ମୂଲ୍ୟାୟନ ନ କଲେ ନିଲମ୍ବନ

0

ଭୁବନେଶ୍ୱର : ଶିକ୍ଷକମାନଙ୍କ ପକ୍ଷରୁ ବିଭିନ୍ନ ସମୟରେ ଦାବିପୂରଣ ନେଇ ହେଉଥିବା ଆନ୍ଦୋଳନ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି। ଏଥିଯୋଗୁଁ ସରକାରଙ୍କ ସବୁ ଯୋଜନାରେ ବାଧା ଉପୁଜୁଥିବାବେଳେ ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା ଶିକ୍ଷା ମିଳୁ ନାହିଁ। ତେଣୁ ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ। ଯେଉଁ ସରକାରୀ ଶିକ୍ଷକ-ଅଧ୍ୟାପକ ଯୁକ୍ତଦୁଇ ପରୀକ୍ଷା ମୂଲ୍ୟାୟନ ପାଇଁ ମନୋନୀତ ହୋଇଛନ୍ତି ଏବଂ କାର୍ଯ୍ୟରେ ଯୋଗଦେଉ ନାହାନ୍ତି ସେମାନଙ୍କୁ ଛାଡ଼ ଦିଆଯିବ ନାହିଁ। ପରୀକ୍ଷା ଖାତା ମୂଲ୍ୟାୟନ ନିୟମ ୭,୮ ଓ ୯ ଅନୁଯାୟୀ ସରକାରୀ ଶିକ୍ଷକ-ଅଧ୍ୟାପକଙ୍କୁ ସାବାଡ କରିବାପାଇଁ ବିଭାଗ ପକ୍ଷରୁ ତିନି ପ୍ରକାର ‘ଥ୍ରୀ-ଟାଇପ୍‍ସ’ କାର୍ଯ୍ୟାନୁଷ୍ଠାନ ନେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶନିବାର ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକର ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ମୂଲ୍ୟାୟନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାପାଇଁ ୧୫୦୦ ଶିକ୍ଷକ-ଅଧ୍ୟାପକଙ୍କ ସ୍ଥଳେ ୧୮୦୦ଜଣଙ୍କୁ ନିଆଯାଇଛି। ସେଥିମଧ୍ୟରୁ ଶୁକ୍ରବାର ୯୭୩ଜଣ କାର୍ଯ୍ୟରେ ଯୋଗଦେଇଥିବାବେଳେ ଶନିବାର ୧୦୫୦କୁ ବୃଦ୍ଧି ପାଇଛି। ତେବେ ଖାତା ଦେଖାରେ ଉପୁଜୁଥିବା ସାମାନ୍ୟ ବ୍ୟତିକ୍ରମକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଥ୍ରୀ-ଟାଇପ୍‍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁ ସରକାରୀ ଶିକ୍ଷକମାନେ ଖାତା ଦେଖା କେନ୍ଦ୍ରରେ ଆଜି ସୁଦ୍ଧା ରିପୋଟିଂ କରି ନାହାନ୍ତି ସେମାନଙ୍କ ବିରୋଧରେ ନିଲମ୍ବନ, ଶଅଙ୍ଖଳାଗତ ଓ ଆଇନଗତ ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଶିକ୍ଷକ କାର୍ଯ୍ୟରେ ଯୋଗଦେଇ ନାହାନ୍ତି ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବ। ଏନେଇ ସଂପୃକ୍ତ ବିଧାୟକଙ୍କୁ ଅବଗତ କରାଯାଇଛି। ପ୍ରତିଦିନ କେତେ ଶିକ୍ଷକ ଅନୁପସ୍ଥିତ ରହିଲେ ତାହାର ତାଲିକା ପରୀକ୍ଷା ନିୟନ୍ତ୍ରକ ଜଣାଇବେ। କେବଳ କେତେକ ବାସ୍ତବିକ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଛାଡି ଦେଲେ କୌଣସି ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଉଚ୍ଚଶିକ୍ଷା ନିର୍ଦେଶକ ଧୀରେନ ପଟ୍ଟନାୟକ, ସୁନ୍ଦରଲାଲ ସିଲ୍‍, ପ୍ରଦୀପ ନାୟକଙ୍କ ସହିତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।
ବିଭାଗର ନିର୍ଦେଶନାମାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ କହିଛନ୍ତି ଯେ କାର୍ଯ୍ୟରେ ଅନୁପସ୍ଥିତ ଶିକ୍ଷକ-ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମୂଲ୍ୟାୟନ କେନ୍ଦ୍ର ସୁପରଭାଇଜରମାନଙ୍କୁ ପରୀକ୍ଷା ନିୟନ୍ତ୍ରକ ନିର୍ଦେଶ ଜାରି କରିଛନ୍ତି। କେବଳ ସ୍ୱାସ୍ଥ୍ୟଗତ କାରଣକୁ ବାଦ୍‍ ଦେଇ ଅନ୍ୟକିଛି ଗ୍ରହଣୀୟ ହେବନାହିଁ। ଚଳିତ ବର୍ଷ ଏପ୍ରିଲ୍‍ ୨୮ସୁଦ୍ଧା ଖାତା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଯୋଜନା ରହିଛି। ଧାର୍ଯ୍ୟଠାରୁ କମ୍‍ ଶିକ୍ଷକ ଖାତା ଦେଖୁଥିବାରୁ ମେ’ ୨୦ ତଥା ତୃତୀୟ ସପ୍ତାହ ମଧ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶ କରାଯିବ। ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ, ସ୍ୱୟଂଶାସିତ ଡିଗ୍ରୀ ମହାବିଦ୍ୟାଳୟ ଏବଂ ମଡେଲ୍‍ ଡିଗ୍ରୀ କଲେଜ ଶିକ୍ଷକଙ୍କୁ ବିକଳ୍ପ ଶିକ୍ଷକ ଭାବେ ନିୟୋଜିତ କରାଯିବାକୁ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆନ୍ଦୋଳନରତ ଶିକ୍ଷକଙ୍କୁ ଉତ୍ତରଖାତ ଦେଖିବା ପାଇଁ ଚିଠି ଦିଆଯାଇନାହିଁ। ସେମାନେ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଖାତା ଦେଖିବାକୁ ଆସୁଥିବା ପରୀକ୍ଷକଙ୍କୁ ପିକେଟିଂ କରୁଛନ୍ତି। ଫଳରେ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ନେଇ ସମସ୍ୟା ସୃଷ୍ଟି ହେଉଛି। ମିଳିତ ଶିକ୍ଷକ ମଞ୍ଚ ଆନ୍ଦୋଳନ କରନ୍ତୁ, କିନ୍ତୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯେଉଁମାନେ ଖାତା ଦେଖୁଛନ୍ତି ସେମାନଙ୍କ ଲାଗି ସମସ୍ୟା ସୃଷ୍ଟି ନକରନ୍ତୁ। ନିର୍ଦ୍ଧାରିତ ତାରିଖ ସୁଦ୍ଧା ଖାତା ଦେଖାଯାଇ ନପାରିଲେ ଫଳ ପ୍ରକାଶନରେ ବିଳମ୍ବ ହେବ ଏବଂ ଛାତ୍ରଛାତ୍ରୀ ଜାତୀୟସ୍ତରୀୟ ପ୍ରବେଶିକା ଇଞ୍ଜିନିୟରିଂ ଓ ମେଡ଼ିକାଲ୍‍ ସମେତ ଅନ୍ୟାନ୍ୟ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଆଶା ରଖିଥିବା ଛାତ୍ରଛାତ୍ର ସୁଯୋଗ ପାଇବେ ନାହିଁ। ତେଣୁ ଯୁକ୍ତ ଦୁଇ ମୂଲ୍ୟାୟନରେ ଅସହଯୋଗ କରୁଥିବା ଶିକ୍ଷକଙ୍କ ବିରୋଧରେ ଏତଲା ଦେଇ ଦୃଢ଼ ପଦକ୍ଷେପ ନେବାକୁ କୁହାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସମ୍ମିଳନୀରେ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ, ଉପପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା, ସମ୍ପାଦକ ସତ୍ୟଜିତ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply