ସାତକୋଶିଆରେ ଛଡ଼ାଯିବେ ୧୬ ଘଡ଼ିଆଳ
ଭୁବନେଶ୍ୱର: ଅନୁଗୋଳ ଜିଲା ଟିକରପଡାର ସାତକୋଶିଆ ଅଭୟାରଣ୍ୟ ମହାନଦୀ ଅଞ୍ଚଳରେ ୧୬ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯିବ। ଏଥିପାଇଁ ଘଡ଼ିଆଳ ପୁନଃଉଦ୍ଧାର ପ୍ରକଳ୍ପ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଡିସେମ୍ବରରେ ୮ଟି ଓ ୨୦୨୫ ମସିହାରେ ଆଉ ୮ଟି କୁମ୍ଭୀର ଛଡ଼ାଯିବ ବୋଲି ନନ୍ଦନକାନନ ଜୀବ ବିଜ୍ଞାନୀ ଡ.ରାଜେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଡ. ମହାପାତ୍ର କହିଛନ୍ତି ଯେ, ବନବିଭାଗ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଡ.ସୁଶାନ୍ତ ନନ୍ଦ ଏବଂ ନନ୍ଦନକାନନ ନିର୍ଦେଶକ ମନୋଜ ଭି ନାୟାରଙ୍କ ମାର୍ଗଦର୍ଶନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ୧୪ଟି ଡିଭିଜନର ବନକର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଏହା କରାଯାଉଛି। ଛଡ଼ାଯାଉଥିବା କୁମ୍ଭୀରଙ୍କ ଗତିବିଧି ଜାଣିବା ପାଇଁ ସେମାନଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯିବ । ସାଧାରଣତଃ ଘଡ଼ିଆଳ କୁମ୍ଭୀର ମଣିଷଙ୍କର କୌଣସି କ୍ଷତି କରିନଥାଏ ଓ ସେମାନେ ମାଛ ଖାଇ ବଞ୍ଚିଥାନ୍ତି। ମହାନଦୀରେ ଛଡାଯିବାକୁ ଥିବାରୁ ଏହି ଶ୍ରେଣୀର କୁମ୍ଭୀରଙ୍କୁ ଭୟ ନ କରିବାକୁ ଡ.ମହାପାତ୍ର ଜନସାଧାରଣଙ୍କୁ ସଚେତନ କରାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପୃଥିବୀରେ ଘଡ଼ିଆଳ କୁମ୍ଭୀର ବଂଶ ବିପଦରେ ରହିଛି। ୨୦୦୭ ମସିହାରେ ଆଇୟୁସିଏନ୍ ପକ୍ଷରୁ ଏହାକୁ ରେଡ଼୍ ଲିଷ୍ଟ ଭାବେ ବିବେଚନା କରାଯାଇଛି। ୪ହଜାର ବର୍ଷ ପୁରୁଣା ଏହି ଜୀବ ଲୋପପାଇବାକୁ ବସିଛି। ଏହି ଜାତୀୟ କୁମ୍ଭୀରଙ୍କ ବଂଶରକ୍ଷା କରିବାକୁ ରାଜ୍ୟରେ ବନବିଭାଗ ପକ୍ଷରୁ ୨୦୧୯ରୁ ମହାନଦୀରେ ଘଡ଼ିଆଳ ପୁନଃଉଦ୍ଧାର ପ୍ରକଳ୍ପ ଆରମ୍ଭ କରାଯାଇଛି। ସାତକୋଶିଆରେ ପ୍ରଥମ ପର୍ଯ୍ୟାୟରେ ୧୯ଟି ଘଡ଼ିଆଳ କୁମ୍ଭୀର ଛଡ଼ାଯାଇଛି। ଏଥିରେ ୭ଟି ଅଣ୍ଡିରା ଏବଂ ୧୨ଟି ମାଈ ଥିଲେ। ୫ରୁ ୧୫ ବର୍ଷ ବୟସର କୁମ୍ଭୀର ସାତକୋଶିଆର ପରିବେଶରେ ସେମାନଙ୍କ ବଂଶବୃଦ୍ଧି କରିବାରେ ସଫଳ ହୋଇଛନ୍ତି। ସାତକୋଶିଆ ଅଭୟାରଣ୍ୟ ଓ ମହାନଦୀ ବନଖଣ୍ଡରେ ପ୍ରକୃତି କୋଳରେ ଘଡ଼ିଆଳ କୁମ୍ଭୀର ଦୀର୍ଘ ୪୦ ବର୍ଷ ପରେ ଅଣ୍ଡାଦେଇ ଅନୁକୂଳ ପରିବେଶକୁ ପ୍ରମାଣିତ କରିଛନ୍ତି। ୨୦୨୧ ମେ ୨୨ ରେ କୁମ୍ଭୀରଙ୍କ ଅଣ୍ଡାରୁ ୨୮ଟି ଛୁଆ, ୨୦୨୨ରେ ୩୨ଟି, ୨୦୨୩ରେ ୩୫ ଏବଂ ୨୦୨୪ରେ ୩୫ଟି ଛୁଆ ଜନ୍ମନେଇଥିଲେ।
କୁମ୍ଭୀରଙ୍କ ଗତିବିଧି ଉପରେ ଲକ୍ଷ୍ୟ କରିବାକୁ ତିନି ଜଣ ଗବେଷକଙ୍କୁ ନିଯୁକ୍ତ କରାଯାଇଛି। ସାତକୋଶିଆ ଓ ମହାନଦୀ ବନଖଣ୍ଡର ୧୦ କିଲୋମିଟର ପର୍ଯ୍ୟନ୍ତ ନଦୀ ଗର୍ଭରେ ମତ୍ସ୍ୟଧରା ବାରଣ କରାଯାଇଛି। ଏହି ଅଞ୍ଚଳରେ ଘଡ଼ିଆଳ ଚଳପ୍ରଚଳ କରୁଛନ୍ତି। ହେଲେ ବନ୍ୟା ସମୟରେ ଘଡ଼ିଆଳ ତଳମୁଣ୍ଡକୁ ଆସିଯାଆନ୍ତି। ମାଛଧରା ସମୟରେ ଜାଲରେ ପଡ଼ିଥିବା କୁମ୍ଭୀରକୁ ମତ୍ସ୍ୟଜୀବୀ ଉଦ୍ଧାର କରୁଛନ୍ତି। ବନବିଭାଗ ପକ୍ଷରୁ ଏହି କାମ ପାଇଁ ମତ୍ସ୍ୟଜୀବୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଆକାରରେ ଏକ ହଜାର ଟଙ୍କା ଦିଆଯାଉଛି। ଲକ୍ଷ୍ନୌ ଏବଂ ଜୟପୁରରୁ ତିନୋଟି ଘଡ଼ିଆଳ କୁମ୍ଭୀର ରାଜ୍ୟକୁ ଅଣାଯାଇଛି। ନନ୍ଦନକାନନରେ ଏବେ ୧୦୧ଟି ଘଡ଼ିଆଳ କୁମ୍ଭୀର ଅଛନ୍ତି। ହେଲେ ମାଛଧରା ଜାଲରେ ପଡ଼ି ଏବଂ ମାଛ ଧରିବା ପାଇଁ ବିସ୍ପୋରକ ବ୍ୟବହାର କାରଣରୁ ୧୯ଟି କୁମ୍ଭୀରଙ୍କ ମଧ୍ୟରୁ ୯ଟି ପ୍ରାଣ ହରାଇଛନ୍ତି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଡ.ସୁଶାନ୍ତ ନନ୍ଦ କହିଛନ୍ତି ଯେ, ଘଡ଼ିଆଳ ବଂଶ ରକ୍ଷା କରିବାକୁ ଉଦ୍ୟମ ଚାଳିଛି। ଲୋକମାନେ ସଚେତନ ହେଲେ ଏହି ପ୍ରକଳ୍ପ ଫଳବତୀ ହେବ।
Comments are closed.