www.samajalive.in
Saturday, December 13, 2025
26.1 C
Bhubaneswar

ପୈତୃକ ସମ୍ପତ୍ତିରୁ ଝିଅଙ୍କୁ ବଞ୍ଚିତ କରିପାରିବେନି ପୋଷ୍ୟପୁତ୍ର

ନୂଆଦିଲ୍ଲୀ : ପୈତୃକ ସମ୍ପତ୍ତିରେ ପୁଅ ଓ ଝିଅଙ୍କର ସମାନ ଅଧିକାର ରହିଥିବା ଆଇନସିଦ୍ଧ। କିନ୍ତୁ ଏଥିରୁ ଝିଅଙ୍କୁ ବଞ୍ଚିତ କରିବା ପାଇଁ ଜଣେ ପୋଷ୍ୟ ପୁତ୍ରଙ୍କ ପକ୍ଷରୁ ଦୀର୍ଘ ୪ ଦଶନ୍ଧି ଧରି ଚାଲିଥିବା ଲଢ଼େଇର ଅବସାନ ଘଟାଇଛନ୍ତି ସୁପ୍ରିମକୋର୍ଟ। ପୋଷ୍ୟ ପୁତ୍ର ଗ୍ରହଣ ମାଧ୍ୟମରେ ପୈତୃକ ସମ୍ପତ୍ତିରେ ଝିଅମାନଙ୍କର ରହିଥିବା ଅଧିକାରରୁ ସେମାନଙ୍କୁ ବଞ୍ଚିତ କରିବା ପାଇଁ ଗାଁ ଗହଳିରେ ପ୍ରଚଳିତ ପରମ୍ପରାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ହିନ୍ଦୁ ପୋଷ୍ୟ ସନ୍ତାନ ଗ୍ରହଣ ଓ ଭରଣପୋଷଣ ଆଇନ-୧୯୫୬ ଅନୁସାରେ ପୋଷ୍ୟ ପୁତ୍ର ଭାବେ ପ୍ରମାଣ ସ୍ବରୂପ କେବଳ ବାପାଙ୍କ ଦସ୍ତଖତ ସମ୍ବଳିତ ନଥି ଯଥେଷ୍ଟ ନୁହେଁ; ଏଥିରେ ମା’ଙ୍କ ଦସ୍ତଖତ ଅପରିହାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କଥିତ ମାମଲାରେ ଅଦାଲତ ସମ୍ପୃକ୍ତ ପୋଷ୍ୟ ପୁତ୍ର ବାପାଙ୍କ ସମ୍ପତ୍ତିରୁ ଦୁଇ ଝିଅଙ୍କୁ ବଞ୍ଚିତ କରିବା​ ପାଇଁ ଷଡ଼ଯନ୍ତ୍ର କରିଥିବା ଦର୍ଶାଇବା ସହ ତାଙ୍କ ଦାବିକୁ ଅଗ୍ରାହ୍ୟ ପୂର୍ବକ ସେ ଆଇନଗତ ଭାବେ ପୋଷ୍ୟ ପୁତ୍ର ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏହି ନ୍ୟାୟିକ ଲଢ଼େଇରେ ଦୁଇ ଝିଅଙ୍କର ବିଜୟ ହୋଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଉତ୍ତର ପ୍ରଦେଶର ଜନୈକ ଭୁବନେଶ୍ବର ସିଂହଙ୍କର ଦୁଇ ଝିଅ ଥିଲେ ଶିବ କୁମାରୀ ଦେବୀ ଓ ହାରମୁନିଆ। ପୁଅ ନଥିବାରୁ ସେ ୧୯୬୭ରେ ଅଶୋକ କୁମାରଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ। ଭୁବନେଶ୍ବରଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପତ୍ତିର ମାଲିକ ହେବାକୁ ଅଶୋକ ଦାବି କରିଥିଲେ। ସେ ଶିବ କୁମାରୀ ଓ ହାରମୁନିଆଙ୍କୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରିବା ଉଦ୍ୟମ ସ୍ବରୂପ ଅଦାଲତର ଆଶ୍ରୟ ନେଇଥିଲେ। ନିଜକୁ ଭୁବନେଶ୍ବରଙ୍କ ପୋଷ୍ୟ ପୁତ୍ର ଭାବେ ପ୍ରମାଣିତ କରିବା ସପକ୍ଷରେ ଏକ ପୋଷ୍ୟ ସନ୍ତାନ ସଂକ୍ରାନ୍ତ ଚୁକ୍ତିପତ୍ର ଓ ଏକ ପୁରୁଣା ଫଟୋ ଉପସ୍ଥାପନ କରିଥିଲେ। ପୈତୃକ ସମ୍ପତ୍ତିରୁ ବଞ୍ଚିତ ଦୁଇ ଝିଅ ଏହା ବିରୋଧରେ ଲଢ଼େଇ କରିଥିଲେ। ଆହ୍ଲାବାଦ ହାଇକୋର୍ଟ ଅଶୋକ କୁମାରଙ୍କ ଦାବିକୁ ଖାରଜ କରିଦେଇଥିଲେ; କିନ୍ତୁ ହାଇକୋର୍ଟ ରାୟ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟ କାନ୍ତ ଓ ଏନ୍‌. କୋଟିଶ୍ବର ସିଂହଙ୍କ ପୀଠ ଉକ୍ତ ମାମଲା ଦୀର୍ଘ ୪ ଦଶନ୍ଧି ଚାଲୁରହିବା ନେଇ ପ୍ରଥମେ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ଆହ୍ଲାବାଦ ହାଇକୋର୍ଟ ରାୟକୁ ଯଥାର୍ଥ ଦର୍ଶାଇ ଅଶୋକଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ପୀଠ ଦର୍ଶାଇଥିଲେ ଯେ ଅଶୋକ ନିଜକୁ ଆଇନଗତ ପୋଷ୍ୟ ପୁତ୍ର ଭାବେ ପ୍ରମାଣ କରିବା ପାଇଁ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରିଥିଲେ। ଚୁକ୍ତିପତ୍ରରେ ଭୁବନେଶ୍ବରଙ୍କ ପତ୍ନୀଙ୍କ ସମ୍ମତି ବା ଦସ୍ତଖତ ରହିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଏହା ନଥିଲା। ଅଶୋକ ଯେଉଁ ଫଟୋ ଉପସ୍ଥାପନ କରିଥିଲେ ତାହାର ସତ୍ୟତା ନେଇ ମଧ୍ୟ ସନ୍ଦେହ ଥିଲା; କାରଣ କୌଣସି ସାକ୍ଷୀ ଏହା ସପକ୍ଷରେ ପ୍ରମାଣ ଦେଇପାରି ନଥିଲେ। ଫଳରେ ଅଶୋକଙ୍କ ପୋଷ୍ୟ ପୁତ୍ର ଦାବି ବେଆଇନ ବୋଲି ପୀଠ ଦର୍ଶାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories