www.samajalive.in
Monday, December 15, 2025
16.1 C
Bhubaneswar

ଜମି ପଟ୍ଟା ପ୍ରଦାନ ଦାବିରେ ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ବିକ୍ଷୋଭ ସମାବେଶ

ପାଟଣା : ପୁରୁଷ ପୁରୁଷ ଧରି ଚାଷପଯୋଗୀ ଓ ବାସପୋଯୋଗୀ ଜମିକୁ ଦଖଲ କରି ଆସୁଥିବା ପାଟଣା ବ୍ଲକ ଅନ୍ତର୍ଗତ ଚେମେଣା, ବଳିଆପଶି, ରେଙ୍ଗାଳବେଡା, ଧନୁର୍ଜୟପୁର, ବାରଡ଼ାଙ୍ଗୁଆ, ଅଙ୍ଗିକଳା, ଚିଲିଦା, ଭୃଙ୍ଗରାଜପଶି, ଯମୁନାପଶି, କୋଡ଼ଖମଣ, ବରୁଡ଼ିପଶି, ପଦ୍ମକେଶରପୁର, ଗୋଡିପୋଖରୀ, କିମିରଦାପଶି, ଧରୁଆପଡା, ନୂଆଖମଣ, ରାଇକଳା ଓ ନୂଆଗାଁ ଗ୍ରାମର ଚାଷୀ, ମହିଳା, ଛାତ୍ର ହାତରେ ପ୍ଲାକାର୍ଡ଼ ଧରି ଜିନ୍ଦଲ ହଟାଅ ଭିଟାମାଟି ବଞ୍ଚାଅ, ଦଖଲିକୃତ ଜମିକୁ ଦଖଲଦାରଙ୍କ ନାମରେ ପଟ୍ଟା ଦିଅ ଆଦି ସ୍ଲୋଗାନମାନ ଦେଇ ଆଜି ପାଟଣାର ମନ୍ଦିର ପଡ଼ିଆ ଠାରୁ ଶହସ୍ରାଧିକ ସଂଖ୍ୟାରେ ବାହାରି ଶୋଭାଯାତ୍ରାରେ ଯାଇ ପାଟଣା ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲଦାର ଲୀଳାବତୀ ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶାର କୌଣସି ଗ୍ରାମକୁ ତହସିଲ ଅଧୀନରେ ଥିବା ଦଖଲିକୃତ ଜମିରୁ ଉଛେଦ କରିବା ନୋଟିସ ଦିଆଯାଇନଥିବା ବେଳେ ପାଟଣା ତହସିଲରେ ଉପରୋକ୍ତ ଗ୍ରାମମାନଙ୍କରେ ଥିବା ଦଖଲିକୃତ ସରକାରୀ ଜମି ଉଛେଦ ନୋଟିସ ଦିଆଯାଇଛି। ଏହାର ସ୍ପଷ୍ଟ ଉଦେଶ୍ୟ ହେଉଛି ଯେ ଏହି କିସମର ଜମିକୁ ପ୍ରସ୍ତାବିତ ଜେଏସଡବ୍ଲୁ କମ୍ପାନୀକୁ ଟେକିଦେବା। ସରକାରଙ୍କ ଏତାଦୃଶ ନୋଟିସ ବିରୁଦ୍ଧରେ ଜିନ୍ଦଲ ପ୍ରତିରୋଧ ମଞ୍ଚ ପକ୍ଷରୁ ଆଜି ଏକ ପ୍ରତିବାଦ ସମାବେଶ ହୋଇଛି। ପାଟଣା ଠାରେ ଅନୁଷ୍ଠିତ ଏହି ପ୍ରତିବାଦ ସମାବେଶରେ ମଞ୍ଚର ସଭାପତି ଘନଶ୍ୟାମ ମହାନ୍ତ ଅଧ୍ୟକ୍ଷତା କରିଥିଲେ।

