାନ୍ତ ହେଲା। ସବୁ ଜଗନ୍ନାଥ ମନ୍ଦିର ନେଇ ମାର୍ଗଦର୍ଶିକା ଆସିବ। ସେବାୟତଙ୍କ ଲାଗି ଏସଓପି ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ: ଆଇନ ମନ୍ତ୍ରୀ
Popular Categories



