ଲକ୍ଷ୍ମୌ..- ଏବେ ଉତ୍ତର ପ୍ରଦେଶରେ ରାଜନୈତିକ ବାତାବରଣରେ ବେଶ୍ ଉଷ୍ମତା ଦେଖା ଦେଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କୁ ଉତ୍ତର ପ୍ରଦେଶର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ଦେଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ପ୍ରିୟଙ୍କା ରାଜ୍ୟର ବରିଷ୍ଠ ନେତା ଓ ସଦସ୍ୟଙ୍କ ସହ ଆଲୋଚନା କରିବା ସହ ରୋଡ୍ ଶୋ’ ଆରମ୍ଭ କରିଛନ୍ତି ।
ଏହାସହ ସାମାଜିକ ଗଣମାଧ୍ୟମ ସହାୟତାରେ ସେ ଲୋକଙ୍କ ସହ ଯୋଡି ହେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଟ୍ୱିଟରରେ ନିଜର ଆକାଉଣ୍ଟ ଖୋଲିବା ପରେ ତାଙ୍କୁ ୪୦ ହଜାରରୁ ଅଧିକ ଲୋକ ଫଲୋ କରିବା ଆରମ୍ଭ କରିଛନ୍ତି । ପ୍ରିୟଙ୍କାଙ୍କ ରୋଡ୍ ସୋରେ ବି ବହୁ ଲୋକଙ୍କ ଭିଡ ଜମୁଛି । ଏହାର ଫାଇଦା କିଛି ଅସାଧୁ ଲୋକ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରିୟଙ୍କାଙ୍କୁ ଦେଖିବାକୁ ଆସୁଥିବା ଲୋକଙ୍କର ମୋବାଇଲ୍ ଫୋନ୍ ଓ ପର୍ସ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି ।
ସୋମବାରରେ ହୋଇଥିବା ରାଲିରେ କଂଗ୍ରେସ ସମର୍ଥକଙ୍କର ପ୍ରାୟ ୫୦ଟି ମୋବାଇଲ୍ ଫୋନ୍ ଓ ୪୦ ହଜାର ଟଙ୍କା ଚୋରି ହୋଇଥିବା ଲକ୍ଷ୍ମୌର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ପୁଲିସ ମାମଲା ଗ୍ରହଣ କରିଥିଲେ ମଧ୍ୟ ଏହାକୁ ଠିକ୍ ଭାବେ ତଦନ୍ତ କରୁ ନଥିବା ଅଭିଯୋଗ ହୋଇଛି ।



