www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟର ସର୍ବାଙ୍ଗୀଣ ଉନ୍ନତି ପାଇଁ ସଂକଳ୍ପ ନେବାକୁ ଓଡ଼ିଆ ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର  : ଓଡ଼ିଆ ନୂଆବର୍ଷ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, ‘ଆଜି ଓଡ଼ିଆ ନୂଆବର୍ଷ। ପବିତ୍ର ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି ଭାରତର ସମ୍ବିଧାନ ପ୍ରଣେତା, ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ। ଆଜିର ଏହି ପବିତ୍ର ଶୁଭ ଦିନରେ ଆମ ରାଜ୍ୟର, ରାଜ୍ୟ ବାହାରେ ଏବଂ ସାରା ବିଶ୍ୱରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ଅଭିନନ୍ଦନ ଜଣାଉଛି। ଆଗାମୀ ବର୍ଷ ଓ ଆଗକୁ ଆହୁରି ଅନେକ ଅନେକ ବର୍ଷ ଆପଣଙ୍କ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦର ହାତ ରହୁ ଏହା ହିଁ କାମନା କରୁଛି।’
ସେ ଆହୁରି କହିଛନ୍ତି ଯେ, ‘କିଛିଦିନ ତଳେ ଚଳିତ ଅପ୍ରେଲ ମାସ ୧ ତାରିଖରେ ଆମେ ଓଡ଼ିଶା ଦିବସ ପାଳନ କରିଛନ୍ତି। ଅପ୍ରେଲ ୧ ଓଡ଼ିଶା ଦିବସରୁ ଅପ୍ରେଲ ୧୪ ଓଡ଼ିଆ ନୂଆବର୍ଷ ପର୍ଯ୍ୟନ୍ତ ଆମେ ଓଡ଼ିଆ ଭାବରେ ଆମ ସ୍ୱାଭିମାନ, ପରିଚୟ ଓ ଅସ୍ମିତାରେ ଯୋଡ଼ି ହେବାପାଇଁ ଓ ଏଥିରୁ ପ୍ରେରଣା ନେବାକୁ ପ୍ରତିଦିନ ଓଡ଼ିଆ ସ୍ୱତନ୍ତ୍ର ପରିଚୟର ଉତ୍ସବ ପାଳନ କରିଛେ। ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିକୁ ନେଇ ଗତ ୧୪ ଦିନ ଧରି ଆମ ପରିଚୟକୁ ଖୋଜିବା ସହ ନୂଆ ପିଢ଼ି ପାଖକୁ ବାର୍ତ୍ତା ପହଞ୍ଚାଇବା ପାଇଁ ଚେଷ୍ଟା କରିଛୁ। ଏହି ସମୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣି ମହାପୁରୁଷ ଓ ମହୀୟସୀମାନଙ୍କୁ ସ୍ମରଣ କରି ଯଥୋଚିତ ସମ୍ମାନ ଦେଉଛୁ।’
‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୯୧ତମ ପ୍ରତିଷ୍ଠା ଦିବସରୁ ଆଜି ୧୪ ଅପ୍ରେଲ ମହାବିଷୁବ ପଣାସଂକ୍ରାନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂଆ ଅବସର ପାଇଁ ସୁଯୋଗ ସୃଷ୍ଟି କରୁ, ଆଜି ଦିନରେ ଏହା ହିଁ କାମନା। ଆସନ୍ତୁ ମନ, ପ୍ରାଣ, ହୃଦୟରୁ ଓଡ଼ିଆ ହେବା। ଓଡ଼ିଆ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ ଓ ସଂସ୍କୃତିକୁ ଆମର ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ୱାଭିମାନୀ ଓଡ଼ିଆ ଜାତି ଗଠନ କରିବାକୁ ସଂକଳ୍ପ ନେବା।’
‘ଓଡ଼ିଆ ଆଜି ଯାହା ଚିନ୍ତା କରେ, ସାରା ଦେଶ ଆଗାମୀ ଦିନରେ ସେହି ରାସ୍ତାରେ ଯାଏ। ସ୍ୱାଧୀନତା ପୂର୍ବରୁ ଆମ ଜାତି ଭାଷା ଆଧାରିତ ରାଜ୍ୟ ଗଠନ ପାଇଁ ଦୀର୍ଘ ଦଶନ୍ଧି ଧରି ଲଢ଼େଇ କରିଥିଲା। ସ୍ୱାଧୀନତା ପରେ ଆମ ଦେଶରେ ରାଜ୍ୟ ଗଠନର ଆଧାର ହେଲା ଭାଷା। ସଂସ୍କୃତ ପରେ ମହାଭାରତ ଓଡ଼ିଆ ଭାଷାରେ ହିଁ ପ୍ରଥମେ ରଚିତ ହୋଇଥିଲା। ଓଡ଼ିଶା ହସ୍ତକଳାର ପ୍ରାଚୁର୍ଯ୍ୟ ତଥା ଆମର କଳା ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ ବିଶ୍ୱକୁ ପ୍ରଭାବିତ କରିବା ପାଇଁ ବଡ଼ ସମ୍ଭାବନା ରଖିଛି। ଏହାକୁ କେହି ବି ସ୍ୱୀକାର କରିବ। ଓଡ଼ିଆଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରି ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଆଜି ଓଡ଼ିଆ ନୂଆବର୍ଷରେ ଆସନ୍ତୁ ଦୃଢ଼ ସଂକଳ୍ପ ନେବା’ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories