ଡ଼େସ୍କ: ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଅଧ୍ୟକ୍ଷ ଆକାଶ ଅମ୍ବାନୀ କୃତ୍ରିମ ବୁଦ୍ଧିମତାକୁ ଏହି ପିଢ଼ିର ସବୁଠାରୁ ବଡ ପରିବର୍ତ୍ତନ ବୋଲି ବର୍ଣ୍ଣନା କରିଛନ୍ତି। ଜିଓ ୱାର୍ଲ୍ଡ ସେଣ୍ଟରରେ ‘ମୁମ୍ବାଇ ଟେକ୍ ସପ୍ତାହ ୨୦୨୫’ ଅବସରରେ ଆକାଶ ଅମ୍ବାନୀ ଏହା କହିଛନ୍ତି। ସେ କହିଛନ୍ତି ଯେ ଏଆଇ ଭାରତର ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ୍ ଭାବରେ ପ୍ରମାଣିତ ହେବ, ଯାହା ଆଗାମୀ କିଛି ବର୍ଷରେ ଦେଶକୁ ୧୦ ପ୍ରତିଶତ କିମ୍ବା ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାର ହାସଲ କରିବାରେ ସକ୍ଷମ କରିବ। ଡ୍ରିମ୍ ଇଲେଭେନ ସିଇଓ ହର୍ଷ ଜୈନଙ୍କ ସହ ଫାୟାରସାଇଡ ବାର୍ତ୍ତାଳାପରେ ଭାଗନେଇ ଆକାଶ ଅମ୍ବାନୀ ଭବିଷ୍ୟତ ପାଇଁ ଏଆଇକୁ ମହତ୍ୱପୂର୍ଣ୍ଣ ବୋଲି କହିଥିଲେ।
ଏହି ଅବସରରେ ଆକାଶ ଅମ୍ବାନୀ କହିଛନ୍ତି ଯେ ତାଙ୍କ କମ୍ପାନୀ ଏଆଇ କ୍ଷେତ୍ରରେ ମାର୍ଗଦର୍ଶନ କରିବା ପାଇଁ ୧ ହଜାରରୁ ଅଧିକ ଡାଟା ବୈଜ୍ଞାନିକ, ଅନୁସନ୍ଧାନକାରୀ ଏବଂ ଇଞ୍ଜିନିୟରଙ୍କ ଏକ ଟିମ୍ ଗଠନ କରିଛି। କମ୍ପାନୀ ଜାମନଗରରେ ଏକ ଗିଗାୱାଟ କ୍ଷମତା ଡାଟା ସେଣ୍ଟର ମଧ୍ୟ ନିର୍ମାଣ କରୁଛି ଯାହା ଦେଶର ଏଆଇକୁ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ କମ୍ପାନୀ ଗ୍ରାଫିକ୍ ପ୍ରସେସିଂ ୟୁନିଟ୍ (ଜିପିୟୁ) ପାଇଁ ମଧ୍ୟ ମଧ୍ୟ ବିଚାର କରୁଥିବା ସେ କହିଛନ୍ତି।
ଜିଓ ଚେୟାରମ୍ୟାନ୍ କହିଛନ୍ତି ଯେ ଭାରତରେ ଏଆଇକୁ ଆଗକୁ ନେବାକୁ ହେଲେ ତିନୋଟି ମୌଳିକ କ୍ଷେତ୍ର – କୃତ୍ରିମ ବୁଦ୍ଧିମତା ଭିତ୍ତିଭୂମି, ଅନୁସନ୍ଧାନ ଓ ବିକାଶ ଏବଂ କୁଶଳୀ ପ୍ରତିଭା ଉପରେ ଧ୍ୟାନ ଦେବାକୁ ପଡିବ। ଭାରତରେ ଡିଜିଟାଲ୍ ଏବଂ କୃତ୍ରିମ ବୁଦ୍ଧିମତା ଭିତ୍ତିଭୂମି ବିକାଶରେ କ୍ରମାଗତ ନିବେଶର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।



