ବିଦ୍ୟୁତ ବିଭାଗର ଅଜବ ନିୟମ: ବିଜୁଳି ଅଫିସ୍ ଦୌଡ଼ି ଦୌଡ଼ି ଗ୍ରାହକଙ୍କ ଆତ୍ମାହୁତି ନିଷ୍ପତ୍ତି

ସମାଜ ଡିଜିଟାଲ ଡେସ୍କ: ବିଜୁଳି ବିଭାଗର ଅଜବ ନିୟମ। ପୂର୍ବରୁ ବିଦ୍ୟୁତ୍ ବିଭାଗକୁ ନେଇ ଅନେକ ତ୍ରୁଟି, ବିଚ୍ୟୁତି ନଜରକୁ ଆସିଥିଲେସୁଦ୍ଧା ଏବେ ବି ରହିଛି ସେହି ସମାନ ଚିତ୍ର। କଥାରେ ଅଛି ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ। ଠିକ୍ ଏହିଭଳି ସ୍ଥିତି ବିଦ୍ୟୁତ୍ ବିଭାଗର। ଏ କଥା ଆମେ କହୁନୁ ବରଂ ଖୋଦ୍ ଭୁକ୍ତଭୋଗି ନିଜେ କହୁଛନ୍ତି। କଟକ ୪୨ ମୌଜା, ଗୋବିନ୍ଦପୁର ଅଞ୍ଚଳର ପ୍ରସନ୍ନ କୁମାର ପରିଡ଼ାଙ୍କ ଉପରେ କିଛି ଏପରି ଅଜବ ନିୟମ ଲଗାଇଛି ବିଦ୍ୟୁତ୍ ବିଭାଗ। ପ୍ରସନ୍ନ ଦୀର୍ଘ ଦୁଇ ବର୍ଷ ହେବ ବିଦ୍ୟୁତ ଅଫିସ୍ ଦୌଡ଼ି ଦୌଡ଼ି ଶେଷରେ ନିଷ୍ପତ୍ତି ନେଇଛନ୍ତି ଆତ୍ମାହୁତି ପାଇଁ। ତେବେ ପ୍ରସନ୍ନ ତାଙ୍କ ନୂତନ ଲାଇନ୍ ସଂଯୋଗ ପାଇଁ ଆବେଦନ କରିଥିବାବେଳେ ତାଙ୍କୁ ବିଦ୍ୟୁତ୍ ବିଭାଗ କହିଥିଲା, ବକେୟା ୭୨ ହଜାର ଟଙ୍କା ଦେୟ ଦିଅ ନ ହେଲେ କୋର୍ଟକୁ ଯାଅ। କୋର୍ଟ ତୁମ ବିଚାର କରିବ।

କିନ୍ତୁ ଏପଟେ ପ୍ରସନ୍ନ କହିଛନ୍ତି, ଯେତେବେଳେ ବିଜୁଳି ବିଭାଗ ଯାଞ୍ଚ କରିବାକୁ ଯାଇଥିଲା ସେତେବେଳେ ନା କୌଣସି ପ୍ରମାଣ ନା କୌଣସି ଅଭିଯୋଗ ପାଇଥିଲା। ହେଲେ କ’ଣ ପାଇଁ ୭୨ ହଜାରର ତଣ୍ଡ ଗଣିବାକୁ କହୁଛି ତା’ ବିଷୟରେ ମୁଁ ଜାଣିନାହିଁ। ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଏହି ବିଜୁଳି କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବି। ଅନ୍ୟପଟେ ଏନଫୋର୍ସମେଣ୍ଟ ସୁପରିଟେଣ୍ଡ ଇଞ୍ଜିନିୟର ପ୍ରତ୍ୟୁଷ ମିଶ୍ର କହିଛନ୍ତି, ତାଙ୍କର ଯାହା ସମସ୍ୟା ରହିଛି ତାହା ଏବେ ବିଚାରାଧୀନ। ଆଉ କିଛି ଏହାର ଉତ୍ତର ମୋ ପାଖରେ ନାହିଁ। ପ୍ରସନ୍ନଙ୍କୁ ବାଦାମବାଡ଼ି ଥାନା ପୁଲିସ ବୁଝାସୁଝା କରି ଛାଡ଼ିଦେଇଛି।

Comments are closed.