www.samajalive.in
Friday, December 5, 2025
20.1 C
Bhubaneswar

ବାପା ହେଲେ ରୋହିତ : ପର୍ଥ ଟେଷ୍ଟ ଖେଳିବେନି 

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସନ୍ତାନର ପିତା ହୋଇଛନ୍ତି। ରୋହିତଙ୍କ ପତ୍ନୀ ଋତିକା ମୁମ୍ବଇର ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ତାଙ୍କର ଏକ ଝିଅ ଥିଲା। ଏହି ଖବର ଆସିବା ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଖେଳିବା ଲାଗି ଅଷ୍ଟ୍ରେଲିଆରେ ଅଛି। ପିତା ହେବାକୁ ଥିବାରୁ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ କରିନାହାନ୍ତି। ଏ ନେଇ ରୋହିତ ବିସିସିଆଇକୁ ମଧ୍ୟ ଅବଗତ କରାଇବା ସହ ଛୁଟି ମାଗିଥିଲେ। ବିସିସିଆଇ ରୋହିତଙ୍କ ପ୍ରସ୍ତାବକୁ ସମ୍ମାନ ଦେବା ସହିତ ଛୁଟି ମଞ୍ଜୁର କରିଥିଲା। ରୋହିତ ମୁମ୍ବଇରେ ରହି ଅଭ୍ୟାସ ଜାରି ରଖିଛନ୍ତି। ରୋହିତଙ୍କୁ ଅଭ୍ୟାସ ନେଇ ମୁମ୍ବଇ କ୍ରିକେଟ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି। ଏବେ ଦ୍ବିତୀୟ ସନ୍ତାନର ପିତା ହେବା ପରେ ପର୍ଥ ଟେଷ୍ଟ ନଖେଳିବା ନେଇ ସ୍ପଷ୍ଟ ହୋଇଛି। ରୋହିତଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର  ବୁମ୍‌ରା ପର୍ଥ ଟେଷ୍ଟରେ ଭାରତର ନେତୃତ୍ବ ନେବେ। ଡିସେମ୍ବର ୬ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ବେଳକୁ ରୋହିତ ଦଳ ସହିତ ଯୋଗ ଦେ​‌ବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ରୋହିତଙ୍କ ସ୍ଥାନରେ ପ୍ରଥମ ଟେଷ୍ଟରେ ଲୋକେଶ ରାହୁଲ କିମ୍ବା ଅଭିମନ୍ୟୁ ଈଶ୍ବରନଙ୍କ ମଧ୍ୟରୁ ଜଣେ ଓପନିଂ କରିପାରନ୍ତି। ରାହୁଲ ଅଭ୍ୟାସ ସମୟରେ ଆଘାତପ୍ରାପ୍ତ ହୋଇଥିଲେ। କିନ୍ତୁ ବିସିସିଆଇ ପକ୍ଷରୁ ରାହୁଲଙ୍କ ଆଘାତ ଗୁରୁତର ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ସର୍ଫରାଜ ଖାନ ଓ ଶୁବମାନ ଗିଲ୍‌ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ସର୍ଫରାଜଙ୍କ ଆଘାତ ମଧ୍ୟ ଗୁରୁତର ନଥିବା କୁହାଯାଇଛି। ଗିଲ୍‌ଙ୍କ ବୁଢା ଆଙ୍ଗୁଠିରେ ଆଘାତ ଲାଗିଛି। ଫଳରେ ସେ ପ୍ରଥମ ଟେଷ୍ଟ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି। ଗିଲ୍‌ ଯଦି ନଖେଳନ୍ତି ତେବେ ପର୍ଥ ଟେଷ୍ଟରେ ରାହୁଲ ଓ ସର୍ଫରାଜ ଖେଳିବା ନିଶ୍ଚିତ ହେବ। ସୂଚନାଯୋଗ୍ୟ, ଭାରତ ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଟେ​‌ଷ୍ଟ ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ। ଭାରତକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର ନକରି ବିଶ୍ବ ଟେ​‌ଷ୍ଟ ଚମ୍ପିଆନସିପ୍‌ ୨୦୨୪-୨୫ ଫାଇନାଲ ଖେଳିବାକୁ ହେଲେ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାକୁ ୪-୦ରେ ଜିତିବାକୁ ପଡ଼ିବ। ଏହି ଦୃଷ୍ଟିରୁ ଭାରତ ପାଇଁ ଉକ୍ତ ଶୃଙ୍ଖଳାର ଗୁରୁତ୍ବ ବଢିଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories