www.samajalive.in
Saturday, December 6, 2025
17.1 C
Bhubaneswar

ରୋଗୀ ସେବାରେ ଆସୁନି ଧରଣୀଧର ଭେଷଜ ଚିକିତ୍ସାଳୟ, ଭିତ୍ତିଭୂମି ଓ ଡାକ୍ତର ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନି ଅନ୍ତଃବିଭାଗ ଓ ଆଇସିୟୁ

କେନ୍ଦୁଝରଗଡ଼଼ : ଆଦିବାସୀବହୁଳ କେନ୍ଦୁଝରବାସୀଙ୍କୁ ହାତପାହାନ୍ତାରେ ନିଃଶୁଳ୍କ ଚିକିତ୍ସା ସେବା ଯୋଗାଇ ଦେବାପାଇଁ କେନ୍ଦୁଝର ସହର ଉପକଣ୍ଠ କବିତ୍ରା ଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ତତ୍‌‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ନଭେମ୍ବର ୨୦୧୬ରେ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ଦୀର୍ଘ ୬ବର୍ଷ ପରେ ୧୩ ଫେବୃୟାରୀ ୨୦୨୩ରେ ତତ୍‌‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଗସ୍ତ କରି ୧୦୦ ସିଟ୍‌‌ ବିଶିଷ୍ଟ ଉକ୍ତ ମେଡିକାଲ କଲେଜ ଓ ୫୦୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ୨ ମାର୍ଚ୍ଚ ୨୦୨୪ରେ ଏହାର ନାମ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନାମରେ ନାମିତ କରାଯାଇଥିଲା ।

ଜିଲା ଖଣିଜ ପାଣ୍ଠିରୁ ୪୮୧କୋଟିରୁ ଅଧିକ ଟଙ୍କା ବ୍ୟୟରେ ନବନିର୍ମିିତ ଏହି ମେଡକାଲ କଲେଜ ଓ ହସ୍ପିଟାଲରେ ଭେଷଜ, ଚର୍ମ ଓ ଯୌନ, ମାନସିକ ଓ ଦନ୍ତ ରୋଗର ବର୍ହିଃବିଭାଗ ଚିକିତ୍ସା ସେବାକୁ ମଧ୍ୟ ତତ୍‌‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ ଶୁଭାରମ୍ଭ କରିଥିଲେ। ଏହି ୪ବିଭାଗର ବର୍ହିଃବିଭାଗ ଚିକିତ୍ସା ସେବା ସରକାରୀ ଛୁଟି ଦିନକୁ ବାଦ୍‌‌ ଦେଲେ ରବିବାର କେବଳ ସକାଳ ୯ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ଦିବସ ମାନଙ୍କରେ ସକାଳ ୯ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବର୍ହିଃବିଭାଗ ରୋଗୀ ସେବା ଉପଲବ୍ଧ ହେବବୋଲି କୁହାଯାଇଥିଲା। ଚିକିତ୍ସାଳୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନିମନ୍ତେ ଅନ୍ୟ ବିଭାଗମାନଙ୍କରେ କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଜାରି ରହିଥିବା ବେଳେ ବର୍ଷକ ମଧ୍ୟରେ ଧରଣୀଧର ଭେଷଜ ଚିକିତ୍ସାଳୟରେ ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ସହିତ ରୋଗୀଙ୍କୁ ଅନ୍ତଃବିଭାଗ ସହ ପୂର୍ଣ୍ଣକାଳୀନ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା।

- Advertisement -

ସରକାରୀ ଭେଷଜ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେଲେ ଜିଲାବାସୀଙ୍କୁ ଉନ୍ନତମାନର ଚିକିତ୍ସାସେବା ମିଳିବା ନେଇ ବେଶ୍‌‌ ଆଶାବାଦୀ ଥିବାବେଳେ ବର୍ହିଃବିଭାଗ କାର୍ଯ୍ୟକ୍ଷମ ୧୦ମାସ ପରେ ମଧ୍ୟ ୪ଟି ବିଭାଗକୁ ବାଦ୍‌‌ ଦେଲେ ଶିଶୁ, ସ୍ତ୍ରୀ ଓ ପ୍ରସୂତୀ, ଅସ୍ଥିଶଲ୍ୟ, ଶଲ୍ୟ, ପାକସ୍ଥଳୀ ଓ ଯକୃତ, କର୍ଣ୍ଣ,ନାସା ଓ ଗଳା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପକ୍ଷରୁ ରୋଗୀଙ୍କୁ ବହିଃବିଭାଗ ଚିକିତ୍ସା ସେବା ମିଳିପାରିଲା ନାହିଁ। ସେଭଳି ଖଣି ଓ ଶିଳ୍ପବହୁଳ ଏହି ଜିଲାରୁ ମାତ୍ରାଧିକ ଖଣିଜସମ୍ପଦ ବୋଝେଇ ଯାନବାହାନ ଚଳାଚଳ ଯୋଗୁଁଁ ଜିଲାବ୍ୟାପୀ ସଡକପଥ ମରଣଯନ୍ତା ପାଲଟିବା ସହ ସମଗ୍ର ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ଢ଼େର ଅଧିକ ରହିଛି।

ତଥାପି ଦୁର୍ଘଟଣାଗ୍ରସ୍ତଙ୍କୁ ଆଶୁ ଚିକିତ୍ସା ଯୋଗାଇବା ଲକ୍ଷ୍ୟରେ ଟ୍ରମା କେୟାର ଭିତ୍ତିଭୂମି ଅଭାବ ସାଙ୍ଗକୁ ଡାକ୍ତର ପଦ ଖାଲି ପଡ଼ିଥିବାରୁ ଏହା ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଧରଣୀଧର ଭେଷଜ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାପାଇଁ ଆବଶ୍ୟକ ଡାକ୍ତର ପଦ ଖାଲି ପଡ଼ିଥିବାରୁ ୫୦୦ଶଯ୍ୟା ବିଶିଷ୍ଟ ଅନ୍ତଃବିଭାଗ ଓ ୩୦ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ କାର୍ଯ୍ୟକ୍ଷମ ହୋଇନପାରିବା ଜିଲାବାସୀଙ୍କୁ ନିରାଶ ହେବାକୁ ପଡ଼ିଛି।

କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ଧରଣୀଧର ଭେଷଜ ଚିକିତ୍ସାଳୟ ଖୁବ୍‌‌ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାନେଇ ଜିଲାବାସୀ ଆଶାବାନ୍ଧି ରହିଥିଲେ। ଏସ୍‌‌ସିବି ମେଡିକାଲ କଟକ ଓ ଧରଣୀଧର ଭେଷଜ ଚିକିତ୍ସାଳୟ କେନ୍ଦୁଝରର ଅଭିଜ୍ଞ ଡାକ୍ତରମାନଙ୍କୁ ନେଇ ୨୧ ସେପ୍ଟେମ୍ବର ୨୦୨୪ରେ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଆୟୋଜିତ ବୃହତ୍‌‌ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଦ୍‌‌ଘାଟନ କରିବା ଅବସରରେ ଧରଣୀଧର ଭେଷଜ ଚିକିତ୍ସାଳୟକୁ ଖୁବ୍‌‌ ଶିଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ସହ ଦୁର୍ଘଟଣାଗ୍ରସ୍ତଙ୍କୁ ଆଶୁ ଚିକିତ୍ସା ନିମନ୍ତେ ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଟ୍ରମା କେୟାର ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଥିଲେ।

ଧରଣୀଧର ଭେଷଜ ଚିକିତ୍ସାଳୟରେ ବ୍ଲଡ ବ୍ୟାଙ୍କ ଅଧିକାରୀ ଓ କାଜୁଆଲିଟି ମେଡିକାଲ ଅଫିସର ଭଳି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦ ଖାଲି ପଡ଼ିଥିବା କାରଣରୁ ନିଦାନ ସେବା ମଧ୍ୟ ସମ୍ପୂର୍ଣ୍ଣ ଭାବେ ମିଳିପାରୁନି। ଏଭଳିସ୍ଥିତିରେ ବହୁ ପ୍ରତିକ୍ଷୀତ ଧରଣୀଧର ଭେଷଜ ଚିକିତ୍ସାଳୟ କେବେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଏବଂ ରୋଗୀଙ୍କୁ କଥା କଥାକେ କଟକ ବଡ ମେଡିକାଲ ପରିବର୍ତ୍ତେ କିଭଳି ହାତପାହାନ୍ତାରେ ଚିକିତ୍ସା ସେବା ମିଳିପାରିବ ସେ ନେଇ ଜିଲାବାସୀ ଆଶା ଆଶଙ୍କା ଦେଇ ଗତି କରୁଛନ୍ତି।

ଧରଣୀଧର ଭେଷଜ ଚିକିତ୍ସାଳୟ ଅଧିକ୍ଷକ କହିଛନ୍ତି ଯେ ଧରଣୀଧର ଭେଷଜ ଚିକିତ୍ସାଳୟରେ ରୋଗୀ ସେବା ପାଇଁ ଆବଶ୍ୟକ ୩୮ଜଣ ଜୁନିୟର ରେସିଡେନ୍ସ ଡାକ୍ତର ପଦ ପୂରଣ ହୋଇନପାରିବା ଏବଂ ରୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ ବେଡ୍‌‌ ଯୋଗାଣରେ ଅହେତୁକ ବିଳମ୍ବ ଯୋଗୁଁଁ ଅନ୍ତଃବିଭାଗ କାର୍ଯ୍ୟକ୍ଷମରେ ବିଳମ୍ବ ହେଉଛି। ଭେଷଜ ଚିକିତ୍ସାଳୟ ଏବଂ ଆଇସିୟୁ ପାଇଁ ଆବଶ୍ୟକ ବେଡ୍‌‌ ନିମନ୍ତେ ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନକୁ ବହୁବାର ପତ୍ରାଳାପ ପରେ ମଧ୍ୟ ବେଡ୍‌‌ ଯୋଗାଣ ହୋଇପାରିଲା ନାହିଁ।

ସେହିଭଳି ଟ୍ରମା କେୟାର କାର୍ଯ୍ୟକ୍ଷମ ପାଇଁ ଆନୁସଙ୍ଗିକ ବ୍ୟବସ୍ଥାରେ ଉନ୍ନତିକରଣ କାର୍ଯ୍ୟ ଶେଷ ନହେବା ସାଙ୍ଗକୁ ତାଲିମପ୍ରାପ୍ତ ଅଭିଜ୍ଞ ଡାକ୍ତର ନିଯୁକ୍ତି ହୋଇନଥିବାରୁ ଟ୍ରମା କେୟାର ମଧ୍ୟ କାର୍ଯ୍ୟକ୍ଷମରେ ବିଳମ୍ବ ହୋଇଛି। ତେବେ ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା ଅତ୍ୟାଧୁନିକ ପରୀକ୍ଷା ସରଞ୍ଜାମ ସାମଗ୍ରୀ ସଂଯୋଗ କାର୍ଯ୍ୟ ଶେଷ ହୋଇ ଧରଣୀଧର ଭେଷଜ ଚିକିତ୍ସାଳୟରେ ପୂର୍ଣ୍ଣକାଳୀନ ନିଦାନ ସେବା ଯୋଗାଇ ଦିଆଯିବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories