ବିଶ୍ରା : ରାଉରକେଲା ରେଳ ଲାଇନ୍ ନିର୍ମାଣକୁ ବିରୋଧରୁ ଯୁବକଙ୍କ ମୃତ୍ୟୁ ଘଟଣା । ଗ୍ରାମବାସୀମାନେ ଆଜି ବି ଜିଦରେ ଅଟଳ ରହିଛନ୍ତି। ଘଟଣାସ୍ଥଳରେ ଏବେବି ମୃତଦେହ ପଡିରହିଛି। ରେଳ ଲାଇନ୍ ନିର୍ମାଣକୁ ବିରୋଧ କରି ଲୋକମାନେ ମୃତଦେହ ନେଉନାହାନ୍ତି। ସୂଚନା ମୂତାବକ ଗତକାଲି ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ପଞ୍ଚାୟତ ଡୁମେରତା ରେଳଷ୍ଟେସନରୁ ରାଉରକେଲା ଇସ୍ପାତ କାରଖାନା ପର୍ଯ୍ୟନ୍ତ ବିଛାଯାଉଥିବା ରେଳ ଲାଇନର ନିର୍ମାଣ କାର୍ଯ୍ୟ ବେଳେ ପୁଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଘଟଣାସ୍ଥଳରେ ନିୟୋଜିତ ଏକ ଜେସିବି ଧକ୍କାରେ ଜଣେ ବିକ୍ଷୋଭକାରୀଙ୍କ ଜୀବନ ଚାଲିଯିବା ପରେ ଏହି ଘଟଣା ଉଗ୍ର ରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ । ଏଥିରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଜଣେ ଅତିରିକ୍ତ ତହସିଲଦାର ଏବଂ ବନ୍ଧମୁଣ୍ଡା ଆଇଆଇସିଙ୍କ ସମେତ ୮ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଜିଲା ପ୍ରଶାସନ ଉପସ୍ଥିତିରେ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ ସହ ଶବ ରଖି ଧାରଣା ଦେଇଥିଲେ।
Popular Categories



