ଏସ୍‌ସିବିରେ ପଶିଲା ଆମ୍ବ ଟାକୁଆ ଜାଉ ରାଜନୀତି; ଦୁଇ ଗୁରୁତର ହେପାଟାଇଟିସ୍‌ ଆକ୍ରାନ୍ତ

କଟକ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ(କୋଇଲି)ରୁ ପ୍ରସ୍ତୁତ ଜାଉ ଖାଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ଦୁଇ ଗୁରୁତର ରୋଗୀ ହେପାଟାଇଟିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଯକୃତରେ ଗୁରୁତର ସଂକ୍ରମଣ ହୋଇଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତରୀ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଦ୍ରୁତଗତିରେ ଉଭୟଙ୍କ ଲିଭର(ଯକୃତ) ଖରାପ ହେବା ଆରମ୍ଭ କରିଛି। ଏହାସହ ଆକ୍ରାନ୍ତଙ୍କ ବିଭିନ୍ନ ଅଙ୍ଗ କାମ ଦେଉ ନଥିବା ଜଣାପଡିଛି।
ଅପରପକ୍ଷେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର୍‌ ଧରିଛି। ସୋମବାର ଏସ୍‌ସିବିରେ ଦୁଇ ଗୁରୁତରଙ୍କୁ ଭେଟି ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ସରକାର ସଚେତନତା ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି ଏବଂ ପିଡିଏସ୍ ଚାଉଳ ଦେଇପାରି ନ ଥିବା ନେଇ ବିରୋଧୀ ଆଣିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି ନ କରିବାକୁ ସେ ବିରୋଧୀ ଦଳ ଗୁଡିକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ବିଜେଡିର ୫ ଜଣିଆ ବିଧାୟକ ଦଳ ମଧ୍ୟ ସୋମବାର ଡାକ୍ତରଖାନାକୁ ଯାଇ ପୀଡିତା ଦ୍ବୟଙ୍କୁ ଭେଟିଛନ୍ତି। ରାଜ୍ୟରେ ପିଡିଏସ୍ ବଣ୍ଟନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ବିଜେଡି ଅଭିଯୋଗ କରିଛି।
ସୂଚନା ଅନୁଯାୟୀ, ଏସ୍‌ସିବି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଭେଷଜ ଆଇସିୟୁରେ ଟୁନି ମାଝୀ ଓ ଜିତା ମାଝୀଙ୍କ ଚିକିତ୍ସା ଶନିବାର ବିଳମ୍ବିତ ରାତିଠାରୁ ଚାଲିଛି। ହେଲେ ଉଭୟ ପୀଡିତାଙ୍କ ବୃକ୍‌କ, ଯକୃତ ଓ ମସ୍ତିଷ୍କରେ ସମସ୍ୟା ଥିବା ବେଳେ ଛାତି ଓ ପେଟରେ ପାଣି ଜମା ହୋଇ ରହିଛି। ଜଣକର ଆଖିରୁ ରକ୍ତ ବାହାରିବା ଆରମ୍ଭ ହୋଇଛି। ଭେଷଜ ବିଭାଗ ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡାଙ୍କ ନେତୃତ୍ବରେ ନେଫ୍ରୋଲୋଜି, ହେପାଟୋଲୋଜି ବିଭାଗର ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଛନ୍ତି।
ତେବେ ପ୍ରଥମେ ବିଜେଡି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ବାଳଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଏସ୍‌ସିବି ମେଡିକାଲରେ ପହଞ୍ଚି ଉଭୟ ପୀଡିତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ କହିଛନ୍ତି ଯେ, ଏହା ଏକ ଲଜ୍ଜାଜନକ ଘଟଣା । ଏ ଦିଗରେ ସରକାର ସଚେତନତା ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। ତୁରନ୍ତ ମୃତକଙ୍କ ପରିବାରକୁ ପର‌୍ୟ୍ୟାପ୍ତ କ୍ଷତିପୂରଣ ପ୍ରଦାନ ସହ ଆହତଙ୍କୁ ସରକାର ତୁରନ୍ତ ମାଗଣା ଚିକିତ୍ସା ଦେବାକୁ ସେ ଦାବି କରିଛନ୍ତି। ଉକ୍ତ ଘଟଣାରେ ପୂର୍ବରୁ ମୃତ୍ୟୁବରଣ କରିଥିବା ୨ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ସରକାର ଗୁରୁତ୍ବ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମେଡ଼ିକାଲ କଲେଜ ଅଧ୍ୟକ୍ଷା ତଥା ଅଧୀକ୍ଷକ ଦାୟିତ୍ବରେ ଥିବା ପ୍ରଫେସର ଡା. ଲୁସି ଦାସ, ମେଡିକାଲର ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତଙ୍କ ସମେତ ସମସ୍ତ ଡାକ୍ତର, ବିଜେପି କଟକ ନଗର ଜିଲା ସଭାପତି ଲଲାଟେନ୍ଦୁ ବଡ଼ୁ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଏହି ଘଟଣାରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ସରପଞ୍ଚ ଏସ୍‌ସିବି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ଅଭିଯୋଗ ଉଠାଇଛନ୍ତି। ସରପଞ୍ଚ କୁମାରୀ ମଲ୍ଲିକ କହିଛନ୍ତି ଯେ, ବଡ଼ ମେଡ଼ିକାଲରେ ବିଶେଷ ସୁବିଧା ସୁଯୋଗ ମିଳୁନାହିଁ। ରୋଗୀଙ୍କୁ ନେବା ଆଣିବାରେ ହଇରାଣ ହେବାକୁ ପଡ଼ୁଛି। ଅଲଟ୍ରାସାଉଣ୍ଡ ପାଇଁ ରୋଗୀଙ୍କୁ ଟେକି କରି ନେବାକୁ ହେଉଛି ବୋଲି କୁମାରୀ ଅଭିଯୋଗ କରିଛନ୍ତି।

Comments are closed.