ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ଆଜି ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ମୃତକଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ ଜବତ କରାଯାଇଛି। ସେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼ (କକଈଘ) ସଂଗଠନର ସକ୍ରିୟ ସଦସ୍ୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସର ଏହି ସଫଳତା ନିମନ୍ତେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ କନ୍ଧମାଳ ପୁଲିସ ଓ ଗୁଇନ୍ଦା ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଗତ ୨୩.୧୦.୨୦୨୪ ତାରିଖରୁ କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ବୁଦାନାଇ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ସମ୍ପର୍କରେ ଗୁଇନ୍ଦା ପକ୍ଷରୁ ଖବର ମିଳିଥିଲା। ଏନେଇ ପୋଲିସ ଏବଂ ଏସଓଜି ଯବାନ ମିଳିତ ଭାବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଫଳରେ ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା। ଏହି ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା।

ଏହାସହ ଯବାନମାନେ ଜଙ୍ଗଲରୁ ଏକେ-୪୭ ବନ୍ଧୁକ ସହ ମାଓବାଦୀମାନେ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ମାଓବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନାଯୋଗ୍ୟଯେ ୨୦୨୪ ମସିହାରେ ଓଡିଶା ପୋଲିସ ଦ୍ବାରା ବର୍ତ୍ତମାନ ସୁଦ୍ଧା ୦୫ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି।

Comments are closed.