www.samajalive.in
Monday, December 8, 2025
24.1 C
Bhubaneswar

୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ସିବିଏସ୍‌ଇ ଦଶମ ପରୀକ୍ଷା

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୦୨୬ରୁ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ ସୁପାରିସ କରିଛି। ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ହୋଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ସିବିଏସଇ। ବସ୍ତାନୀ ବୋଝ ଏବଂ ପରୀକ୍ଷା ଚାପ ବିଦ୍ୟାର୍ଥୀଙ୍କ ଉପରେ ପଡୁଥିବାରୁ ଏହାକୁ ଆଗକୁ ହ୍ରାସ କରିବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ସିବିଏସଇ ଯାଉଛି। କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସମ୍ବନ୍ଧରେ ଆଲୋଚନା ହୋଇଛି।
ସିବିଏସଇ ଦଶମ ପରୀକ୍ଷା ଦୁଇଥର କରିବାକୁ ନେଇ ଚିଠାନୀତି ପ୍ରସ୍ତୁତ କରାଯିବ। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷାବିତ୍‌ ଏବଂ ସାଧାରଣ ନାଗରିକ ସିବିଏସଇ ୱେବସାଇଟ୍‌ www.cbse.gov.inକୁ ଲଗିନ୍ କରି ନିଜର ମତାମତ ମାର୍ଚ୍ଚ ୯ସୁଦ୍ଧା ପ୍ରେରଣ କରିପାରିବେ। ବିଭିନ୍ନ ସୋପାନରୁ ଆସିଥିବା ମତାମତକୁ ସିବିଏସଇ ବିଚାର କରି ଦୁଇଟି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ମଙ୍ଗଳବାର ସିବିଏସଇ ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇଛି। ଶିକ୍ଷାବର୍ଷ ୨୦୨୬ରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଫେଜ୍ ଫେବୃଆରୀ ୧୭ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ। ଏହି ଫେଜ୍‌ର ପରୀକ୍ଷା ଫଳ ଏପ୍ରିଲ ୨୦ରେ ପ୍ରକାଶ ପାଇବ। ଦ୍ବିତୀୟ ଫେଜ୍ ପରୀକ୍ଷା ମେ ୫ରୁ ମେ ୨୦ ପର୍ଯ୍ୟନ୍ତ ଚାଲିବ। ଜୁନ ୩୦ ସୁଦ୍ଧା ଦ୍ବିତୀୟ ଫେଜ୍ ପରୀକ୍ଷା ଫଳ ପ୍ରକାଶ କରାଯିବ। ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧୫ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୧୫ସୁଦ୍ଧା ଏହାର ଫଳ ପ୍ରକାଶ କରାଯିବ। ଏହି ପରୀକ୍ଷା ୨୬ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ଦେବା ନିମନ୍ତେ ନାମ ପଞ୍ଜୀକରଣ କରିବାର ସମ୍ଭାବନା ରହିଛି। ପ୍ରଥମ ଫେଜ୍ ପରୀକ୍ଷା ୧୮ଦିନ ଏବଂ ଦ୍ବିତୀୟ ଫେଜ୍‌ରେ ୧୬ଦିନ ଏହିପରି ମୋଟ ୩୪ଦିନ ପରୀକ୍ଷା ଚାଲିବ। ପ୍ରାୟ ୧ କୋଟି ୭୨ ଲକ୍ଷ ୯୦ହଜାର ପ୍ରଶ୍ନପତ୍ର ମୂଲ୍ୟାୟନ କରାଯିବା ସମ୍ଭାବନା ରହିଛି। ୨୦୨୬ରେ ଦଶମ ଶ୍ରେଣୀରେ ୨୬.୬୦ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ଦ୍ବାଦଶରେ ୨୦ଲକ୍ଷ ବିଦ୍ୟାର୍ଥୀ ପରୀକ୍ଷା ଦେଇପାରନ୍ତି। ଉଭୟ ପରୀକ୍ଷା ପାଠ୍ୟଖସଡା ଅନୁସାରେ କରାଯିବ। ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ହିନ୍ଦୀ, ଇଂରାଜୀ ବିଷୟକୁ ଛାଡି ଦେଲେ ଅନ୍ୟାନ୍ୟ ବିଷୟ ପରୀକ୍ଷା ଆଞ୍ଚଳିକ ଏବଂ ବୈଦେଶିକ ଭାଷା ଗ୍ରୁପ୍‌ରେ କରାଯିବ। ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ହିନ୍ଦି, ଇଂରାଜୀ ପରୀକ୍ଷା ପରିଷଦ ଦ୍ବାରା ଘୋଷିତ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ। ଆଞ୍ଚଳିକ ଓ ବୈଦେଶିକ ଭାଷା ଗ୍ରୁପ୍‌ରେ ଥିବା ବିଷୟ ପରୀକ୍ଷା ନିର୍ଦିଷ୍ଟ ଭାବେ ଗୋଟିଏ ଦିନରେ କରାଯିବ। ଏହି ଯୋଜନା ଦ୍ବାରା ଛାତ୍ରଛାତ୍ରୀଙ୍କ ପାଠ ବୋଝ ହ୍ରାସ ପାଇବା ସହିତ ପରୀକ୍ଷା ଚାପ ଚିନ୍ତା ଦୂର ହେବ। କ୍ରୀଡା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଏହି ଯୋଜନା ଲାଗୁ କରାଯିବା ଦ୍ବାରା ଦୁଇଟି ଭିତରୁ ଗୋଟିଏରେ କ୍ରୀଡା ବିଦ୍ୟାର୍ଥୀ ପରୀକ୍ଷା ଦେଇପାରିବେ। ପ୍ରଥମ ଫେଜ୍ ପରୀକ୍ଷା କେନ୍ଦ୍ର ଓ ଦ୍ବିତୀୟ ଫେଜ୍ ପରୀକ୍ଷା କେନ୍ଦ୍ର ସମାନ ରହିବ। ପଞ୍ଜୀକରଣ ସମୟରେ ଛାତ୍ରଛାତ୍ରୀଙ୍କୁ ଦୁଇଟି ଫେଜ୍‌ର ପରୀକ୍ଷା ଫି. ଗୋଟିଏ ଥରରେ ଜମା କରିବାକୁ ପଡିବ। ପ୍ରାକ୍ଟିକାଲ/ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ଗୋଟିଏ ଥର ଅନୁଷ୍ଠିତ ହେବ। ପ୍ରଥମ ଫେଜ୍ ପରୀକ୍ଷାରେ ମାର୍କ ସିଟ୍‌ ଏବଂ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଦିଆଯିବାକୁ ଥିବାବେଳେ ଦ୍ବିତୀୟ ପରୀକ୍ଷା ଫଳ ପ୍ରକାଶରେ ପ୍ରାକ୍ଟିକାଲ/ଇଣ୍ଟରନାଲ ଆସେସମେଣ୍ଟ ମାର୍କକୁ ମିଶାଇ ଗ୍ରେଡ ଏବଂ ମାର୍କ ଆଭରେଜ୍ ଉତ୍ତୀର୍ଣ୍ଣ ପ୍ରମାଣପତ୍ରରେ ଉଲ୍ଲେଖ କରାଯିବ। ଛାତ୍ରଛାତ୍ରୀ ପ୍ରଥମ ଫେଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ ଦ୍ବିତୀୟ ଫେଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ମାର୍କକୁ ଆଧାର କରି ଏକାଦଶ ଶ୍ରେଣୀରେ ନାମଲେଖାଇ ପାରିବ। ଦ୍ବିତୀୟ ଫେଜ୍ ପରୀକ୍ଷା ପରେ ଛାତ୍ରଛାତ୍ରୀଙ୍କୁ ମେରିଟ୍‌ ପ୍ରମାଣପତ୍ର ଦିଆଯିବ; କିନ୍ତୁ ଏଥିରେ ୫ଟି ବିଷୟରେ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ପ୍ରଥମ ପରୀକ୍ଷାରେ ବିଦ୍ୟାର୍ଥ ୧ରୁ ୫ ବିଷୟରେ ଅକୃତକାର୍ଯ୍ୟ ହେଲେ ପାଠପଢି ଦ୍ବିତୀୟ ଫେଜ୍ ପରୀକ୍ଷାରେ ନିଜର ସଫଳତା ହାସଲ କରିପାରିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories