ବିଶ୍ଵ ଭିନ୍ନକ୍ଷମ ଦିବସ ସମାରୋହରେ ସାମାଜିକ ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା

ଭୁବନେଶ୍ବର: ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ପାଳନ କରାଯାଇଥିବା ବିଶ୍ଵ ଭିନ୍ନକ୍ଷମ ଦିବସ ସମାରୋହ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇ ଆଜି ଉଦଯାପିତ ହୋଇଅଛି । ତିନି ଦିନ ବ୍ୟାପୀ ଏହି ସମାରୋହର ପ୍ରଥମ ଦିବସରେ ଭିନ୍ନକ୍ଷମମାନଙ୍କର ଅଧିକାର ଓ ସାମର୍ଥ୍ୟ ସମ୍ପର୍କରେ ସାମାଜିକ ସଚେତନତା ସୃଷ୍ଟି ପାଇଁ ୪୦୦୦ରୁ ଊର୍ଦ୍ଧ୍ଵ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ବ୍ୟକ୍ତି ବିଶେଷ ତଥା ସେମାନଙ୍କ ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଶିଖରଚଣ୍ଡୀ ଛକ ଠାରୁ କିଟ୍ କ୍ୟାମ୍ପସ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାକୁ ଉଦଘାଟନ କରି ବିଭାଗୀୟ ପ୍ରମୁଖ ଶାସନ ସଚିବ, ବିଷ୍ଣପଦ ସେଠୀ ଏକ ସମବେଶୀ ସମାଜରେ ଭିନ୍ନକ୍ଷମମାନଙ୍କର ଦକ୍ଷତାକୁ ଅବଲୋକନ କରି ସେମାନଙ୍କର ଅଧିକରୁ ଅଧିକ ଅନ୍ତର୍ଭୂକ୍ତିକରଣ ପାଇଁ ଆହ୍ଵାନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ, ବ୍ରତତୀ ହରିଚନ୍ଦନ, ନିର୍ଦ୍ଦେଶିକା, ନିୟତି ପଟ୍ଟନାୟକ, ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ, କୃଷ୍ଣଚନ୍ଦ୍ର ସତପଥୀ, ସକ୍ଷମର ରାଜ୍ୟ ସମ୍ପାଦିକା, ଶ୍ରୀମତୀ ମନସ୍ଵିନୀ ଜେନା, ବିଭାଗୀୟ ଉପ-ଶାସନ ସଚିବ ତଥା ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସନ୍ୟାସ କୁମାର ବେହେରା ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ ଓ ପଦଯାତ୍ରାରେ ସାମିଲ୍ ହୋଇଥିଲେ ।

ଏହି ଉତ୍ସବ ପାଳନ ଉପଲକ୍ଷ୍ୟରେ ଦୃଷ୍ଟିବାଧିତ ମହିଳାମାନଙ୍କର ଏକ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାସ୍ତରରୁ ମନୋନୀତ ହୋଇ ୬ଟି ମହିଳା ଦୃଷ୍ଟିବାଧିତ କ୍ରିକେଟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏଥିରେ ବାଲେଶ୍ଵରର ରାଣୀପାଟଣା ସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟର ମହିଳା ଦଳ ଚମ୍ପିୟାନ ଏବଂ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଦଳ ରନର୍ସଅପ୍ ହୋଇଥିଲେ । କିଟ୍ ଇନଡୋର ଷ୍ଟାଡିୟମ ଠାରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ତିନି ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିଥିଲେ । ଭିନ୍ନକ୍ଷମମାନଙ୍କୁ ଶିକ୍ଷା ଓ ତାଲିମ୍ ଦେବା ସହ ସେମାନଙ୍କର ସ୍ଵାବଲମ୍ବନ ପାଇଁ ନିଯୁକ୍ତିର ବ୍ୟବସ୍ଥା କରିବା ଉପରେ ସେ ଗୁରୁତ୍ଵ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣପଦ ସେଠୀ, ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ ତଥା ବିଭାଗର ସମସ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରରୁ ଆସିଥିବା ମନୋନୀତ ଦିବ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କର ରାଜ୍ୟସ୍ତରୀୟ ପାରାକ୍ରୀଡ଼ା ପ୍ରତିଯୋଗୀତାକୁ ବିଭାଗୀୟ ନିର୍ଦ୍ଦେଶିକା ଓ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ ଉଦଘାଟନ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଦ୍ଵିତୀୟ ଦିବସରେ ଭିନ୍ନକ୍ଷମଙ୍କ ପାଇଁ “ଏକ ଅନ୍ତର୍ଭୂକ୍ତି ଏବଂ ସ୍ଥିର ଭବିଷ୍ୟତ ଗଠନ” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରକୁ ବିଭାଗୀୟ ସଚିବ, ନିର୍ଦ୍ଦେଶିକା ଏବଂ ଭିନ୍ନକ୍ଷମ ଆୟୁକ୍ତ ପ୍ରମୁଖ ଉଦଘାଟନ କରିଥିଲେ । ଏହି ଆଲୋଚନା ଚକ୍ରରେ ଦିବ୍ଯାଙ୍ଗମାନଙ୍କ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଜାତୀୟନ୍ୟାସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଆଲୋକା ଗୁହା, ଶ୍ରୀମତୀ ତନ୍ଵୀ ସାମସ୍, ଜାତୀୟ ବାର ଆସୋସିଏସନର ଉପାଧ୍ୟକ୍ଷ ଡଃ. ଉଦୟ ପ୍ରକାଶ, ସେନ୍ସ ଇଣ୍ଟରନ୍ୟାସନାଲ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଖିଲ ପଲ, କିଟ୍ ଆନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷା ଡଃ. ମୋନାଲିସା ବଳ, ଇନେବଲ୍ ଇଣ୍ଡିଆ, ବାଙ୍ଗାଲୋରର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରୀତି ଲୋବୋ, ଡେଜି ଫୋରମ ନୂଆଦିଲ୍ଲୀର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିପେନ୍ଦ୍ର ମନୋଜା, ଆଇ.ଆଇ.ଟି. ଭୁବନେଶ୍ଵରର ଡ଼ିନ୍ ଡଃ. ପ୍ରଦ୍ଯୁତ୍ କୁମାର ବିଶ୍ଵାଳ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ଦୀପକ କୁମାର ରାଉତରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଆଲୋଚନା ଚକ୍ରଟି ସାଇଟ୍ ସେଭର ଇଣ୍ଡିଆ, ହ୍ୟାଣ୍ଡିକ୍ଯାପ୍ ଇଣ୍ଟରନ୍ୟାସନାଲ୍ ଓଡ଼ିଶା, ରାଇଜିଙ୍ଗ ଫାଉଣ୍ଡେସନ ଏବଂ କିଟ୍ ସେନ୍ ଗ୍ଲୋବ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

ଆଜିର ଦିନରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ପରାମର୍ଶକ୍ରମେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଭିନ୍ନକ୍ଷମମାନଙ୍କ ସମ୍ମାନରକ୍ଷା ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରାଜ୍ଯରେ ଅନୁଷ୍ଠିତ ହୋଇଯାଇଛି ।

Comments are closed.