www.samajalive.in
Saturday, December 6, 2025
23.1 C
Bhubaneswar

‘ଟିଙ୍ଗିରି ବେଣ୍ଟ’ ପାଇଁ ଜଳୁଛି ଜଙ୍ଗଲ

ଜୟପୁର : କୋରାପୁଟ ଜିଲାରେ ଜଙ୍ଗଲ ଜଳୁଛି। ଟିଙ୍ଗିରି ବେଣ୍ଟ ଆରମ୍ଭରୁ ଜଙ୍ଗଲରେ ନିଆଁ ଲାଗି ଚାଲିଛି। ମନୁଷ୍ୟକୃତ ନିଆଁରେ ଜଙ୍ଗଲ ଅସୁରକ୍ଷିତ ରହିଛି। ବେଣ୍ଟ ଶିକାର ନାଁରେ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଛି। ଜୀବଜନ୍ତୁ ଶିକାର ପରମ୍ପରା କିଛି ଆଦିବାସୀ ଜାରି ରଖିଛନ୍ତି। ବନ ବିଭାଗ ବିଶେଷ ଧ୍ୟାନ ନ ଦେଲେ ଜଙ୍ଗଲ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ନେଇ ପରିବେଶବିତ ଆଶଙ୍କା କରିଛନ୍ତି।
ଗତ ସୋମବାରଠାରୁ କୋରାପୁଟ ଜିଲାରେ କିଛି ଆଦିବାସୀ ଟିଙ୍ଗିରି ବେଣ୍ଟ ପାଇଁ ଜଙ୍ଗଲକୁ ଯାଇଥିଲେ। ଟିଙ୍ଗିରି ବେଣ୍ଟରେ ପ୍ରଥମେ ଗାଁ କୂଅ, ଜଳାଶୟରୁ ଜଳ ସଂଗ୍ରହ କରାଯାଇଥିଲା। ଚାଳ ଛପର ଘର ଉପରେ ତାହାକୁ ଢଳା ଯାଇଥିଲା। ଛପର ଘର ଉପରୁ ପାଣି ଝିରକୁ ବାଉଁଶ ନଳୀରେ ସଂଗ୍ରହ କରିଥିଲେ। ସେହି ଜଳକୁ ନେଇ ଗାଁ ହୁଣ୍ଡି ଦେବତାଙ୍କ ନିକଟରେ ରଖି ପୂଜାର୍ଚ୍ଚନା କରିଥିଲେ। ପରେ ଜଙ୍ଗଲରୁ ଶିକାର କରି ଆଣିଥିବା ମାଂସକୁ ଅର୍ପଣ କରି ପ୍ରସାଦ ଭାବରେ ବଣ୍ଟନ କରିଥିଲେ। ବଡ଼ ବେଣ୍ଟ ମଙ୍ଗଳବାରଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇଥାଏ। ଏଥିପାଇଁ ଆଦିବାସୀ ଗାଁର ଲୋକେ ବେଣ୍ଟ ଅଭିମୁଖେ ବାହାରିଛନ୍ତି। ପରିବାର ପୁରୁଷମାନେ ବେଣ୍ଟକୁ ବାହାରିବା ବେଳେ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରିଛନ୍ତି। ଜଙ୍ଗଲ ଭିତରେ ପଶି ଶିକାର କରୁଛନ୍ତି। ସାରା ରାତି ବୁଲିବା ପରେ ସକାଳେ ଶିକାର ନ ମିଳିଲେ ବେଣ୍ଟକୁ ଯାଇଥିବା କିଛି ଲୋକ ପ୍ରଥମେ ଜଙ୍ଗଲର ତିନିପଟୁ ନିଆଁ ଲଗାଇ ଦେଇଥାନ୍ତି। ଗରମରେ ଜଙ୍ଗଲ ଜନ୍ତୁ ନିଆଁ ନ ଲାଗିଥିବା ଆଡ଼କୁ ମୁହାଁଇବା ସମୟରେ ବେଣ୍ଟକୁ ଯାଇ ଜଗି ରହିଥିବା ଆଦିବାସୀ ସେମାନଙ୍କୁ ଅତି ସହଜରେ ଶିକାର କରି ଗାଁକୁ ଫେରି ଆସିଥାନ୍ତି। ବନ ବିଭାଗର କର୍ମଚାରୀ ସଚେତନତା ସୃଷ୍ଟି କଲେ ମଧ୍ୟ ବେଣ୍ଟ ପରମ୍ପରାକୁ ବନ୍ଦ କରାଯାଇ ପାରୁନାହିଁ।
ଜୟପୁର ବନାଞ୍ଚଳର ଅନେକ ଜଙ୍ଗଲରେ ନିଆଁ ଲାଗିଛି। ମଙ୍ଗଳବାର ବିଭିନ୍ନ ଜଙ୍ଗଲର ୫ ସ୍ଥାନରେ ନିଆଁ ଲାଗିଥିଲା। ଜୟପୁର ବନାଞ୍ଚଳ ଅଧିକାରୀ ସଚିଦାନନ୍ଦ ପରିଡ଼ା କହିଛନ୍ତି ଯେ, ୨୦୨୪ ଏପ୍ରିଲ ୮ ତାରିଖ ସୁଦ୍ଧା ୫୮ ସ୍ଥାନରେ ନିଆଁ ଲାଗିଥିଲା। ଚଳିତ ବର୍ଷ ଏପ୍ରିଲ ୮ ତାରିଖ ସୁଦ୍ଧା ଜୟପୁର ବନାଞ୍ଚଳରେ ୨୬ଟି ସ୍ଥାନରେ ନିଆଁ ଲାଗିଥିଲା। ଜୟପୁର ବନାଞ୍ଚଳରେ ଜଙ୍ଗଲ ନିଆଁର ସ୍ଥିତି କିଛିଟା ନିୟନ୍ତ୍ରଣରେ ରହିଛି। ବନଖଣ୍ଡରେ ରହିଥିବା ଅନ୍ୟ ବୋରିଗୁମ୍ମା, କୁନ୍ଦୁରା, ବୈପାରିଗୁଡ଼ା ଓ ଗୁପ୍ତେଶ୍ୱର ବନାଞ୍ଚଳରେ ଜଙ୍ଗଲ ନିଆଁର ସ୍ଥିତି ଉଦ୍‌ବେଗଜନକ ରହିଛି। ଅଦ୍ୟାବଧି ବନଖଣ୍ଡର ଛଅଟି ବନାଞ୍ଚଳର ୪୨୭ଟି ସ୍ଥାନରେ ନିଆଁ ଲାଗିଛି। ବନଖଣ୍ଡରେ ଚଳିତ ବର୍ଷ ଅଧିକ ୩ ସ୍ଥାନରେ ନିଆଁ ଲାଗିଛି। ବନଖଣ୍ଡ ଅଧିକାରୀ ପ୍ରତାପ ବେହେରାଙ୍କୁ ପଚାରିବାରୁ ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନତା ପରେ ମଧ୍ୟ ଆଦିବାସୀମାନେ ବେଣ୍ଟ ପରମ୍ପରା ବାହାନାରେ ଜନ୍ତୁ ଶିକାର କରୁଛନ୍ତି। ତାହାକୁ ରୋକିବା ପାଇଁ ଜୟପୁର ବନଖଣ୍ଡର ସମସ୍ତ ଅଧିକାରୀ, କର୍ମଚାରୀ ଓ ପାରାଷ୍ଟାଫ ବହୁ ପରିଶ୍ରମ କରୁଛନ୍ତି। ଜଙ୍ଗଲ ନିଆଁ କମି ଯାଇଛି। କୌଣସି ସ୍ଥାନରେ ଜନ୍ତୁ ଶିକାର ଖବର ପହଞ୍ଚିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବନ ଅଧିକାରୀ, କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଥିବା ଶ୍ରୀ ବେହେରା କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories