ଘୁଘୁରାଖୋଳରେ ମକର ମେଳା….
ରେଙ୍ଗଲିକେମ୍ପ : ପ୍ରତିବର୍ଷ ଭଳି ପବିତ୍ର ମକର ସଂକ୍ରାନ୍ତିରେ ଘୁଘୁରାଖୋଳରେ ପାଳିତ ହୋଇ ଯାଇଛି ମକର ମେଳା।ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାରପାହାଡର ପାଦଦେଶରେ ରହିଛି ଏହି ଘୁଘୁରାଖୋଳ ପାହାଡ଼।ଆଦିବାସୀ ପରିବେଷ୍ଟିତ ଏହି ଅଞ୍ଚଳରେ କାହିଁ କେତେ ଦିନରୁ ପାରମ୍ପାରିକ ରୀତିନୀତିରେ ଚାଲି ଆସୁଛି ଏହି ମକର ପର୍ବ। କିନ୍ତୁ ବର୍ତ୍ତମାନ ଏହି ବାରପାହାଡରେ ଚାଲୁଛି ମହାବଳ ବାଘର ରାଜୁତି। ରାତିରେ ବେଳେ ବେଳେ ଗାଁ ଭିତରକୁ ବି ପଶି ଆସୁଛି ବାଘ। ଭୟରେ ଲୋକେ ସନ୍ଧ୍ୟା ହେବ ପରେ ଆଉ ଘରୁ ବାହାରୁ ନାହାଁନ୍ତି। ସକାଳ ହେଲେ ଘର ଆଗରେ ମହାବଳ ବାଘର ପାଦ ଚିହ୍ନରେ ଲୋକଙ୍କ ଛାତି ଥରି ଉଠୁଛି । ହେଲେ କାହିଁ କେତେ ଦିନରୁ ହୋଇ ଆସୁଥିବା ଏହି ମକର ମେଳାକୁ ବାଘର ଭୟ ମଧ୍ୟ ବନ୍ଦ କରି ପାରିନାହିଁ।
ଅତାବିରା ନିର୍ବାଚନ ମଣ୍ଡଳୀର ବୁଥ ନଂ ୧ ଘନଘାଟିରୁ ବାର କିମି ଦୁର ପାହାଡିଆ ରାସ୍ତା ଦେଇ ଯିବା ପରେ ପ୍ରାୟ ହଜାରେ ଫୁଟ ତଳେ ରହିଛି ଏକ ଡଙ୍ଗରକୁଡ୍ଡୂ ଗଛ। ସେଇ ଗଛ ତଳେ ଋଷିମୁନି ବାବାଙ୍କ ପୀଠ। ଗୋଟିଏ ଲମ୍ବା ସିଡି ଦେଇ ଓହ୍ଲାଇବାକୁ ପଡ଼ିଥାଏ ଏହି ପୂଜା ସ୍ଥଳୀକୁ ଯିବା ପାଇଁ। ପୂଜା ପୀଠର ନାଁ ଶୁଣି ଲାଗେ ସେଠାରେ କୌଣସି ସାଧୁ ସନ୍ଥ କିମ୍ବା ଋଷି ମୁନିଙ୍କ ଆଶ୍ରମ ସ୍ଥଳ ହୋଇଥିବ। କିନ୍ତୁ ବାସ୍ତବରେ ତାହା ଜନଶୂନ୍ୟ ଅଞ୍ଚଳ।
ଆଶ୍ଚର୍ଯ୍ୟ ଲାଗେ ଏହି ପୀଠର କିମ୍ବଦନ୍ତୀ ଶୁଣିଲେ। ଆଉ ଶୁଣିଲା ପରେ ସେହି ସ୍ଥାନକୁ ଯିବା ପାଇଁ ମନରେ ଉତ୍ସୁକତା ଭରିଯାଏ। ଅଞ୍ଚଳବାସୀ କହନ୍ତି ,ବହୁ ବର୍ଷ ପୂର୍ବରୁ ଥରେ ପାହାନ୍ତିଆ ସମୟରେ ହଠାତ୍ ମୃଦଙ୍ଗ ଓ କସ୍ତାଳର ଧ୍ଵନି ଶୁଭିଲା। ଲୋକେ ଭାବିଲେ ନିଘଞ୍ଚ ଜଙ୍ଗଲ ଭିତରେ କିଏ କୀର୍ତ୍ତନ କରୁଛି! ଯେଉଁଠି ବାଘ ଭାଲୁଙ୍କ ବାସସ୍ଥଳୀ ସେଠି କୀର୍ତ୍ତନର ଶବ୍ଦ? ମନରେ ଉତ୍ସାହ ଭରି ଆଗେଇ ଚାଲିଲେ ଗାଆଁର ଗୌନ୍ତିଆ ଆଉ ଗ୍ରାମବାସୀ ସେଇ ଧ୍ଵନି ଆସୁଥିବା ଅଭିମୁଖେ। ଶବ୍ଦକୁ ଅନୁକରଣ କରି ଆଗେଇ ଚାଲିଲେ ଘଞ୍ଚ ଜଙ୍ଗଲ ଭିତରେ। କିନ୍ତୁ ଯେତେବେଳେ ସେଇ ଶବ୍ଦର ଉତ୍ସ ସ୍ଥଳକୁ ପହଞ୍ଚିଲେ, ସମସ୍ତେ ସ୍ତମ୍ଭିଭୂତ ହୋଇଗଲେ। ନିର୍ଜନ ଜଙ୍ଗଲ ଭିତରେ ଏକ ଡଙ୍ଗରକୁଡ଼୍ଦୁ ଗଛ ତଳେ କିଛି ପୂଜା ଦ୍ରବ୍ୟ ଏପଟ ସେପଟ ହୋଇ ପଡ଼ିଥିଲା, ସତେ ଯେମିତି କିଛି ସମୟ ପୂର୍ବରୁ କେହି ପୂଜା କରି ଯାଇଛି। କିନ୍ତୁ କେହି ଦୃଷ୍ଟିଗୋଚର ହେଲେ ନାହିଁ। ଏବଂ ଅତି ଆଶ୍ଚର୍ଯ୍ୟର କଥା ଥିଲା ସେଇ ଗଛ ଭିତରୁ ହିଁ ମୃଦଙ୍ଗ ଓ କସ୍ତାଲର ଶବ୍ଦ ଗୁଞ୍ଜରିତ କରୁଥିଲା ସାରା ବନଭୂମିକୁ। ଗୌନ୍ତିଆ ଭାବିଲେ ଏହା ନିଶ୍ଚିତ ଭାବରେ ଭଗବାନଙ୍କ ଲୀଳା। ହୁଏତ ଅତୀତରେ ଏହା କୌଣସି ଋଷିମୁନିଙ୍କ ଆଶ୍ରୟ ସ୍ଥଳୀ ଥିଲା। ସେହି ଦିନ ଥିଲା ପବିତ୍ର ମକର ସଂକ୍ରାନ୍ତି। ଆଉ ସେହି ଦିନ ଠାରୁ ସେହି ପୀଠର ନାମ ହେଲା ଋଷିମୁନି ପୀଠ। ପ୍ରତି ମକର ସଂକ୍ରାନ୍ତିରେ ଉକ୍ତ ଗଛ ମୂଳରେ ପୂଜା ହେବା ସହ ମହା ଆଡ଼ମ୍ବରରେ ଏହି ମକର ମେଳା ଅନୁଷ୍ଠିତ ହୋଇ ଆସୁଅଛି। ଗୋଟିଏ ମାସ ପୂର୍ବରୁ ଏହି ମକର ମେଳାର ଆୟୋଜନରେ ଲାଗି ପଡନ୍ତି ଗ୍ରାମବାସୀ। ପ୍ରକୃତି ରାଣୀର ଶୋଭା ପରିବେଷ୍ଟିତ ଜଙ୍ଗଲରେ ଏହି ମେଳା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ। ସଂକୀର୍ତ୍ତନ ଦଳ ସାଙ୍ଗକୁ କୃଷ୍ନାଗୁରୁ, ପାଲା ଆଦି ଅନେକ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ହୁଏ। ଘନଘାଟିର ଦୁଇ ଗୌନ୍ତିଆ ଭିକାରୀ ସାହୁ ଓ ସୁନ୍ଦରମଣି ସାହୁଙ୍କ ତତ୍ବାବଧାନରେ ଏହି ମକର ପର୍ବ ଅନୁଷ୍ଠିତ ହୋଇ ଆସୁଥିଲା। ହେଲେ ସେମାନଙ୍କ ବିୟୋଗ ପରେ ତାଙ୍କର ସାତ ପୁଅ ଓ ଛଅ ଝିଅଙ୍କ ମଧ୍ୟରୁ ବର୍ତ୍ତମାନ ଜୀବିତ ଥିବା ତାଙ୍କର ଝିଅ ପ୍ରେମସିଲା ବୁଦ୍ଧିଆ, ତକ୍ଷଶିଳା ପ୍ରଧାନ ଓ ସବିତା ପ୍ରଧାନ ଓ ପୁଅ ପରେଶ୍ଚନ୍ଦ୍ର ସାହୁ ଅର୍ଥ ସହଯୋଗ କରିଥାନ୍ତି ଏହି ପର୍ବ ପାଇଁ। ଚଳିତ ବର୍ଷ ଏହି ପୂଜାରେ ଉତ୍ତମ ବେହେରା କର୍ତ୍ତା ଦାୟିତ୍ଵ ତୁଲାଇ ଥିବା ବେଳେ ଚୁଲଧରର ଅଶୋକ ପତି ପୂଜକ ଦାୟିତ୍ୱରେ ଥିବା ଜଣାପଡିଛି। ବଳରାମ ବରିହା, ବିରାଟ ବେହେରା ଓ କୈଳାସ ସାନ୍ତରା ପୂଜା ଦାୟିତ୍ୱରେ ଥିବା ବେଳେ ଏହି ମକର ମେଳା ଜଗତରାମ ବରିହା, ଦେବରାଜ ବରିହା, ବଳରାମ ବରିହା, ଦିବ୍ୟ ବରିହା ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଗୌନ୍ତିଆ ସରୋଜ ସାହୁ, ଅବୋଧ ସାହୁ ଓ କୁଲଦୀପ ସାହୁ,ସତ୍ୟ ପ୍ରଧାନ, ଅଜିତ ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି ମକର ମେଳା ଆୟୋଜିତ ହୋଇଥିଲା। ଗୋକୁଳ ଗହିର,ସଚ୍ଚିଦାନନ୍ଦ ଖମାରୀ, ନିମାଇଁ ସାହୁ ଓ ମୋହନ ବେହେରା ପ୍ରମୁଖ ସହଯୋଗ କରିଥିଲେ। ସମ୍ବଲପୁରର ଦୁଇଟି ମହିଳା ସଙ୍କୀର୍ତ୍ତନ ଦଳ ଦ୍ବାରା ନାମ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ସକାଳ ୯ଟାରୁ ସନ୍ଧ୍ୟା ପାଞ୍ଚଟା ଯାଏ ଏହି ପର୍ବ ଉତ୍ସବ ମୁଖରିତ ହୋଇଥିଲା। ଆଜି ପ୍ରାତଃ ୪ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
୧୮ ବର୍ଷ ପରେ ଏକାଠି ହେବେ ଶୁକ୍ର-ରାହୁ: ଏହି ୩ ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ,ଖୋଲିବ ବନ୍ଦ ଭାଗ୍ୟର ତାଲା..
ଦେଖନ୍ତୁ ଭିଡିଓ; ଜ୍ୱାଇଁଙ୍କ ପାଇଁ ଭବ୍ୟ ଆୟୋଜନ, ପରଷା ଗଲା ୪୬୫ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ
Comments are closed.