www.samajalive.in
Sunday, December 7, 2025
14.1 C
Bhubaneswar

ପୂର୍ବତନ ଉପଜିଲାପାଳଙ୍କୁ ୪ବର୍ଷ ଜେଲ୍‌

ସୁନ୍ଦରଗଡ଼/ରାଉରକେଲା : ପୂର୍ବତନ ବିଶ୍ରା ବିଡିଓ ପ୍ରଶାନ୍ତ କୁମାର ରାଉତଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ। ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବା ପାଇଁ ନିଜ ରାୟରେ ସ୍ପଷ୍ଟ କରିଛନ୍ତି। ୨୦୧୮ ମସିହା ନଭେମ୍ବର ୬ ତାରିଖ କଟକ ଜିଲା ଓଲଟପୁର ଥାନା ଅଞ୍ଚଳର ପ୍ରସନ୍ନ କୁମାର ଜେନାଙ୍କଠାରୁ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଏବଂ ୧୪ ତମ କେନ୍ଦ୍ରୀୟ ଅର୍ଥ କମିସନ ଅନୁଦାନରେ ୪ଟି ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ ସହ ଯୋଜନା ଏବଂ ବୈଷୟିକ ଅନୁମୋଦନ ଏବଂ ଆକଳନ ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଅଭିଯୁକ୍ତ ପ୍ରଶାନ୍ତ କୁମାର ରାଉତଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ପି.ଏସ୍ କେସ୍ ନଂ-୬୫ ତାରିଖ ୫ ନଭେମ୍ବର ୨୦୧୮ରେ ମାମଲା ରୁଜୁ କରାଯାଇଥିଲା। ୧୪ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସୁଶ୍ରୀ ସସ୍ମିତା ପାଢ଼ି ସିଆରପିସିର ଧାରା ୪୨୮ଅନୁସାରେ ଦଣ୍ଡାଦେଶ ଶୁଣାଇଛନ୍ତି। ସୁନ୍ଦରଗଡ଼ ଭିଜିଲାନ୍ସ ସ୍ୱତନ୍ତ୍ର ପି.ପି ଶ୍ୟାମସୁନ୍ଦର ମିଶ୍ର ଏହି ମାମଲା ପରିଚାଳନା କରିଥିବା ବେଳେ ଭିଜିଲାନ୍ସ ଏପିପି ସନ୍ଦୀପ ପଣ୍ଡା ସହଯୋଗ କରିଥିଲେ। ସଜା ଶୁଣାଣି ପରେ ଅଭିଯୁକ୍ତକୁ ସୁନ୍ଦରଗଡ଼ ଜେଲ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଏହା ସହ ଶ୍ରୀ ରାଉତଙ୍କ ବିରୋଧରେ ଅନ୍ୟ ଏକ ଆୟ ବର୍ହିଭୂତ ମାମଲା ରହିଛି। ନବରଙ୍ଗପୁରରେ ଉପଜିଲାପାଳ ଭାବେ ଅବସ୍ଥାପିତ ଥିବା ସମୟରେ ୨୩ ଜୁନ ୨୦୨୩ରେ ଆୟର୍ବହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବର କାନନବିହାରସ୍ଥିତ ବାସଭବନ, ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ଜିଲା ଅଞ୍ଚଳର ପୈତୃକ ଘର ସମେତ ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇ ୩କୋଟିରୁ ଉର୍ଦ୍ଧ ନଗଦ ଜବତ କରାଯାଇଥିଲା। ତାଙ୍କ ମୋଟ ସମ୍ପତ୍ତି ୪କୋଟି ୮୭ଲକ୍ଷ ପାଖାପାଖି ଆକଳନ କରାଯାଇଥିଲା। ସେ ସମ୍ପର୍କରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଭଦ୍ରକ ଅଞ୍ଚଳ ମୂଳ ବାସିନ୍ଦା ପ୍ରଶାନ୍ତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପାଇଲା ପରେ ୨୦୧୮ରେ ବିଶ୍ରା ବ୍ଲକରେ ବିଡିଓ ଭାବେ ଯୋଗ ଦେଇଥିଲେ। ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଓ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଇ ଦିଆଯାଇଥିଲା। ସେହି ସମୟରେ ବିଶ୍ରା ବ୍ଲକର ୪ଟି ବଡ଼ ବଡ଼ ପ୍ରକଳ୍ପ ପାଇଁ ଅର୍ଥ ଆସିଥିଲା। ଏହି ପ୍ରକଳ୍ପ ମଞ୍ଜୁରୀ ପାଇଁ ବ୍ଲକ ଉନ୍ନୟନ ଅଧିକାରୀଙ୍କ ମଞ୍ଜୁରୀର ଆବଶ୍ୟକତା ପଡ଼ିଥିଲା। ତେଣୁ ପ୍ରକଳ୍ପ ମଞ୍ଜୁରୀ ପାଇଁ ପ୍ରଶାନ୍ତ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୨୩ରେ ଭିଜିଲାନ୍ସ ଚଢ଼ଉରେ ତାଙ୍କର ମୋଟ୍‌ ସମ୍ପତ୍ତି ୫ କୋଟି ୨୧ ଲକ୍ଷ ୯ ହଜାର ୬୫୯ ଟଙ୍କା ଠାବ ହୋଇଛି, ଯାହାକି ଆୟଠାରୁ ୫୦୬ପ୍ରତିଶତ ଅଧିକ ବୋଲି ସୂଚନା ମିଳିଛି। ତାଙ୍କ ବିରୋଧରେ ପୁଣି ଆୟ ବର୍ହିଭୁତ ମାମଲା ରୁୁଜୁ ହୋଇଛି। ମାମଲା ପରେ ଗତ ଜୁନ ମାସରେ ସରକାର ତାଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଥିଲେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories