ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ କଲେଜ ଛକ ନିକଟରେ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଜୟା ହୋଟେଲ ଠାରୁ ଚାରିପଟକୁ ୧ କିମି ପର୍ଯ୍ୟନ୍ତ ଗତକାଲି ବିଳମ୍ବିତ ରାତ୍ରିରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଜାରି କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡ଼ା, ପିପିଲି ଏସଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ୧୬୩ ଧାରା ଜାରି କରାଯାଇ ଥିବା ଅଞ୍ଚଳରେ ୪ ଜଣରୁ ଅଧିକ ବ୍ୟକ୍ତି ଏକତ୍ରିତ ନ ହେବା ନିମନ୍ତେ ଘୋଷଣା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସତ୍ୟବାଦୀ ଥାନା ଆଇଆଇସି କହିଛନ୍ତି।
ହିନ୍ଦୁ ସେନା ତରଫରୁ ଜୟା ହୋଟେଲ ସମ୍ମୁଖରେ ମଟନ ନାମରେ ଗୋମାଂଶ ବିକ୍ରି ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ, ସଚେତନତା କାର୍ଯ୍ୟକ୍ରମ, ଏହି ଜଘନ୍ୟ ଓ ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଅପରାଧୀ ମାନଙ୍କୁ ଗିରଫ ଓ ଜୟା ହୋଟେଲକୁ ଭାଙ୍ଗିଦେବା ନିମନ୍ତେ ଦାବୀ କରାଯିବ ଓ ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ କରାଯିବ ବୋଲି ପୂର୍ବରୁ ଘୋଷଣା କରା ଯାଇଥିଲା।



