www.samajalive.in
Saturday, December 6, 2025
23.1 C
Bhubaneswar

ମେ’ ୬କୁ ଘୁଞ୍ଚିଲା ଓପିଜିସି ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ଜନଶୁଣାଣି

ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ନିମନ୍ତେ ଓପିଜିସିର ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ପାଇଁ ଦୁଇଟି ଦରଖାସ୍ତ ଓଇଆରସିଙ୍କ ନିକଟରେ ଦାଖଲ ହୋଇଥିବାବେଳେ ଆୟୋଗ ପ୍ରଥମ ପର୍ଯ୍ୟାୟରେ ୪୨୦ ମେଗାୱାଟ ବିଶିଷ୍ଟ ୟୁନିଟ ୧ ଓ ୨ ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ କରି ଖୁଚୁରା ବିଦ୍ୟୁତ୍ ମୂଲ୍ୟକୁ ଅପରିବର୍ତ୍ତିତ ରଖିଥିଲେ। ମଙ୍ଗଳବାର ଦ୍ବିତୀୟ ପର୍ଯ୍ୟାୟରେ ୧୩୨୦ ମେଗାୱାଟ ବିଶିଷ୍ଟ ୟୁନିଟ ୩ ଓ ୪ର ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ପାଇଁ ଓଇଆରସି ଜନଶୁଣାଣି କରିଛନ୍ତି। ଓଇଆରସିର ଅଧ୍ୟକ୍ଷ ପ୍ରଦୀପ କୁମାର ଜେନା ଓ ଅନ୍ୟ ଦୁଇ ସଭ୍ୟ ଗଜେନ୍ଦ୍ର ମହାପାତ୍ର ଓ ସୁଶାନ୍ତ ରାୟ ମହାପାତ୍ରଙ୍କ ଉପସ୍ଥିତିରେ ପୂର୍ଣ୍ଣ ବେଞ୍ଚରେ ଜନଶୁଣାଣି ହୋଇଥିଲା। ଜନଶୁଣାଣି ପ୍ରକ୍ରିୟାରେ ଆବେଦନକାରୀ ଓପିଜିସି ସହିତ ଶକ୍ତି ବିଭାଗ, ଗ୍ରିଡକୋ, ଟାଟାର ଚାରୋଟି ଆବେଦନ କମ୍ପାନୀ ଓ ଜନଗଣଙ୍କ ତରଫରୁ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଓ ମଧ୍ୟବର୍ତ୍ତୀକାଳୀନ ଦରଖାସ୍ତ କରିଥିବା ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାମ ତାଲିକା ପ୍ରକାଶ ପାଇଥିଲେ ବି ଶକ୍ତି ବିଭାଗ ଓ ଶ୍ରୀ ପଟ୍ଟନାୟକ ଯୋଗ ଦେଇନଥିଲେ।
ଜନଶୁଣାଣି ପ୍ରାରମ୍ଭରେ ଓପିଜିସି ଦରଖାସ୍ତ ଉପରେ ମତାମତ ରଖିବା ପାଇଁ ଗ୍ରିଡକୋ ଅଧିକ ସମୟ ଆବଶ୍ୟକ କରୁଥିବା ପ୍ରାର୍ଥନା କରିବା ପରେ ଅଧ୍ୟକ୍ଷ ପ୍ରଦୀପ ଜେନା ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଲେ, ଓପିଜିସି ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ପ୍ରକ୍ରିୟାରେ କୋଇଲା ମୂଲ୍ୟ ଏକ ମୁଖ୍ୟ ଅଂଶ। ଓପିଜିସି ବିଦ୍ୟୁତ୍ ମୂଲ୍ୟରେ କୋଇଲା ଖର୍ଚ୍ଚର ଅବଦାନ ପ୍ରାୟ ୫୦ ପ୍ରତିଶତ ଥିବାବେଳେ କୋଇଲା ମୂଲ୍ୟ ଏପର୍ଯ୍ୟନ୍ତ ଆୟୋଗ ନିର୍ଣ୍ଣୟ କରିନାହାନ୍ତି। ବିଦ୍ୟୁତ୍ ଉତ୍ପାଦନ ପାଇଁ ଓପିଜିସି ଆବଶ୍ୟକ କରୁଥିବା କୋଇଲା ଏହାକୁ ଆବଣ୍ଟିତ ହୋଇଥିବା ମନୋହରପୁର କୋଇଲା ଖଣିରୁ ମିଳୁଛି, ଯାହାର ପରିଚାଳନା ଦାୟିତ୍ବ ଓପିଜିସିର ସହଯୋଗୀ ସଂସ୍ଥା ଓଡ଼ିଶା କୋଲ ଏଣ୍ଡ ପାୱାର (ଓସିପିଏଲ) ଉପରେ ନ୍ୟସ୍ତ ହୋଇଛି। କୋଇଲା ମୂଲ୍ୟ ନିର୍ଣ୍ଣୟ ପାଇଁ ଆୟୋଗ ୨୦୨୪ ମେ’ ୨୯ ତାରିଖରେ ୨୯ ପୃଷ୍ଠାର ଅଧିନିୟମ ବିଜ୍ଞପ୍ତି ଜାରି କରିଛନ୍ତି। ଓଇଆରସି ଅଧିନିୟମ ଅନୁସାରେ କୋଇଲା ମୂଲ୍ୟ ନିର୍ଣ୍ଣୟ ପାଇଁ ଓସିପିଏଲ ବହୁ ବିଳମ୍ବରେ ଦରଖାସ୍ତ କରିଥିଲେ ବି ତାହାକୁ ଜନଶୁଣାଣି ମାଧ୍ୟମରେ ନିର୍ଣ୍ଣୟ କରିବା ପାଇଁ ଆୟୋଗ ଅଦ୍ୟାବଧି କୌଣସି ପଦକ୍ଷେପ ନେଇନାହାନ୍ତି। ଆୟୋଗଙ୍କ ଶୁଣାଣି ତାଲିକାରେ ଓସିପିଏଲ ଦରଖାସ୍ତଟି ପଞ୍ଜୀକୃତ ହୋଇଛି, ଯେଉଁଥିରେ ବିରୋଧୀ ପକ୍ଷ ଭାବେ ଓପିଟିସିଏଲ, ଶକ୍ତି ବିଭାଗ, ଗ୍ରିଡକୋ ଓ ଟାଟାର ଚାରୋଟି ଆବଣ୍ଟନ କମ୍ପାନୀଙ୍କୁ ପଞ୍ଜିକୃତ କରାଯାଇଛି। ଏଥିରୁ ସ୍ପଷ୍ଠ ଜଣାପଡୁଛି ଆୟୋଗ କୋଇଲା ମୂଲ୍ୟ ନିର୍ଣ୍ଣୟ ପାଇଁ ଜନଶୁଣାଣି ପ୍ରକ୍ରିୟା ଅବଲମ୍ବନ କରିବାକୁ ଚାହୁଁନାହାନ୍ତି। ଶ୍ରୀ ମହାପାତ୍ର ଏହାକୁ ବିରୋଧ କରି ଆୟୋଗଙ୍କ ଆଗରେ କୋଇଲା ଖଣି (ସ୍ଵତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଧାରା ୨୦(୧)କୁ ଉଦ୍ଧୃତ କରି କହିଲେ, ଜନସ୍ବାର୍ଥ ସୁରକ୍ଷା ତଥା ବିଦ୍ୟୁତ୍ ମୂଲ୍ୟ ହ୍ରାସ ପାଇଁ ମନୋହରପୁର କୋଇଲା ଖଣି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଓସିପିଏଲକୁ ଆବଣ୍ଟନ କରିଥିଲେ। କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗ (ସିଇଆରସି) ଉପଭୋକ୍ତାଙ୍କ ନିକଟରେ ଏହାର ଲାଭ ପହଞ୍ଚାଇବା ପାଇଁ ୨୦୧୯ରେ ଏକ ଅଧ୍ୟୟନ ଗୋଷ୍ଠୀ କରିଥିଲେ। ଅଧ୍ୟୟନ ରିପୋର୍ଟ ମିଳିବା ପରେ ୨୦୨୧ରେ କୋଇଲା ମୂଲ୍ୟ ନିର୍ଣ୍ଣୟ ଅଧିନିୟମ ଜାରି କଲେ। କିନ୍ତୁ ମନୋହରପୁର କୋଇଲା ଖଣିରୁ ୨୦୧୯ରୁ କୋଇଲା ଉତ୍ତୋଳନ ହୋଇ ଓପିଜିସିକୁ ଯୋଗାଣ ହେଉଥିଲେ ବି ରାଜ୍ୟ ଆୟୋଗ କୌଣସି ପଦକ୍ଷେପ ନେଲେ ନାହିଁ। ଫଳରେ କେନ୍ଦ୍ରୀୟ ତାପଜ ବିଦ୍ୟୁତ ସଂସ୍ଥା ପାଇଁ କୋଇଲା ମୂଲ୍ୟ ଟନ ପିଛା ୯୦୦ ଟଙ୍କା ରହିଥିବାବେଳେ ଓଡ଼ିଶା ଉପଭୋକ୍ତା ଟନ ପିଛା ଦୁଇଗୁଣ ଅର୍ଥାତ ୧୮୦୦ ଟଙ୍କା ଟାରିଫ ମାଧ୍ୟମରେ ପରିଶୋଧ କରୁଛନ୍ତି। ତେଣୁ ମନୋହରପୁର କୋଇଲା ଖଣିର ଲାଭ ୬ ବର୍ଷ ବିତି ଯାଇଥିଲେବି ଉପଭୋକ୍ତାଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ଜନସ୍ବାର୍ଥକୁ ଦୃଷ୍ଟିରେ ରଖି କୋଇଲା ମୂଲ୍ୟ ନିର୍ଣ୍ଣୟ ପାଇଁ ଓସିପିଏଲ କରିଥିବା ଆବେଦନଟିକୁ ଏକ ସାଧାରଣ ବିଜ୍ଞପ୍ତି ମାଧ୍ୟମରେ ସାର୍ବଜନୀନ କରନ୍ତୁ ଓ ଜନଗଣ ମତାମତ ଦେବା ପାଇଁ ଆହ୍ବାନ କରାଯାଉ। ସେହିପରି ଓପିଜିସିରେ ଜନଗଣଙ୍କ ପୁଞ୍ଜିନିବେଶ କେତେ ହୋଇଛି, ତାହା ଆକଳନ ହୋଇନଥିବାରୁ ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି ଘଟୁଛି ବୋଲି ସେ ଯୁକ୍ତି ବାଢ଼ିଥିଲେ। ଓପିଟିସିଏଲ, ଗ୍ରିଡକୋ ଓ ଟାଟା ଆବଣ୍ଟନ କମ୍ପାନୀ ମତ ରଖିଥିଲେ। ସମସ୍ତଙ୍କ ମତାମତ ଶୁଣିବା ପରେ ଆୟୋଗ ଓପିଜିସି ଜନଶୁଣାଣିକୁ ମେ’ ୬ ତାରିଖକୁ ଘୁଞ୍ଚାଇ ଦେଇଥିବାବେଳେ କୋଇଲା ମୂଲ୍ୟ ନିର୍ଣ୍ଣୟ ପାଇଁ ଏକ ସାଧାରଣ ବିଜ୍ଞପ୍ତି ଜରିଆରେ ଜନତାଙ୍କ ମତାମତ ଆହ୍ବାନ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories