ପ୍ରଥମ ଟେଷ୍ଟ ହାରିଲା ଟିମ୍‌ ଇଣ୍ଡିଆ

ସମାଜ ଡିଜିଟାଲ ଡେସ୍କ: ବେଙ୍ଗାଲୁରୁର ଏମ. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ପରାଜିତ ହୋଇଛି ଟିମ ଇଣ୍ଡିଆ। ଘରୋଇ ଦଳକୁ ୮ ଉଇକେଟରେ ହରାଇ ଦେଇଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ। ଶେଷ ଦିନରେ ବିଜୟ ପାଇଁ ୧୦୭ ରନ୍‌ ଆବଶ୍ୟକ ଥିବାବେଳେ ନ୍ୟୁଜିଲାଣ୍ଡ ଟିମ୍‌ ୨ ଉଇକେଟ୍‌ ହରାଇ ୧୧୦ ରନ୍‌ ସଂଗ୍ରହ କରି ମ୍ୟାଚକୁ ଜିତି ନେଇଥିଲା।

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମ୍ନା କରିଥିଲା। ଫଳରେ ପ୍ରଥମ ଇନିଂସରେ ଦଳ ମାତ୍ର ୪୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ରଚିନ ରବୀନ୍ଦ୍ରଙ୍କ ଶତକ(୧୩୪) ବଳରେ ନ୍ୟୁଜିଲାଣ୍ଡ ୪୦୨ ରନ୍‌ କରିଥିଲା। ଭାରତ ୨ୟ ଇନିଂସରେ ବଡ଼ ସ୍କୋର କରିବାକୁ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇଥିଲା। ତେବେ ସର୍ଫରାଜ ଖାନଙ୍କ ଶତକ(୧୫୦), ରୁଷଭ ପନ୍ତଙ୍କ ୯୯, କୋହଲିଙ୍କ ୭୦ ଏବଂ ରୋହିତ ଶର୍ମାଙ୍କ ୫୨ ରନ୍‌ ବଳରେ ୪୬୨ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ଜିତିବା ଲାଗି ୧୦୭ ରନ ଦରକାର ପଡ଼ୁଥିଲା। ଯାହାକୁ ଦଳ ୨ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ଉଇଳ ୟୋଙ୍ଗ ୪୮ ଏବଂ ରଚିନ ରବୀନ୍ଦ୍ର ୩୯ ରନ କରି ଅପରାଜିତ ଥିଲେ।

Comments are closed.