ଏହି ସମାବେଶରେ ଜିନ୍ଦଲ ପ୍ରତିରୋଧ ମଞ୍ଚର ଉପଦେଷ୍ଟା ତଥା ଅଲ ଇଣ୍ଡିଆ କିଷାନ କ୍ଷେତ ମଜ଼ଦୁର ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ଯୋଗ ଦେଇ ତାଙ୍କ ଭାଷଣ ପ୍ରସଙ୍ଗରେ କହିଛନ୍ତି ଯେ ବିଜେପି ସରକାର ଆଦିବାସୀ ମାନଙ୍କର କଲ୍ୟାଣ ପାଇଁ ବହୁ ଯୋଜନା କରୁଛନ୍ତି ବୋଲି କହୁଥିବା ବେଳେ ପାଟଣା ବ୍ଲକର ଉପରୋକ୍ତ ଗ୍ରାମମାନଙ୍କରେ ସଂଖ୍ୟାଧିକ ଜନଜାତିର ଲୋକଙ୍କ ଭିଟାମାଟି ଛଡାଇ ନେଇ ଜିନ୍ଦଲ କମ୍ପାନୀକୁ ବିକ୍ରି କରିବା ପାଇଁ ପ୍ରୟାସ କରୁଛନ୍ତି। ଏହା ଦ୍ୱାରା ବିଜେପି ସରକାରଙ୍କର କର୍ପୋରେଟ-ପୁଞ୍ଜିପତି ପ୍ରୀତିର ଅସଲ ଚେହେରା ପ୍ରକାଶ ପାଉଛି ବୋଲି କମ୍ରେଡ଼ ଦାସ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗରିବ ଲୋକମାନଙ୍କ ନାମରେ ସରକାରୀ ଜମି ଭାବେ ପରିଚିତ ଏହି ଜମିକୁ ସେମାନଙ୍କ ନାମରେ ପଟ୍ଟା ନଦେଇ କିଭଳି ଭାବେ କମ୍ପାନୀ ନାମରେ ପଟ୍ଟା ଦିଆଯିବ ବୋଲି ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ବିଜେପି ସରକାରଙ୍କ ଏତାଦୃଶ ଜନବିରୋଧୀ ନୀତି ବିରୁଦ୍ଧରେ ଶକ୍ତିଶାଳୀ ଆନ୍ଦୋଳନ ଗଢିତୋଳିବା ପାଇଁ ଲୋକମାନଙ୍କୁ ଆହ୍ୱାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିନ୍ଦଲ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର, ଉପସଭାପତି ଯଥାକ୍ରମେ ସରୋଜ କୁମାର ସିଂହ, ଅଚ୍ୟୁତାନନ୍ଦ ନାଏକ, ପ୍ରକାଶ ମଲ୍ଲିକ, ରବିନ୍ଦ୍ର କୁମାର ମହାନ୍ତ, ସମେତ ଜିନ୍ଦଲ କମ୍ପାନୀ ଚିହ୍ନଟ କରିଥିବା ଗ୍ରାମ ଗୁଡିକରୁ ନିରାକାର ମହାନ୍ତ, ଭାଗବତ ମହାନ୍ତ, ଲଷ୍ମୀପ୍ରିୟା ମହାନ୍ତ, ମନୋରଞ୍ଜନ ମହାନ୍ତ, ନିର୍ମଳା ନାଏକ, ଯାଦବ ନାଏକ, ଚନ୍ଦ୍ରଭାନୁ ମହାନ୍ତ, ଗୌରାଙ୍ଗ ମହାନ୍ତ, ଈଶ୍ୱର ଚନ୍ଦ୍ର ମହାନ୍ତ, ଶତ୍ରୁଘ୍ନ ନାଏକ, ରଘୁନାଥ ନାଏକ, କୃଷ୍ଣ ଚନ୍ଦ୍ର ନାଏକ, ତ୍ରିଲୋଚନ ମହାନ୍ତ ପ୍ରଭୃତି ନେତୃବୃନ୍ଦ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଜିନ୍ଦଲ କମ୍ପାନୀ ସହ ହୋଇଥିବା ବୁଝାମଣା ପତ୍ର ରଦ୍ଦ ହେବାଯାଏ ଆମେ ପ୍ରାଣ ଦେବୁ ପଛେ ଭିଟାମାଟି ଛାଡ଼ିବୁନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଜିନ୍ଦଲ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାରଙ୍କ ନେତୃତ୍ୱରେ ସରୋଜ କୁମାର ସିଂହ, ଅଚ୍ୟୁତାନନ୍ଦ ନାଏକ, ପ୍ରକାଶ ମଲ୍ଲିକ ଓ ରବିନ୍ଦ୍ର କୁମାର ମହାନ୍ତଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ତହସିଲଦାରଙ୍କୁ ସାକ୍ଷାତ କରି ୩ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡ଼ିକ ମଧ୍ୟରେ ଚାଷପଯୋଗୀ ଓ ବାସପଯୋଗୀ ଆବାଦ ଯୋଗ୍ୟ ଅନାବାଦୀ ଜମିକୁ ଦଖଲଦାରଙ୍କ ନାମରେ ତୁରନ୍ତ ପଟ୍ଟା ପ୍ରଦାନ, ୨୦୦୬ ଜଂଗଲ ଜମି ଅଧିକାର ଆଇନ ଅନୁଯାୟୀ ଆଦିବାସୀ ସମେତ ଅନ୍ୟାନ୍ୟ ସମସ୍ତ ବର୍ଗର ଲୋକଙ୍କୁ ପଟ୍ଟା ପ୍ରଦାନ କରିବା ଓ ଯେଉଁମାନେ ବ୍ୟକ୍ତିଗତ ଭାବେ ଆପତ୍ତି ଅଭିଯୋଗ ଦରଖାସ୍ତ ଦେଉଛନ୍ତି ସେମାନଙ୍କ ଦରଖାସ୍ତ ବିଚାର କରିବାକୁ ଦାବି କରାଯାଇଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories