www.samajalive.in
Monday, December 15, 2025
16.1 C
Bhubaneswar

ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ବେ ପିପିଲି ବଜାର ଦେଇ ଯାଉନି ବସ୍‌‌

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ପିପିଲିଠାରେ ବାଇପାସ୍‌‌ ରାସ୍ତା ନିର୍ମାଣ ହେବା ପରଠାରୁ ଅଧିକାଂଶ ଯାତ୍ରୀବାହୀ ବସ୍‌‌ ନିୟମ ଖିଲାପ କରି ପିପିଲି ବଜାର ଦେଇ ଯାଉନାହିଁ। ଫଳରେ ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଯାତ୍ରୀମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ଅଧିକାଂଶ ଯାତ୍ରୀବାହୀ ବସ୍‌‌ ଓ ସିଟି ବସ୍‌ଗୁଡିକ ବାଇପାସ୍‌‌ ରାସ୍ତା ଦେଇ ଚଳାଚଳ କରିବା ଫଳରେ କଟକ, ଭୁବନେଶ୍ୱର, ପୁରୀ, ନିମାପଡ଼ା, କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ଆଦି ଅଞ୍ଚଳକୁ ଯିବା ଲାଗି ପିପିଲି ଅଞ୍ଚଳର ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ସମେତ ଶ୍ରମିକ, ରୋଗୀ, ଶିଶୁ, ବୟସ୍କ ବ୍ୟକ୍ତି ଓ ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିପିଲି ବଜାର ମଧ୍ୟ ଦେଇ ଗାଡି ଚଳାଚଳ ନ କରିବା ଫଳରେ ପିପିଲି ଟୋଲଗେଟ୍‌‌ ଛକ, ବାଇପାସ ରାସ୍ତାର ତରାକାଜ ଓଭରବ୍ରିଜ ଛକ ଓ ଦାଣ୍ଡମୁକୁନ୍ଦପୁର ନିକଟ ଭୋଗୁଆବାଙ୍କ ଛକଠାରେ ଯାତ୍ରୀମାନଙ୍କୁ ବସ୍‌ଗୁଡିକ ଓହ୍ଲାଇ ଦେଉଛନ୍ତି। ଫଳରେ ସେମାନେ ପିପିଲି ବଜାରକୁ ଆସିବା ପାଇଁ ନାନା ସମସ୍ୟା ଭୋଗୁଥିବାବେଳେ ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଏପରିକି ରାତି ସମୟରେ ଯାତ୍ରୀମାନେ ଏକୁଟିଆ ବାଇପାସ ରାସ୍ତାରୁ ପିପିଲି ବଜାରକୁ ଆସିବାକୁ ନିରାପଦ ମଣୁନଥିବା ଜଣାଯାଇଛି। ଓଡ଼ିଶା ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶ ସତ୍ତ୍ବେ ପୁରୀରୁ ଭୁବନେଶ୍ୱର ଓ କଟକ ଏବଂ କଟକ ଓ ଭୁବନେଶ୍ୱରରୁ ପୁରୀ, ନିମାପଡ଼ା, କୋଣାର୍କ, କାକଟପୁର, ଅସ୍ତରଙ୍ଗ ଆଦି ଅଞ୍ଚଳକୁ ଯାଉଥିବା ବସ୍‌‌ ଗୁଡିକ ପିପିଲି ବଜାର ମଧ୍ୟ ଦେଇ ନଯିବା ଘଟଣାକୁ ନେଇ ଓଡ଼ିଶା ମାନବିକ ଅଧିକାର କମିଶନ କ୍ଷୋଭ ପ୍ରକାଶ କରିଛନ୍ତି।

ପିପିଲି ବଜାର ମଧ୍ୟ ଦେଇ ବସ୍‌‌ ଗୁଡିକ ଯିବା ଲାଗି ରୁଟ୍‌‌ ପରମିଟ୍‌‌ ଥିବାରୁ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପରିବହନ କମିଶନର ଓ ପୁରୀ ଜିଲାପାଳଙ୍କୁ ନୋଟିସ୍‌‌ ଜାରି କରିଛନ୍ତି କମିଶନ। ସ୍ଥାନୀୟ କଂଗ୍ରେସ ନେତା ଆଡ୍‌‌ଭୋକେଟ୍‌‌ ନିଶିକାନ୍ତ ମିଶ୍ରଙ୍କ ପିଟିସନ୍‌‌ ଆଧାରରେ ମାନବାଧିକାର କମିଶନଙ୍କ ଅଧ୍ୟକ୍ଷ ଜଷ୍ଟିସ ଏସ୍‌‌. ପୂଜାହାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ ସ୍ୱରୂପ ପିପିଲି ବଜାର ଦେଇ ଯିବାଲାଗି ପରମିଟ୍‌‌ ପାଇଥିବା ବସ୍‌‌ଗୁଡିକ ଯେପରି ପିପିଲି ବଜାର ଦେଇ ଯାଆନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଅପ୍ରେଲ ୭ ତାରିଖରେ ହେବାକୁ ଥିବା ବେଳେ ଏହାପୂର୍ବରୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଉଭୟ ପରିବହନ କମିଶନର ଓ ପୁରୀ ଜିଲାପାଳଙ୍କୁ କମିଶନ ନିର୍ଦ୍ଦେଶ ଦେଇଥିବା ସଂପର୍କରେ ପିପିଲି ହାଟଛକଠାରେ ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ କଂଗ୍ରେସ ନେତା ଆଡ୍‌‌ଭୋକେଟ୍‌‌ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

- Advertisement -

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ପିପିଲି ଠାରେ ବାଇପାସ୍‌‌ ରାସ୍ତା ନିର୍ମାଣ ହେବା ପରଠାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକାଂଶ ଯାତ୍ରୀବାହୀ ବସ୍‌‌ ନିୟମ ଖିଲାପ କରି ପିପିଲି ବଜାର ଦେଇ ଯିବା ପରିବର୍ତ୍ତେ ବାଇପାସ ରାସ୍ତାରେ ଯିବା ଫଳରେ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସ୍ଥାନୀୟ କଂଗ୍ରେସ ନେତା ଆଡ୍‌‌ଭୋକେଟ୍‌‌ ନିଶିକାନ୍ତ ମିଶ୍ର ଏହି ଘଟଣାକୁ ନେଇ ଗତ ୧୦ବର୍ଷ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି। କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କଠାରୁ ଆରମ୍ଭ କରି ପରିବହନ କମିଶନ, ପୁରୀ ଜିଲାପାଳ ଓ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଏ ସଂପର୍କରେ ସେ ଅଭିଯୋଗ କରିଥିଲେ। ଗତ ୨୦୧୬ ମସିହାରେ ଶ୍ରୀ ମିଶ୍ର ଓଡ଼ିଶା ମାନବିକ ଅଧିକାର କମିଶନଙ୍କ ନିକଟରେ ଏକ ମାମଲା ଦାୟର କରିଥିଲେ। କମିଶନଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନିକ ଅଧିକାରୀମାନେ ତତ୍ପରତାର ସହ ପଦକ୍ଷେପ ନେବାରୁ ସେସମୟରେ ପିପିଲି ବଜାର ମଧ୍ୟ ଦେଇ କିଛିଦିନ କାଳ ଯାତ୍ରୀବାହୀ ବସ୍‌‌ଗୁଡିକ ଚଳାଚଳ କରିଥିଲା। ଜିଲାପାଳ ଏ ସଂପର୍କରେ ରିପୋର୍ଟ ଦେବାପରେ କମିଶନ ସେହି ମାମଲାକୁ ଗତ ତା.୧୫-୦୧-୨୦୧୮ରେ ବନ୍ଦ କରିଦେଇଥିଲେ। ସେହିଦିନଠାରୁ କିଛି ମାସ ପର୍ଯ୍ୟନ୍ତ ବସ୍‌ଗୁଡିକୁ ପିପିଲି ବଜାର ମଧ୍ୟ ଦେଇ ଚଳାଚଳ କରିଥିବାବେଳେ ପରବର୍ତ୍ତୀ ସମୟରେ ଅଧିକାଂଶ ବସ୍‌‌ ପୂର୍ବପରି ପିପିଲି ବଜାର ପରିବର୍ତ୍ତେ ପିପିଲି ବାଇପାସ ରାସ୍ତା ଦେଇ ଚଳାଚଳ କରୁଛନ୍ତି। ଫଳରେ ସାଧାରଣ ଲୋକେ ନାନା ହଇରାଣ ହେଉଛନ୍ତି। ଏ ସଂପର୍କରେ ଏବେ ପୁଣି ଥରେ ଶ୍ରୀ ମିଶ୍ର ଓଡ଼ିଶା ମାନବିକ ଅଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯାତ୍ରୀବାହୀ ବସ୍‌‌ଗୁଡିକ ପିପିଲି ବଜାର ଦେଇ ନଯିବା ଫଳରେ ଯାତ୍ରୀମାନେ ବିଶେଷ କରି ବୟସ୍କ ବ୍ୟକ୍ତି, ରୋଗୀ, ମହିଳା, ଶିଶୁ ଓ ଛାତ୍ରଛାତ୍ରୀମାନେ ହଇରାଣ ହେଉଛନ୍ତି। ଏହି ମାମଲାର ଶୁଣାଣି କରି ପରିବହନ କମିଶନର ଓ ପୁରୀ ଜିଲାପାଳଙ୍କୁ କମିଶନ ନୋଟିସ ଜାରି କରିଥିବା ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମିଶ୍ର ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ସେକ୍‌‌ ମେହେବୁବ, ବିଶ୍ୱରଞ୍ଜନ ମିଶ୍ର, ପ୍ରଶାନ୍ତ ଜେନା, ରମାକାନ୍ତ ବେହେରା, ଏସ୍‌‌କେ ଫିରୋଜ, ସୁରେନ୍ଦ୍ର କୁମାର ସେଠୀ, ଏମ୍‌‌ଡି ଇମ୍‌‌ତିୟାଜ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories