ସମାଜ ଡିଜିଟାଲ ଡେସ୍କ: ଘର ଅପରିଷ୍କାର ହେବା ଏକ ସାଧାରଣ କଥା। କିନ୍ତୁ ଏହାକୁ ଜଣେ ମହିଳା ସ୍ବାମୀଙ୍କ ସହିତ ଝଗଡ଼ା କରି ଦୁଇ ଝିଅଙ୍କ ସହ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯାହାଫଳରେ ଗୋଟିଏ ଝିଅର ମୃତ୍ୟୁ ଘଟିଥିବାବେଳେ ମା’ ଏବଂ ଅନ୍ୟ ଝିଅଟି ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଘଟଣାଟି ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ କୋତୱାଲି ସହରର ସ୍ବରାଜ କଲୋନୀରେ ଘଟିଛି। ଏଠାରେ ରହୁଥିବା ରାଜେଶ ସବିତା ହୋଟେଲ ଚଳାଇ ପରିବାର ପୋଷଣ କରନ୍ତି। ତାଙ୍କର ୪ ସନ୍ତାନ ମଧ୍ୟରୁ ବଡ଼ ଝିଅର ବିବାହ ସରିଛି। ତାଙ୍କ ପତ୍ନୀ ମାଲା ସବିତା ଗତ ଗୁରୁବାର ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ତାଙ୍କ ସହିତ ୨ ଝିଅ ଯାଇଥିଲେ। ଶୁକ୍ରବାର ସେ ଘରକୁ ଫେରିଥିବା ବେଳେ ଘରେ ବିଭିନ୍ନ ସାମଗ୍ରୀ ଏପଟସେପଟ ହୋଇପଡ଼ିଥିଲା ଏବଂ ଘର ଅପରିଷ୍କାର ରହିଥିଲା। ଏହାକୁ ନେଇ ସ୍ବାମୀଙ୍କ ସହିତ ଝଗଡ଼ା ହୋଇଥିଲା। ସ୍ବାମୀ ହୋଟେଲ ଚଳାଇବେ ନା ଘର ସଫା କରିବେ ବୋଲି ଜବାବ ଦେଇଥିଲେ। ସ୍ବାମୀଙ୍କ କଥାରେ ରାଗିଯାଇ ମାଲା ନିଜର ୨ ଝିଅଙ୍କ ସହିତ ବିଷ ପିଇ ଦେଇଥିଲେ। ଦେହ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୋଟିଏ ଝିଅର ମୃତ୍ୟୁ ଘଟିଛି।



