ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ମତଦାତାଙ୍କୁ ରୋକିପାରିଲେନି ମାଓବାଦୀ

ରାଉରକେଲା : ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରେ ଆଜି ଅନୁଷ୍ଠିତ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଗଣତନ୍ତ୍ରର ମହାନ ପର୍ବରୁ ମତଦାତାଙ୍କୁ ରୋକିପାରିନାହିଁ ମାଓବାଦୀଙ୍କ ଡର । ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓବାଦୀ ପୋଷ୍ଟର ମାରି ନିର୍ବାଚନରେ ସାମିଲ୍‌ ନ ହେବାକୁ ଧମକ ଦେବା ସହ ବୋମା ଖଞ୍ଜିଥିଲେ ହେଁ ସୁରକ୍ଷା ବାହିନୀ ଉପରେ ଭରସା ରଖି ମତଦାତା ମୌଳିକ ଅଧିକାର ସାବ୍ୟସ୍ତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ୍‌ ହୋଇଛନ୍ତି । ଗଣତନ୍ତ୍ରର ଏହି ମହାନ ପର୍ବ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ମନୋହରପୁରର ଜଗନ୍ନାଥପୁର ବିଧାନସଭା କ୍ଷେତ୍ରରେ ସୋନାପିରେ ମତଦାନ ନ କରିବାକୁ ମାଓବାଦୀ ଆହ୍ବାନ ଦେଇଥିବାବେଳେ ଖଙ୍ଗଦାରେ ମାଓବାଦୀ ବୋମା ଖଞ୍ଜିଥିବା ଖବର ପ୍ରଚାରିତ ହୋଇଥିଲା । ଏସବୁ ସତ୍ତ୍ବେ ଏହି ଦୁଇ କେନ୍ଦ୍ରରେ ବହୁ ପରିମାଣରେ ମତଦାନ ହୋଇଥିବା ଖବର ମିଳିଛି । ମନୋହରପୁର ବ୍ଲକର ସାରଣ୍ଡା ଅନ୍ତର୍ଗତ ଛୋଟାନଗର ଥାନା ଅଞ୍ଚଳର ସୋନାପି-ହତନାବାରୁ ରାସ୍ତା, ବିଟକଲସୋ, ନୟାଗାଓଁ, ରାଇଡିହ ରାସ୍ତାରେ ମାଓବାଦୀ ଗଛକାଟି ରାସ୍ତା ଅବରୋଧ କରିବା ସହ ବ୍ୟାନର ମାରି ମତଦାନ ବର୍ଜନ କରିବାକୁ ଆହ୍ବାନ ଦେଇଥିଲେ । ମତଦାତା ଏହାକୁ ଖାତିର ନ କରି ମତଦାନ ପ୍ରକ୍ରିୟାରେ ସାମିଲ୍‌ ହୋଇଥିଲେ । ସେହିପରି ଖାଙ୍ଗଦା ବୁଥରେ ଦୁଇ କିଲୋ ଓଜନର ଏକ ବୋମା ଉଦ୍ଧାର କରାଯାଇଥିଲା । ବୁଥ୍‌ରେ ବୋମା ଦେଖି ପୁଲିଂ ଅଧିକାରୀ ଓ କର୍ମଚାରୀ ଭୟଭୀତ ହୋଇପଡ଼ିଥିଲେ ।

ଏହାବ୍ୟତୀତ ପଶ୍ଚିମସିଂହଭୁମ ଜିଲାର ମନୋହରପୁର ଅନ୍ତର୍ଗତ ସରଣ୍ଡାର ଲାଇଲୋର ପଞ୍ଚାୟତର ଖାଙ୍ଗଦା ଗାଁର ୨୫୫ନମ୍ବର ବୁଥ୍‌ ଫାଟକରେ ବ୍ୟାନର ଓ ପୋଷ୍ଟର ଲଗାଇବା ସହ ଭୋଟରଙ୍କୁ ଭୟଭୀତ କରିବା ପାଇଁ ଦୁଇ କିଲୋ ଓଜନର ବୋମା ଖଞ୍ଜିଥିଲେ । ଆଜି ସକାଳେ ଏ ଖବର ପ୍ରଚାରିତ ହେବା ପରେ ପୁଲିଂ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା । ଉପସ୍ଥିତ ପୁଲିସ ଓ ସୁରକ୍ଷା କର୍ମୀମାନେ ମିଳିତ ଭାବେ ମାଓ ବ୍ୟାନର, ପୋଷ୍ଟର ଓ ବୋମା ଜବତ କରିଥିଲେ । ଏସବୁ ସତ୍ତ୍ବେ ମତଦାନ କେନ୍ଦ୍ର ସମ୍ମୁଖରେ ବହୁ ମତଦାତା ନିର୍ଭୟରେ ମତଦାନ ପାଇଁ ଅପେକ୍ଷା କରି ରହିଥିଲେ । ଅଧଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ସନ୍ଧାନୀ କୁକୁର ଅଣାଯାଇ ସମଗ୍ର ଅଞ୍ଚଳ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିଲା । ମାଓ ବ୍ୟାନର, ପୋଷ୍ଟର, ବୋମାକୁ ନେଇ ସେମାନଙ୍କ ମନରେ ଆଦୌ ଡର ନାହିଁ, ସୁରକ୍ଷାବଳ ଉପରେ ସମ୍ପୂର୍ଣ୍ଣ ଭରସା ଅଛି, ଯବାନ ଲୋକତନ୍ତ୍ରର ରକ୍ଷା ପାଇଁ ମୁତୟନ ଅଛନ୍ତି ବୋଲି ପ୍ରକାଶ କରି ନିଜ ଅଧିକାର ସାବ୍ୟସ୍ତ କରି ନେତା ବାଛିବେ ବୋଲି ଉତ୍ସାହର ସହ କହିଥିଲେ ମତଦାତା । ଅନ୍ୟପକ୍ଷରେ ପୁଲିସ ଏବଂ ସୁରକ୍ଷା ବଳ ଅଧିକାରୀ କହିଛନ୍ତି ଖଞ୍ଜାଯାଇଥିବା ବୋମା ବ୍ୟାଟେରୀ ସହ ସଂଯୁକ୍ତ ନୁହେଁ।

Comments are closed.