www.samajalive.in
Sunday, December 14, 2025
26.1 C
Bhubaneswar

ଫରେଷ୍ଟର ଆତ୍ମହତ୍ୟା ମାମଲା: ଡିଏଫଓ ନିଲମ୍ବିତ

ଭବାନୀପାଟଣା : ରାୟଗଡ଼ା ସିଲ୍‌ଭି କଲ୍‌ଚର୍‌ ବନଖଣ୍ଡ ଅନ୍ତର୍ଗତ କଳାହାଣ୍ଡି ଜାରିଂ ହାଇଟେକ୍‌ ନର୍ସରୀ ଦାୟିତ୍ୱରେ ଥିବା ସିଲ୍‌ଭି କଲ୍‌ଚର ଫରେଷ୍ଟର ସଞ୍ଜୟ ନାଏକ ଆତ୍ମହତ୍ୟା ଘଟଣାରେ ବିବାଦୀୟ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପତ୍ର ସଂଖ୍ୟା ୧୯୦୮୭/ ୫ ଅକ୍ଟୋବର ୨୪ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି। ଡିଏଫଓ ଶ୍ରୀ ବେହେରାଙ୍କ ନାମରେ ଭବାନୀପାଟଣା ଟାଉନ ଥାନାରେ ମାମଲା ରୁଜୁ ହୋଇଥିବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ନିଲମ୍ବନ ସମୟରେ ସେ ଭୁବନେଶ୍ୱରସ୍ଥିତ ରାଜ୍ୟ ମୁଖ୍ୟ ବନସଂରକ୍ଷକ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ଜଣେ ସିସିଏଫଙ୍କ ଦ୍ବାରା ଏହି ଘଟଣାର ବିଭାଗୀୟ ତଦନ୍ତ ମଧ୍ୟ ଚାଲିଛି। ଶୁକ୍ରବାର ଟାଉନ୍‌ ଥାନାରେ ହାଜର ହୋଇଥିବା ଡିଏଫ୍‌ଓ ଶ୍ରୀ ବେହେରା ଶନିବାର ଜେରା ଶେଷ ପରେ ରାତି ପ୍ରାୟ ୮.୩୦ରେ ଥାନାରୁ ବାହାରି ଏକ କାର୍‌ରେ ଯାଇଥିଲେ। ଆଜି ପୁଣି ଜେରା ପାଇଁ ଥାନାକୁ ଡକାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ ଯେ ଟାଉନ୍‌ ପୁଲିସ ବିଭାଗୀୟ ଡିଏଫଓ (ରାୟଗଡ଼ା) ଦେବେନ୍ଦ୍ର ବେହେରାଙ୍କୁ ଜେରା ପାଇଁ ନୋଟିସ ପଠାଇଥିଲେ ହେଁ ସେ ୨ଥର ଏଡ଼ାଇ ଯାଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପରେ ଡିଏଫଓ ଶୁକ୍ରବାର ଥାନାରେ ପହଞ୍ଚିଥିଲେ। ଭବାନୀପାଟଣା ଟାଉନ୍‌ ଥାନାରେ ଶୁକ୍ରବାର ଡିଏଫଓ ଶ୍ରୀ ବେହେରା ପହଞ୍ଚିଥିଲେ। ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ, ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ ଓ ତଦନ୍ତକାରୀ ଅଧିକାରୀ ତପନ କାଲୋ ଅପରାହ୍ଣରୁ ଡିଏଫଓଙ୍କୁ ଜେରା କରିଥିଲେ। ତଦନ୍ତକାରୀ ଦଳର ପ୍ରାୟ ୪୦ଟି ପ୍ରଶ୍ନର ଉତ୍ତର ଦେବା ବେଳେ ଏସି ପ୍ରକୋଷ୍ଠରେ ଥାଇ ସୁଦ୍ଧା ଡିଏଫ୍‌ଓ ଶ୍ରୀ ବେହେରା ଝାଳେଇ ଯାଇଥିବା ଜଣାପଡ଼ିଛି। ଶନିବାର ସକାଳେ ଜେରା ପାଇଁ ଡିଏଫଓ ଶ୍ରୀ ବେହେରା ଟାଉନ ଥାନାରେ ବସିଥିବା ବେଳେ ମୋବାଇଲ୍‌ରେ ୟୁଟ୍ୟୁବ ଦେଖୁଥିଲେ। ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ପ୍ରଶ୍ନରେ ବ୍ୟତିବ୍ୟସ୍ତ ହୋଇ ଥାନା ବାହାରକୁ ଚାଲିଆସିଥିଲେ। ଅପରାହ୍ନରେ ମଧ୍ୟ ପୁଲିସ ତାଙ୍କୁ ଜେରା କରିଥିବା ସୂଚନା ମିଳିଛି। ଗତକାଲିଠାରୁ ସ୍ଥାନୀୟ ପୁଲିସର ଜେରାକୁ ସମ୍ମୁଖୀନ କରୁଥିବା ଡିଏଫଓ  ଫରେଷ୍ଟର ସ୍ବର୍ଗତ ନାଏକଙ୍କ ଆତ୍ମହତ୍ୟା ଓ ଆତ୍ମହତ୍ୟା ସ୍ବୀକୃତିରେ ଲେଖାଥିବା ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି। ବଲାଙ୍ଗିର ବଦଳି କରିଥିବାରୁ ଫରେଷ୍ଟର ସ୍ବର୍ଗତ ନାଏକ ଅସନ୍ତୁଷ୍ଟ ହୋଇ ମୋ ବିରୋଧରେ କିଛି ଲେଖିଥାଇ ପାରନ୍ତି ବୋଲି ଡିଏଫଓ ଶ୍ରୀ ବେହେରା ପ୍ରତିକ୍ରିୟାରେ କହିଥିଲେ। ପିସି କିମ୍ବା କୌଣସି ଉପହାର, ଦ୍ରବ୍ୟ ତାଙ୍କୁ ଫରେଷ୍ଟର ଦେଇ ନାହାନ୍ତି। ଅଭିଯୋଗ ସମ୍ପୂର୍ଣ୍ଣ ମନଗଢ଼ା ବୋଲି ଡିଏଫଓ ଶ୍ରୀ ବେହେରା ଆଜି ଟାଉନ ଥାନାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନୋତ୍ତରରେ ନିଜ ସଫେଇ ରଖିଥିଲେ।ପ୍ରକାଶ ଯେ ଗତ ୧୮ରେ ଫରେଷ୍ଟର ସଞ୍ଜୟ ନାଏକ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିଲେ। ଶବ ନିକଟରୁ ମିଳିଥିବା ଏକ ଆତ୍ମହତ୍ୟା ସ୍ବୀକୃତିରେ ଡିଏଫଓଙ୍କୁ ପିସି ଦେଇଥିବା କଥା ଉଲ୍ଲେଖ ରହିଛି। ଏ ନେଇ ସ୍ବର୍ଗତ ନାଏକଙ୍କ ଭାଇ ଲିଖିତ ଅଭିଯୋଗ ପରେ ପୁଲିସ ଡିଏଫ୍‌ଓ ଶ୍ରୀ ବେହେରାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ରାୟଗଡା ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ଆଦେଶ ପାଇବା ପରେ ଡିଏଫ୍‌ଓ ଗତକାଲି ଟାଉନ୍‌ ଥାନାରେ ହାଜର ହୋଇଥିଲେ। ଡିଏଫ୍‌ଓ ଶ୍ରୀ ବେହେରାଙ୍କ ସମେତ ଏସିଏଫ୍‌ ରଜନୀ ରାଉତ ଓ ରେଞ୍ଜର ପ୍ରକାଶ ରଥଙ୍କୁ ପୁଲିସ ପଚରାଉଚରା କରିଥିବା ଜଣାପଡ଼ିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories