୮ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟର ଶିକାର; ୧୦ କୋଟି ହରାଇଲେ ଅବସରପ୍ରାପ୍ତ ଇଞ୍ଜିନିୟର

ନୂଆଦିଲ୍ଲୀ: ସାଇବର ଠକଙ୍କ ଡିଜିଟାଲ ଆରେଷ୍ଟ ଚକ୍ରାନ୍ତର ଶିକାର ହୋଇଥିବା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର ୧୦ କୋଟି ଟଙ୍କା ହରାଇଥିବା ଜଣାପଡିଛି। ସାଇବର ଅପରାଧୀମାନେ ଦୀର୍ଘ ୮ ଘଣ୍ଟା ଧରି ଏହି ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ଫସାଇ ରଖିଥିଲେ। ତାଙ୍କ ଏତଲାକୁ ଆଧାର କରି ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଥିବାବେଳେ ତଦନ୍ତ ଚଳାଇଛି। ସୂଚନା ମୁତାବକ ୭୨ ବର୍ଷୀୟ ଏହି ଅବସରପ୍ରାପ୍ତ ଇଞ୍ଜିନିୟର ପତ୍ନୀଙ୍କ ସହ ରୋହିଣୀ ଅଞ୍ଚଳର ସେକ୍ଟର ୧୦ରେ ବାସ କରୁଥିବାବେଳେ ତାଙ୍କର ଦୁଇ ସନ୍ତାନ ବିଦେଶରେ ଅବସ୍ଥାନ କରୁଛନ୍ତି। ନିକଟରେ ଏହି ବ୍ୟକ୍ତିଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା। ଅପରପାର୍ଶ୍ବରେ ଥିବା ଠକ ଜଣକ ତାଙ୍କୁ କହିଥିଲେ ଯେ ଆପଣଙ୍କ ନାମରେ ତାଇୱାନରୁ ଆସିଥିବା ଏକ ପାର୍ସଲ ବର୍ତ୍ତମାନ ମୁମ୍ବଇ ବିମାନବନ୍ଦରରେ ଧରାପଡିଛି। ଉକ୍ତ ପାର୍ସଲରେ ମାଦକଦ୍ରବ୍ୟ ରହିଥିବା ଜଣାପଡିଛି। ମୁମ୍ବଇ କ୍ରାଇମ ବ୍ରାଞ୍ଚ ପୁଲିସ ଅଧିକାରୀ ତାଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ତେଣୁ ଭିଡିଓ କଲ ନିମନ୍ତେ ଆପଣ ସ୍କାଇପ୍‌ ଆପ୍‌ ଡାଉନଲୋଡ କରନ୍ତୁ ବୋଲି କୁହାଯାଇଥିଲା। ଭିଡିଓରେ ଜଣେ ୟୁନିଫର୍ମ ପିନ୍ଧିଥିବା ପୁଲିସ ଅଫିସର ତାଙ୍କ ସହ କଥା ହୋଇଥିଲେ। ଫଳରେ ବ୍ୟକ୍ତି ଜଣକ ଆହୁରି ଘାବରେଇ ଯାଇଥିଲେ। ଦୀର୍ଘ ୮ ଘଣ୍ଟା ଆଲୋଚନା କାଳରେ ଠକମାନେ ବ୍ୟକ୍ତିିଙ୍କ ବିଭିନ୍ନ ଆକାଉଣ୍ଟରୁ ମୋଟ ୧୦.୩ କୋଟି ଟଙ୍କା ଲୁଟି ନେଇଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ସଂପୃକ୍ତ ଇଞ୍ଜିନିୟର ଆଉ ଟଙ୍କା ପୈଠ କରିନଥିଲେ। ନିଜ ପରିବାର ଲୋକଙ୍କୁ ସବୁ କଥା ଜଣାଇବା ପରେ ବ୍ୟକ୍ତିଜଣକ ଦିଲ୍ଲୀ ସାଇବର ଥାନାରେ ଏତଲା ଦାଏର କରିଛନ୍ତି। ପୁଲିସ କହିବା ଅନୁଯାୟୀ ବିଦେଶରେ ଥିବା ସାଇବର ଅପରାଧୀଙ୍କ ନିକଟରୁ ଏହି ଫୋନ କଲ ଆସିଥିବାବେଳେ ଭାରତରେ ଥିବା ସେମାନଙ୍କ ସହଯୋଗୀମାନେ ସଂପୃକ୍ତ ଇଞ୍ଜିନିୟରଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ସେମାନଙ୍କୁ ଦେଇଥିଲେ।

Comments are closed.