www.samajalive.in
Sunday, December 14, 2025
23.1 C
Bhubaneswar

ଉଦ୍‌‌ଘାଟନକୁ ୧୦ମାସ ପୁରିଲା, ୯୨ଲକ୍ଷ ଟଙ୍କାର ପ୍ରକଳ୍ପରେ ତାଲା ଝୁଲୁଛି

ପିପିଲି: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପିପିଲି ବ୍ଲକ କାର୍ଯ୍ୟାଳୟ ପରିସରରେ ୯୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଗ୍ରାମୀଣ ମହିଳା ଓ ଯୁବ ସଶକ୍ତିକରଣ କେନ୍ଦ୍ର। ଏହି କେନ୍ଦ୍ରର ଉଦ୍‌‌ଘାଟନକୁ ଇତିମଧ୍ୟରେ ସାଢେ ୧୦ମାସ ଅତିକ୍ରମ କରିଛି। ପୁରୀ ଜିଲାର ଗ୍ରାମୀଣ ଯୁବବର୍ଗ ଓ ମହିଳାମାନଙ୍କୁ ସ୍ୱାବଲମ୍ବି କରିବାର ମହତ ଉଦ୍ଦେଶ୍ୟ ନେଇ ନିର୍ମାଣ କରାଯାଇଥିବା ଏହି କେନ୍ଦ୍ରଟି ଉଦ୍‌‌ଘାଟନ ହେବା ପରଠାରୁ ବନ୍ଦ ହୋଇ ପଡ଼ିରହିଛି। ଫଳରେ ଅଦ୍ୟାବଧି ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଯାହାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି।

ପୁରୀ ଜିଲାର ଗ୍ରାମାଞ୍ଚଳର ଶିକ୍ଷିତ ବେରୋଜଗାର ଯୁବକ, ଯୁବତୀ ଓ ମହିଳାଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବି କରିବାର ମହତ ଉଦ୍ଦେଶ୍ୟ ନେଇ ଜିଲା ପ୍ରଶାସନ ପକ୍ଷରୁ ପିପିଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଗତ ୨୦୨୩ ମସିହା ସେପ୍ଟେମ୍ବର ୨୫ ତାରିଖରେ ଗ୍ରାମୀଣ ମହିଳା ଓ ଯୁବ ସଶକ୍ତିକରଣ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଉକ୍ତ କେନ୍ଦ୍ରରେ ଗ୍ରାମାଞ୍ଚଳର ଶିକ୍ଷିତ ବେରୋଜଗାର ଯୁବକ, ଯୁବତୀମାନଙ୍କୁ ମାଗଣାରେ କଂପୁଟର ତାଲିମ ପ୍ରଦାନ କରାଯିବା ସହିତ ଗ୍ରାମାଞ୍ଚଳର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱାବଲମ୍ବି କରାଇବା ପାଇଁ ବିଭିନ୍ନ ତାଲିମ ପ୍ରଦାନ କରାଯିବାର ଯୋଜନା ରହିଥିଲା। ଜିଲାର ଏସ୍‌‌ଏଚ୍‌‌ଜି ମହିଳା ମାନଙ୍କୁ ବିଭିନ୍ନ ଉତ୍ପାଦ ସଂପର୍କରେ ଉପଯୁକ୍ତ ଭାବେ ତାଲିମ ପ୍ରଦାନ କରାଯିବା ସହ ସେଠାରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପ୍ରସ୍ତୁତି ଶୈଳୀ ଓ ପ୍ରଦର୍ଶନୀ କରାଯିବା ପାଇଁ ଯୋଜନା ରହିଥିଲା। ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଗୁଡିକୁ ଅନ୍‌‌ଲାଇନ୍‌‌ରେ ବିକ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ମଧ୍ୟ ଯୋଜନା ରହିଥିଲା। ଏଥିପାଇଁ ୨.୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୯୨ ଲକ୍ଷ ଟଙ୍କା ବ୍ୟୟରେ ଏହି କେନ୍ଦ୍ରର କୋଠା ନିର୍ମାଣ କରାଯାଇଥିଲା। ଉକ୍ତ କୋଠାକୁ ଗତ ୨୦୨୪ ମସିହା ମାର୍ଚ୍ଚ ୧୫ ତାରିଖ ଦିନ ତତ୍କାଳୀନ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଉଦ୍‌‌ଘାଟନ କରିଥିଲେ। ଏହା ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଏହି କେନ୍ଦ୍ରର ଭାଗ୍ୟ ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିବା କୁହାଯାଉଛି। ଉଦ୍‌‌ଘାଟନ ପରଠାରୁ ଏହି କେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ବ୍ଲକ ପରିସରରେ ବିପଦସଙ୍କୁଳ ଅବସ୍ଥାରେ ଥିବା ପରିତ୍ୟକ୍ତ ସରକାରୀ ବାସଗୃହଗୁଡିକ ଭଙ୍ଗାଯାଇ ସେହି ସ୍ଥାନରେ ଏହି ସଶକ୍ତିକରଣ କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରାୟ ୪ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ବିରାଟ କୋଠାଘର ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏହି କେନ୍ଦ୍ରଟି ଅଦ୍ୟାବଧି ଲୋକଙ୍କ ସେବାରେ ଲାଗିନପାରିବାର ପ୍ରକୃତ କାରଣ ସଂପର୍କରେ ଅଞ୍ଚଳବାସୀ କିଛି ଜାଣିପାରୁନଥିଲେ ମଧ୍ୟ ଅଜସ୍ର ଅର୍ଥ ବ୍ୟୟରେ ନିର୍ମିତ ଏହି କେନ୍ଦ୍ରର ପ୍ରକୃତ ଉଦ୍ଦେଶ୍ୟ ସାଧନ ଦିଗରେ ଧ୍ୟାନ ଦିଆଯିବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ପୁରୀ ଜିଲାର ଶିକ୍ଷିତ ବେରୋଜଗାର ଯୁବକ, ଯୁବତୀ ଓ ଏସ୍‌‌ଏଚ୍‌‌ଜି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସରକାରୀ ସହଯୋଗ ମାଧ୍ୟମରେ ସେମାନଙ୍କୁ ଅଧିକ ସଶକ୍ତ କରିବାର ମହତ ଉଦ୍ଦେଶ୍ୟ ନେଇ ଖୋଲାଯାଇଥିବା ଏହି କେନ୍ଦ୍ରର ଭବିଷ୍ୟତ କଣ ହେବ ତାହା ସମୟ କହିବ। ତେବେ ଏହି କେନ୍ଦ୍ରର ବାକି ଥିବା ଅନ୍ୟ କିଛି କାର୍ଯ୍ୟ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଜିଲା ସ୍ତରୀୟ ଅଧିକାରୀଙ୍କ ସହ ଯୋଗଯୋଗ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପିପିଲି ବିଡିଓ ସରୋଜ କୁମାର ରାଉତ ପ୍ରକାଶ କରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories