www.samajalive.in
Friday, December 5, 2025
26.1 C
Bhubaneswar

‘ଓଡ଼ିଶା ଦେଶର ଇସ୍ପାତ ରାଜଧାନୀ’: ଆଜି ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀର ଦ୍ଵିତୀୟ ଦିନ

ଭୁବନେଶ୍ବର/କୋଣାର୍କ : ଓଡ଼ିଶାରେ ରହିଛି ଭରପୂର ପ୍ରାକୃତିକ ସମ୍ବଳ। ମାଟି ଆମର ରତ୍ନଗର୍ଭା। ଓଡ଼ିଶାରେ ଲିଥିୟମ ଖଣି ମିଳିବା ଇ-ବ୍ୟାଟେରୀ ଶିଳ୍ପ ପାଇଁ ଏକ ଶୁଭ ଖବର। ତେବେ ପରିବେଶ ସୁରକ୍ଷା ଦୃଷ୍ଟିରେ ଆମକୁ ଖଣିଜ ସମ୍ପଦର ନିରନ୍ତର ବ୍ୟବହାର ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ପଡ଼ିବ। ତେଣୁ ଆମକୁ ରପ୍ତାନୀଭିତ୍ତିକ ଅର୍ଥନୀତି ବଦଳରେ ବ୍ୟବହାର ଉପଯୋଗୀ ଅର୍ଥନୀତି ପାଇଁ ରାସ୍ତା ବାହାର କରିବାକୁ ପଡ଼ିବ ବୋଲି ତୃତୀୟ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଏହି ସମ୍ମିଳନୀ ସୋମବାର କୋଣାର୍କଠାରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଖଣିଜ ସମ୍ପଦ ଭରପୂର ରାଜ୍ୟ ଓଡ଼ିଶାରେ ଖଣିମନ୍ତ୍ରୀଙ୍କ ସମ୍ମିଳନୀ ହେବା ଖୁବ୍ ଗୁରୁତ୍ବପୂର୍ଣ୍ଣ। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ସପ୍ତା‌ହେ ସମୟ ରହିଥିବାବେଳେ ଏହି ସମ୍ମିଳନୀ ଆୟୋଜନର ଅଧିକ ତାତ୍ପର୍ଯ୍ୟ ରହିଛି। ଦେଶରେ ବ୍ୟବହୃତ ସମସ୍ତ ଖଣିଜ ସମ୍ପଦର ଦୁଇ-ତୃତୀୟାଂଶ ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରୁ ମିଳିଥାଏ। ଏହି ତିନି ରାଜ୍ୟ ଦେଶର ପୂର୍ବ ଭାଗରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ବିକାଶ କଥା ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଏହି ତିନି ରାଜ୍ୟର ପ୍ରମୁଖ ଭୂମିକା ରହିବ। ବିଶେଷ କରି ଓଡ଼ିଶା ଏହାର ‌ନେତୃତ୍ଵ ନେବ। ଓଡ଼ିଶାକୁ ଭାରତର ଇସ୍ପାତ ରାଜଧାନୀ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶର ମୋଟ ଉତ୍ପାଦର ୨୫ ପ୍ରତିଶତ ଓଡ଼ିଶାର। ୨୦୩୦ ସୁଦ୍ଧା ଏହା ଆହୁରି ବୃଦ୍ଧି ପାଇବ। ରାଜ୍ୟ‌ରେ ଶିଳ୍ପ ବିକାଶ ପାଇଁ ସରକାର ଅନେକ ନିବେଶ ଅନୁକୂଳ ପଦକ୍ଷେପ ଏବଂ ଯୋଜନା ହାତକୁ ନେଇଛନ୍ତି। ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ଶିଳ୍ପ ଅନୁକୂଳ ନୀତି ଗ୍ରହଣ କରିଥିଲେ। ସେଥିପାଇଁ ଅନେକ ଶିଳ୍ପ ସଂସ୍ଥାରୁ ପୁଞ୍ଜି ନିବେଶ ନେଇ ପ୍ରସ୍ତାବ ଆସିଥିବାବେଳେ ୮ଟି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଶିଳ୍ପାୟନ ସହିତ ପରିବେଶ ସୁରକ୍ଷାର ଗୁରୁତ୍ବ ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ସବୁଜ ବୈଷୟିକ ଜ୍ଞାନ ଏବଂ ଅକ୍ଷୟ ଶକ୍ତିର ଉପଯୋଗ କରି ସବୁଜ ଶିଳ୍ପାୟନ ଉପରେ ସେ ଗୁରୁତ୍ବାରୋପ କରିଥିଲେ। ୨୦୩୦ ସୁଦ୍ଧା ଭାରତ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କରିପାରିବ। ଭାରତ ଏବେ ୨୦% ଶକ୍ତି ଉତ୍ପାଦନ ସୌରଶକ୍ତି ମାଧ୍ୟମରେ କରୁଛି। ଆଗାମୀ ଦିନରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଶିଳ୍ପ ଅନୁକୂଳ ଭିତ୍ତିଭୂମି ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ୍ ପରି ନୀତି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଏହାସହିତ ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଥିବାରୁ ଓଡ଼ିଶାର ଶିଳ୍ପ ବିକାଶ ବିଶ୍ବସ୍ତରୀୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ତିନିଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ କୋଣାର୍କ ଇକୋ ରିଟ୍ରିଟ ମହୋତ୍ସବ ସମ୍ମେଳନ କକ୍ଷଠାରେ ଚାଲିଥିବାବେଳେ ଏଥିରେ କେନ୍ଦ୍ରୀୟ କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଉପସ୍ଥିତ ରହିଛନ୍ତି। ବୁଧବାର ଅପରାହ୍ଣରେ ଏହା ଉଦ୍‌ଯାପିତ ହେବ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଡ. ବିଭୁପ୍ରସାଦ ତରାଇ, ଛତିଶଗଡ ଓ ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ତେଲଙ୍ଗାନା, ତାମିଲନାଡୁ ସମେତ ୧୧ଟି ରାଜ୍ୟର ଖଣିମନ୍ତ୍ରୀ, ଶିଳ୍ପପତି, ଖଣି ମନ୍ତ୍ରଣାଳୟର ଅଧିକାରୀ, ବିଭିନ୍ନ ରାଜ୍ୟର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ରାଜ୍ୟରେ ଗଚ୍ଛିତ ଖଣିଜସମ୍ପଦର ସଦୁପଯୋଗ କରି ବେକାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାକୁ ବିଭିନ୍ନ ରାଜ୍ୟର ଖଣିମନ୍ତ୍ରୀ ଓ ସଚିବଙ୍କୁ ଆହ୍ବାନ ଦେଇଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories