www.samajalive.in
Sunday, December 14, 2025
15.1 C
Bhubaneswar

ଜାତୀୟତାବାଦ ଓ ସ୍ୱାଧୀନତା ସଂଗ୍ରାମ ଇତିହାସର କଷଟି ପରୀକ୍ଷାରେ ପରିକ୍ଷିତ ଐତିହାସିକ ପ୍ରବାଦ ପୁରୁଷ ଡଃ ହରେକୃଷ୍ଣ ମହତାବ ଥିଲେ ଜଣେ ସ୍ଥିତପ୍ରଜ୍ଞ ଓ ଅମ୍ଳାନ ବ୍ୟକ୍ତିତ୍ବର ଅଧିକାରୀ

ଭୁବନେଶ୍ୱର: ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ସଂଗ୍ରାମମୟ ବୈପ୍ଲବିକ ଭୂମିକା ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଭାବରେ ନୁହେଁ ବରଂ ଜଣେ ସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ, ଦକ୍ଷପ୍ରଶାସକ ଓ ସଂସ୍କୃତି ସଂମ୍ପନ୍ନ ବ୍ୟକ୍ତି ଭାବରେ ସେ ସର୍ବଭାରତୀୟ ସ୍ତରରେ ସୁପରିଚିତ। ଜାତୀୟତାବାଦ ଓ ସ୍ୱାଧୀନତା ସଂଗ୍ରାମ ଇତିହାସର କଷଟି ପରୀକ୍ଷାରେ ପରିକ୍ଷିତ ଐତିହାସିକ ପ୍ରବାଦ ପୁରୁଷ ଡଃ ହରେକୃଷ୍ଣ ମହତାବ ଥିଲେ ଜଣେ ସ୍ଥିତପ୍ରଜ୍ଞ ଓ ଅମ୍ଳାନ ବ୍ୟକ୍ତିତ୍ବର ଅଧିକାରୀ। ଆଜି ସେହି ମହାପୁରୁଷଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଲକ୍ଷ୍ୟରେ ଆଜି ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ପାଳିତ ହୋଇଯାଇଛି।

ଆଜିର କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୂର୍ତ୍ତ, ଅବକାରୀ ଓ ଆଇନ ବିଭାଗର ମନ୍ତ୍ରୀ  ପୃଥ୍ଵୀରାଜ ହରିଚନ୍ଦନ, ବିଧାୟକ ଏକାମ୍ର ଭୁବନେଶ୍ୱର ବାବୁ ସିଂ, ବିଶିଷ୍ଟ ଲେଖିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ, ବିଶିଷ୍ଟ ରାଜନୀତିଜ୍ଞ ତଥା ଆଇନ୍‌ଜୀବୀ  ଶିବାନନ୍ଦ ରାୟ ଆଦି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।

- Advertisement -

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବୀନ୍ଦ୍ର ମଣ୍ଡପ ଠାରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୀବନୀକୁ ଆଧାର କରି କରାଯାଇଥିବା ପୁସ୍ତକ, ଫଟୋଚିତ୍ର ଓ ତୈଳଚିତ୍ର ପ୍ରଦର୍ଶନୀର ଉଦଘାଟନ କରିଥିଲେ। ଏହାପରେ ଅତିଥିମାନେ ଡ଼ଃ ମହତାବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍କଳ କେଶରୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ନିଜର ଅଭିଭାଷଣରେ ମୁଖ୍ୟ ଅତିଥି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଆବିର୍ଭାବକୁ ଓଡ଼ିଆ ସମାଜରେ ଏକ ନୂତନ ସୂର୍ଯ୍ୟୋଦୟ ସହ ପରିକଳ୍ପନା କରାଯାଇପାରେ। ତାଙ୍କର ବଳିଷ୍ଠ ନେତୃତ୍ୱ ଓ ତ୍ୟାଗପୂତ ଜୀବନ ଓଡ଼ିଶାକୁ ବ୍ରିଟିଶ ଶାସନରୁ ମୁକ୍ତ କରି ଜନମାନସରେ ଏକ ନୂତନ କ୍ରାନ୍ତି ଆଣି ଦେଇଥିଲା। ଭୁବନେଶ୍ୱରରେ ଓଡ଼ିଶାର ରାଜଧାନୀ ପ୍ରତିଷ୍ଠା ଠାରୁ ନେଇ ହୀରାକୁଦ ନଦୀ ବନ୍ଧ ନିର୍ମାଣ ପର୍ଯ୍ୟନ୍ତ ଆଦି କାର୍ଯ୍ୟ ତାଙ୍କ ଦ୍ୱାରା କରାଯାଇଥିଲା। ମହତାବଙ୍କ ଜୀବନ ଆଦର୍ଶରେ ଆମ ଯୁବପିଢ଼ି ଅନୁପ୍ରାଣିତ ହୋଇ ଆଗକୁ ବଢ଼ନ୍ତୁ ଏହାହିଁ ମୁଁ ଆଶା କରୁଛି।

ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଅଭିଭାଷଣରେ କହିଥିଲେ ଯେ, ଦେଶ ଓ ଓଡ଼ିଆ ଜାତିର ବିକାଶ ପାଇଁ ଡ଼ଃ ହରେକୃଷ୍ଣ ମହତାବ ନିଜର ଜୀବନ ଉତ୍ସର୍ଗ କରିଥିଲେ। ସେ ହେଉଛନ୍ତି ଆମ ପାଇଁ ଚିରନମସ୍ୟ। ଦେଶର ସ୍ୱାଧୀନତା, ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢି ତୋଳିବା ତଥା ଗଡ଼ଜାତ ରାଜ୍ୟ ଗୁଡ଼ିକର ମିଶ୍ରଣ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜଣେ ଦକ୍ଷ ରାଜନେତା ହେବା ସହିତ ସେ ଜଣେ ସୁସାହିତ୍ୟିକ ଥିଲେ। ତାଙ୍କର ସାହିତ୍ୟ ସର୍ଜନାରେ ଓଡ଼ିଆ ଅସ୍ମିତା ପ୍ରତିଫଳିତ ହେଉଥିଲା । ସେହି ମହାପୁରୁଷଙ୍କ ଜନ୍ମ ଜୟନ୍ତୀରେ ଆମେ ସମସ୍ତେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ।

ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଶା ସହିତ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣରେ ମହତାବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମହତାବଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଜନାଭିମୁଖୀ କାର୍ଯ୍ୟ ତାଙ୍କର ବଳିଷ୍ଠ ନେତୃତ୍ୱ, ଜନସେବା ଓ ଏକତା ମନୋଭାବର ପରିଚୟ ପ୍ରଦାନ କରିଥାଏ। ଏଥିସହ ମହତାବ ଓଡ଼ିଶାର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ଜୀବନକୁ ଏକ ନୂତନ ଦିଗଦର୍ଶନ ମଧ୍ୟ ପ୍ରଦାନ କରିଥିଲେ। ତାଙ୍କର ଜୀବନୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତପ୍ରକାଶ କରିଥିଲେ।

ଏଥିସହିତ ଏକାମ୍ର ବିଧାୟକ ବାବୁ ସିଂ ଓ ବିଶିଷ୍ଟ ରାଜନୀତିଜ୍ଞ ଓ ଆଇନଜୀବୀ ଶିବାନନ୍ଦ ରାୟ ମହତାବଙ୍କ ଓଡ଼ିଶା ପ୍ରତି ରହିଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସୁନାମଧନ୍ୟ ଲେଖିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ମହତାବଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିବା ସହିତ ସାହିତ୍ୟର ଉନ୍ନତି ହୋଇପାରିଲେ ଓଡ଼ିଆ ଜାତିର ଉନ୍ନତି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ମହତାବଙ୍କ ଜୀବନ ଉପରେ ଆଧାରିତ ପୁସ୍ତକ “ଉତ୍କଳ କେଶରୀ ମହତାବ” ଓ “ରାଷ୍ଟ୍ର ନିର୍ମାତା ଡ଼ଃ ହରେକୃଷ୍ଣ ମହତାବ” ଏବଂ ଏଥିସହିତ “ପିଲାଙ୍କ ମୀନାବଜାର” ଓ ମହତାବଙ୍କ ଜୀବନୀ ଉପରେ ଆଧାରିତ ଚିତ୍ରକଳାକୁ ନେଇ ହୋଇଥିବା ପୁସ୍ତକ “ଏକ୍ସିଭିସନ୍ ଅଫ୍ ପେଣ୍ଟିଙ୍ଗସ୍ ଅଫ୍ ଉତ୍କଳ କେଶରୀ” ଉନ୍ମୋଚିତ ହୋଇଥିଲା। ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ହରେକୃଷ୍ଣ ମହତାବ ଚିତ୍ରକଳା ଶିବିରର ସମସ୍ତ ଚିତ୍ରଶିଳ୍ପୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରକାଶଯୋଗ୍ୟ ଯେ, ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମଜୟନ୍ତୀ ଅବସରରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଓଡିଶା ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇବା ସହ ମହତାବଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ ବୋଲି ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ମତପ୍ରକାଶିତ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories