ସଞ୍ଜୁ, ତିଳକଙ୍କ ଅପରାଜିତ ଶତକ; ଶୃଙ୍ଖଳା ଜିତିଲା ଭାରତ

ଜୋହାନସବର୍ଗ: ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୩୫ ରନ୍‌ରେ ବିପୁଳ ବିଜୟ ହାସଲ କରିଛି। ମ୍ୟାଚ୍‌ରେ ଦୁଇ ଭାରତୀୟ ଅପରାଜିତ ଶତକ ହାସଲ କରିଥିବା ବେଳେ ଭାରତ ୨୩ଟି ଛକା ଓ ୧୭ଟି ଚୌକା ମାରିଥିଲା। ଭାରତ ମାତ୍ର ଗୋଟିଏ ୱିକେଟ୍‌ ହରାଇଥିଲା। ଏହିଥିରୁ ସ୍ପଷ୍ଟ ଯେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍ କିପରି ପ୍ରାଧାନ୍ୟ ବିସ୍ତାର କରିଥିଲେ। ସଞ୍ଜୁ ସାମ୍‌ସନ ଶୃଙ୍ଖଳାରେ ୨ୟ ଶତକ ହାସଲ କରିଥିବା ବେଳେ ତିଳକ ବର୍ମା କ୍ରମାଗତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଶତକ ଅର୍ଜନ କରିଥିଲେ। ଫଳରେ ଭାରତ ୧ ୱିକେଟ୍‌ରେ ୨୮୩ ରନ୍‌ କରିଥିଲା; ଯାହା ଦଳର ୨ୟ ସର୍ବାଧିକ ଟ୍ବେଣ୍ଟି୨୦ ସ୍କୋର୍‌। ଚଳିତବର୍ଷ ବାଂଲାଦେଶ ବିପକ୍ଷରେ ଭାରତ ରେକର୍ଡ ୬ ୱିକେଟ୍‌ରେ ୨୯୭ ରନ୍‌ କରିଥିଲା। ୨୮୪ ରନ୍‌ର ପିଛାକରି ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୧୪୮ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଏହି ସହଜ ବିଜୟ ସହ ଭାରତ ୩-୧ରେ ଶୃଙ୍ଖଳା ଜିତିନେଇଛି।
ଦକ୍ଷିଣ ଆଫ୍ରିକା ପ୍ରଥମ ୩ ଓଭରରେ ୧୦ ରନ୍‌ରେ ୪ଟି ୱିକେଟ୍‌ ହରାଇବା ପରେ ମ୍ୟାଚ୍‌ର ଫଳାଫଳ ନିଶ୍ଚିତ ହୋଇ ଯାଇଥିଲା। ରିଜା ହେଣ୍ଡ୍ରିକ୍‌ସ ୦, ରିୟାନ୍ ରିକେଲ୍‌ଟନ ୧, ଐଡେନ ମାର୍କରାମ ୮ ଓ ହେନ୍‌ରିକ କ୍ଲାସେନ ବିନା ସ୍କୋର୍‌ରେ ଆଉଟ୍‌ ହେଇଥିଲେ। ଟିଷ୍ଟାନ୍ ଷ୍ଟବ୍‌ସ ଓ ଡେଭିଡ୍‌ ମିଲର ୮୬ ରନ୍‌ ଯୋଡ଼ିଥିଲେ। ମିଲର ୨୭ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୬ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଷ୍ଟବ୍‌ସ ୨୯ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୩ ରନ୍‌କରି ବିଦାୟ ନେଇଥିଲେ। ପରେ ଦକ୍ଷିଣ ଆଫ୍ରିକା ନିୟମିତ ୱିକେଟ୍‌ ହରାଇ ପରାସ୍ତ ହୋଇଥିଲା। ମାର୍କୋ ୟାନେ୍‌ସେନ ୨୯ ରନ୍‌ରେ ଅପରାଜିତ ଥିଲେ। ଅର୍ଶଦୀପ ସିଂହ ୩ଟି ଏବଂ ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।
ଟସ୍ ଜିତି ବ୍ୟାଟିଂ ନେବା ପରେ ଆରମ୍ଭରୁ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଆକ୍ରମଣ କରିଥିଲେ। ସଞ୍ଜୁ ସାମ୍‌ସନ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଥିଲେ। ଅଭିଷେକ ଶର୍ମା ମଧ୍ୟ ଷ୍ଟ୍ରୋକ୍‌ ଖେଳିଥିଲେ। ଫଳରେ ପ୍ରଥମ ୫ ଓଭରରେ ଭାରତ ୬୮ ରନ୍‌ରେ ପହଞ୍ଚି ଯାଇଥିଲା। ୭୩ ରନ୍‌ର ଓପ୍‌ନିଂ ଭାଗୀଦାରି ପରେ ଅଭିଷେକ ଶର୍ମା ଆଉଟ୍‌ ହୋଇଥିଲେ। ବାମହାତି ଅଭିଷେକ ବିସ୍ଫୋରକ ବ୍ୟାଟିଂକରି ୧୮ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୩୬ ରନ୍‌ କରିଥିଲେ। ପରେ ସଞ୍ଜୁ ସାମ୍‌ସନ-ତିଳକ ବର୍ମା ଶୋ’ ଆରମ୍ଭ ହୋଇ ଯାଇଥିଲା। ଦୁହେଁ ନିୟମିତ ବାଉଣ୍ଡରୀ ବର୍ଷା କରିଥିଲେ। ସଞ୍ଜୁ ୨୮ ବଲ୍‌ରୁ ଓ ତିଳକ ୨୨ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୨ ଓଭର ଶେଷରେ ସଞ୍ଜୁ ସାମ୍‌ସନ ୭୯ ରନ୍‌ କରିଥିବା ବେଳେ ତିଳକ ବର୍ମା ୩୮ ରନ୍‌ କରିଥିଲେ। ୫ ଓଭର ପରେ ସାମ୍‌ସନଙ୍କୁ ଟପି ଯାଇଥିଲେ ବାମହାତି ତିଳକ ବର୍ମା। ସାମ୍‌ସନ ୫୧ ବଲ୍‌ରୁ ଶତକ ପୂରଣ କରିଥିବା ବେଳେ ତିଳକ ୪୧ ବଲ୍‌ରୁ ଶତକ ହାସଲ କରିଥିଲେ। ସାମ୍‌ସନଙ୍କର ଏହା ୩ୟ ଟ୍ବେଣ୍ଟି୨୦ ଶତକ। ସାମ୍‌ସନ ୫୬ ବଲ୍‌ରୁ ୯ଟି ଛକା ଓ ୬ଟି ଚୌକା ସହ ୧୦୯ ରନ୍‌କରି ଅପରାଜିତ ଥିଲେ। ତିଳକ ବର୍ମା ୪୭ ବଲ୍‌ରୁ ୧୦ଟି ଛକା ଓ ୯ଟି ଚୌକା ସହ ୧୨୦ ରନ୍‌କରି ଅପରାଜିତ ଥିଲେ। ଦୁହେଁ ଅବିଭାଜିତ ୩ୟ ୱିକେଟ୍‌ ପାଇଁ ୨୧୦ ରନ୍‌ ଯୋଡ଼ିଥିଲେ। ଟି୨୦ରେ ଯେକୌଣସି ୱିକେଟ୍‌ ପାଇଁ ଏହା ଭାରତର ସର୍ବାଧିକ ଭାଗୀଦାରି। ସଞ୍ଜୁଙ୍କ ପରେ ୨ୟ ବ୍ୟାଟ୍‌ସମ୍ୟାନ ଭାବେ କ୍ରମାଗତ ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଶତକ ମାରିଛନ୍ତି ତିଳକ ବର୍ମା। ଦୁଇ ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୨୩ଟି ଛକା ସର୍ବାଧିକ।

Comments are closed.