ଇସ୍କନ୍‌ର ଅଦିନିଆ ରଥଯାତ୍ରା ବିରୋଧରେ ଜନ ଅସନ୍ତୋଷ

ପୁରୀ: ଆଗାମୀ ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା କରିବା ଜିଦ୍‌ରେ ଅଟଳ ରହିଛି ଇସ୍କନ। ସେମାନଙ୍କର ଏଭଳି ଶାସ୍ତ୍ର ଓ ପରମ୍ପରା ବିରୋଧୀ ନିଷ୍ପତ୍ତି ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ଦାବି କରିଛନ୍ତି। ଇସ୍କନର ଏଭଳି ଶାସ୍ତ୍ର ବିରୋଧୀ କାର‌୍ୟ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତାର ପରିପନ୍ଥୀ ବୋଲି ସେମାନେ କହିଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରି ବିଦେଶରେ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି।
ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ତଥା ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଲିଖିତ ପରାମର୍ଶକୁ ଇସ୍କନ ହ୍ୟୁଷ୍ଟନ ଶାଖା ଗ୍ରହଣ କରିନାହିଁ। ଚଳିତ ମାସ ୩ ତାରିଖରେ ଅଦିନିଆ ସ୍ନାନଯାତ୍ରା ଆୟୋଜନ ପାଇଁ ଇସ୍କନ କରିଥିବା ଘୋଷଣାରୁ ଓହରିଥିଲେ ମଧ୍ୟ ରଥଯାତ୍ରା ଜିଦ୍‌ରେ ଅଟଳ ଥିବା ଜଣାପଡିଛି। ଶ୍ରୀମନ୍ଦିରରେ ପାଳିତ ବିଧି ବିଧାନ ଅନୁଯାୟୀ ନିର୍ଦ୍ଧାରିତ ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରିବାକୁ ଗଜପତି ମହାରାଜା ଏହା ପୂର୍ବରୁ ଇସ୍କନକୁ ଚିଠି ଲେଖି ପରାମର୍ଶ ଦେଇଥିଲେ। ଏସବୁ ସତ୍ତ୍ୱେ ଅଦିନିଆ ରଥଯାତ୍ରା ଜିଦରେ ଇସ୍କନ ହୋଷ୍ଟନ ଶାଖା ଅଟଳ ରହିବାରୁ ଶ୍ରୀଜଗନ୍ନାଥ ମନ୍ଦିର ସମେତ ଦେଶ ବିଦେଶର ଜଗନ୍ନାଥ ମନ୍ଦିର ଗୁଡିକରେ ଇସ୍କନ କର୍ମୀଙ୍କୁ ବାସନ୍ଦ କରାଯିବ ବୋଲି ବରିଷ୍ଠ ଦଇତାପତି ସେବକ ଡଃ ଦୁର୍ଗା ପ୍ରସାଦ ଦାସ ମହାପାତ୍ର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଅଦିନିଆ ରଥଯାତ୍ରା ଜିଦରେ ଇସ୍କନ ଯଦି ଅଟଳ ରୁହେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି କଠୋର ନିଷ୍ପତ୍ତି ଗ୍ରହଣ କରିପାରିବ। ଏଥିପାଇଁ ମନ୍ଦିର ପରିଚାଳନା କମିଟିର କ୍ଷମତା ରହିଛି। ସେବକ ଜିତେନ୍ଦ୍ର କୁମାର ମହାପାତ୍ର କହିଛନ୍ତି, ଇସ୍କନ ଗୋଟିଏ ସଂସ୍ଥା। ଦେଶ ବିଦେଶରେ ଏହାର ଶାଖା ରହିଛି। ତେଣୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଇସ୍କନ ଓଡ଼ିଶା ଶାଖା ଏବଂ ଭାରତ ଶାଖା ପକ୍ଷରୁ ହ୍ୟୁଷ୍ଟନ ଶାଖାକୁ ପରାମର୍ଶ ଦିଆଯିବା ଉଚିତ୍। ଇସ୍କନର ଅଦିନିଆ ରଥଯାତ୍ରା ଘୋଷଣା ବିରୋଧରେ ନୂଆଦିଲ୍ଲୀ ହଜଖସ ଏବଂ ନୋଏଡା ଜଗନ୍ନାଥ ମନ୍ଦିର କମିଟି କର୍ମକର୍ତ୍ତା ସୋମବାର ସ୍ବର ଉତ୍ତୋଳନ କରିଛନ୍ତି।

Comments are closed.