ସମାଜ ଡିଜିଟାଲ ଡେସ୍କ: ଓଟିଟିରେ ଯେଉଁଠି ପୂର୍ବରୁ ନେଟଫ୍ଲିକ୍ସ, ଜିଓ ସିନେମା, ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜ୍ନୀ ପ୍ଲସ୍ ହଟଷ୍ଟାର ଭଳି ପ୍ଲାଟଫର୍ମ ଭରି ରହିଥିବାବେଳେ ଏବେ ଆଉ ଏକ ଓଟିଟି ଆପ୍ ଆସିଯାଇଛି। ଏ ପର୍ଯ୍ୟନ୍ତ ଏହିସବୁ ଓଟିଟି ଆପ୍ଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରିଥିଲା, ଯେଉଁଠାରେ ଆପଣ ମନୋରଞ୍ଜନର ବିଭିନ୍ନ ସ୍ୱାଦ ପାଇପାରିବେ। କିନ୍ତୁ ଏବେ ଏ ସମସ୍ତଙ୍କୁ ଟକ୍କର ଦେବାକୁ ଭାରତ ସରକାର ଆଣିଛନ୍ତି ଏକ ନୂଆ ଆପ୍, ଯାହାର ନାଁ ରହିଛି ଓ୍ବେଭ୍ସ(Waves)। ଏହାକୁ ଗୋଆରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଲଞ୍ଚ୍ କରାଯାଇଛି। ଏଥିରେ ଆପଣ ମନୋରଞ୍ଜନର ସମ୍ପୂର୍ଣ୍ଣ ଖୋରାକ ପାଇପାରିବେ।
ପ୍ରସାର ଭାରତୀର ଆପ୍ Wavesକୁ ‘ପାରିବାରିକ ମନୋରଞ୍ଜନର ନୂତନ ତରଙ୍ଗ’ ଭାବେ ପ୍ରଚାର କରାଯାଉଛି। ଏହା iOS ଓ ଆଣ୍ଡ୍ରଏଡ୍ରେ ଉପଲବ୍ଧ। ତେବେ ଏହି ଆପ୍ ପାଇଁ ସବସ୍କ୍ରିପସନ୍ ନେବାକୁ ପଡ଼ିବ। ଏଥିପାଇଁ ଆପଣ Waves.pb ୱେବସାଇଟ୍କୁ ଯାଇ ପେମେଣ୍ଟ କରିପାରିବେ।
‘ଓ୍ବେଭ୍ସ’ରେ ୬୫ଟି ଲାଇଭ ଚ୍ୟାନେଲ, ଭିଡିଓ ଅନ୍ ଡିମାଣ୍ଡ ଭଳି ସେବା ବ୍ୟତୀତ ଗେମ୍ ମଧ୍ୟ ଅଛି। ଏହା ବ୍ୟତୀତ ଆପଣ ଏଥରେ ଅନ୍ଲାଇନ୍ ସପିଂ ମଧ୍ୟ କରିପାରିବେ। ଐତିହାସିକ ଘଟଣାବଳୀ ଉପରେ ଇ-ବୁକ୍ ଏହି ଆପ୍ରେ ଉପଲବ୍ଧ। ପୌରାଣିକ ଚଳଚ୍ଚିତ୍ର ଓ ସିରିଜ୍ ବ୍ୟତୀତ ଏହି ଓଟିଟି ଆପ୍ରେ ଅନେକ କାର୍ଯ୍ୟକ୍ରମକୁ ଲାଇଭ୍ ଦେଖିପାରିବେ। ଅଯୋଧ୍ୟାରୁ ପ୍ରଭୁ ଶ୍ରୀରାମ ଲାଲାଙ୍କ ଆଳତି ଦେଖିପାରିବେ। ପ୍ରତି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ’ ଶୁଣି ପାରିବେ। ଏପରିକି ଏହି ଆପ୍ରେ ଆପଣ ୟୁଏସ ପ୍ରିମିୟର କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଲାଇଭ୍ ଦେଖିପାରିବେ।



