ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ବାପା ଛେଉଣ୍ଡ କନ୍ୟାସନ୍ତାନକୁ ବଳାତ୍କାର ଘଟଣାରେ ବଡ଼ସାହି ପୁଲିସ୍ ଗୁରୁବାର ଅଭିଯୁକ୍ତ କମଳ ଲୋଚନ ସିଂ(୩୦)ଙ୍କୁ କୋର୍ଟ ଚାଲାଣ କରିଛି। ଖବର ଅନୁସାରେ, ମକର ପର୍ବରେ ମସୁଗୁଲ ହୋଇ କମଳ ଲୋଚନ ନିଶାଶକ୍ତ ଅବସ୍ଥାରେ ୫ବର୍ଷର ଝିଅକୁ ଚକୋଲେଟ ଓ ବିସ୍କୁଟ ଦେବି କହି ସାଇକେଲରେ ବସାଇ ଘର ଠାରୁ ଦେଢ କି.ମି ଦୂର ଏକ ଜଙ୍ଗଲକୁ ନେଇ ବଳାତ୍କାର କରିବା ପରେ ସନ୍ଧ୍ୟାରେ ପିଡୀତାକୁ ଘରେ ଛାଡି ଦେଇ ଫେରାର ହୋଇଯାଇଥିଲା। ମା’ ଭତ୍ତା ଟଙ୍କା ଆଣିବାକୁ ପଞ୍ଚାୟତ ଅଫିସକୁ ଯାଇ ଫେରି ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବା ପରେ ଘଟଣା ପ୍ରଘଟ ହୋଇଥିଲା। ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ସାହି ପଡିଶାଙ୍କ ସହାୟତାରେ ପିଡୀତାକୁ ପ୍ରଥମେ ବଡ଼ସାହି ପରେ ବାରିପଦା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସ୍ୱତନ୍ତ୍ର ଭାବେ ତାର ଚିକିତ୍ସା ମଧ୍ୟ କରାଯାଉଛି। ପୁଲିସ ତଦନ୍ତ ପୂର୍ବକ କେସ୍ ନଂ-୧୦/୧୯ରେ ଏକ ମାମଲା ରୁଜୁ କରି ପକ୍ସୋ ଆକ୍ଟ ୬,୩୭୬(ଏବି) ଆଇପିସି ଦଫାରେ ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ୩ ଥର ବିବାହ କରିଥିବା ଜଣାପଡିଛି। ଜଣେ କାମାନ୍ଧ ଯୁବକ ଭାବେ ଏଥି ପୂର୍ବରୁ ବିବାଦୀୟ ମଧ୍ୟ ରହିଥିବା ପୁଲିସ୍ ତଦନ୍ତ ସମୟରେ ଜଣାପଡ଼ିଛି। ସେହିପରି ନାବାଳିକାର ଡାକ୍ତରୀ ମାଇନା ସହ ବୟାନ ସଂଗ୍ରହ କରାଯାଇଛି। ଶିଶୁ ବଳାତ୍କାର ମାମଲା ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଭଳି ଘଟଣାକୁ ନେଇ ପୁଲିସ ଖୁବଶୀଘ୍ର ତଦନ୍ତ ପୂର୍ବକ ୧୫ଦିନ ମଧ୍ୟରେ ଚାର୍ଜସିଟ ଦାଖଲ କରାଯିବ ବୋଲି ତଦନ୍ତକାରୀ ଅଫିସର ଜୟନାରାୟଣ ଖଣ୍ଡାଇ ପ୍ରକାଶ କରିଛନ୍ତି। ବାପ ଛେଉଣ୍ଡ ନାବାଳିକାର ରକ୍ଷଣାବେକ୍ଷଣ ପାଇଁ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ପ୍ରତିକ୍ରିୟା ସ୍ୱରୂପ ଚେତାବନୀ ଦିଆଯାଇଛି। ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଘୋଷାଲ, ଦଳର ଜିଲା ସଭାପତି ହେମନ୍ତ ଦାସ, ଉପସଭାପତି ଅଜିତ ଜେନା ଓ ସମ୍ପାଦକ ରାମଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଏକ ଦଳ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକତ୍ସିତ ହେଉଥିବା ପୀଡ଼ିତା କନ୍ୟା ସନ୍ତାନଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଏଥି ସହିତ ବଡ଼ସାହି ଥାନା ଅଧିକାରୀଙ୍କୁ ସେମାନେ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ସହିତ ପୀଡ଼ିତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଅନ୍ୟଥା ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ କୋର୍ଟ ଚାଲାଣ
Popular Categories



