ଓଡ଼ିଆ ଅସ୍ମିତାକୁ ବଜାୟ ରଖିଛି ‘ସମାଜ’ : ରାଜ୍ୟପାଳ

କଟକ: ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ଉନ୍ନତି ଦିଗରେ ‘ସମାଜ’ କାର୍ଯ୍ୟ କରିଆସୁଛି। ଓଡ଼଼ିଆ ଅସ୍ମିତାକୁ ଉଲ୍ଲେଖନୀୟ ରୂପରେ ବଜାୟ ରଖିଛି। ଓଡ଼ିଶାବାସୀଙ୍କ ହୃଦୟରେ ଆସ୍ଥା ଓ ଭରସା ଜନ୍ମାଇବା ପ୍ରଶଂସନୀୟ ବୋଲି ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ଆୟୋଜିତ ‘ସମାଜ’ର ୧୦୫ତମ ସ୍ବନକ୍ଷତ୍ର ଉତ୍ସବର ମୁଖ୍ୟଅତିଥି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ସେ କହିଥିଲେ ଯେ, ‘ସମାଜ’ ଏହି ଲମ୍ବା ଯାତ୍ରାରେ ନିରପେକ୍ଷତା, ପ୍ରାଥମିକତା, ପ୍ରମାଣିକତା ଏବଂ ନୈତିକତା ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି। ଉତ୍କଳମଣି ପଣ୍ଡିତ ଗୋ ପବନ୍ଧୁ ଦାସ କେବଳ ‘ସମାଜ’କୁ ଏକ ଆକାର ଦେଇଥିଲେ ତାହା ନୁହେଁ ବରଂ ନିଜ ନିଷ୍ଠା ଓ ସମର୍ପଣର ସହିତ ଏହାକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ବହୁମୂଲ୍ୟ ଯୋଗଦାନ ଦେଇଥିଲେ। ସଂଘର୍ଷର ୧୦୫ ବର୍ଷ ପୂରଣ ହୋଇଛି। ନାମ ଅନୁସାରେ ‘ସମାଜ’ ଖବରକାଗଜ ସମାଜ ପ୍ରତି ପ୍ରତିଶ୍ରୁତିବଦ୍ଧ ରହୁ ଏବଂ ପ୍ରକଟତାରେ କୌଣସି ଗୌଣତା ନ ରହୁ। ଖବର କାଗଜ ଉପରେ ରାଷ୍ଟ୍ରୀୟ ଦାୟିତ୍ବ ନ୍ୟସ୍ତ ଅଛି। ଦେଶରେ ସ୍ବାଧୀନତା ଆନ୍ଦୋଳନ ପୂର୍ବରୁ ସାମ୍ବାଦିକତାର ପରମ୍ପରା ରହିଛି। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ଲୋକମାନ୍ୟ ବାଲ ଗଙ୍ଗାଧର ତିଳକ ପ୍ରମୁଖ ନେତାମାନେ ନିଜ ଲେଖନୀ ମାଧ୍ୟମରେ ସମଗ୍ର ଦେଶରେ ଜନ ଜାଗୃତି ସୃଷ୍ଟି କରିବାରେ ସଫଳ ହୋଇଥିଲେ। ସେହି ସମୟରେ ଉତ୍କଳମଣି ନିଜର କଷ୍ଟକୁ ଭୁଲି ବହୁ ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ନିଜ କାମ ମାଧ୍ୟମରେ ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି। ଓଡ଼ିଶାର ଅସ୍ମିତା ସହ ଭାରତର ରାଷ୍ଟ୍ରବାଦ ପ୍ରତି ସେ ସମର୍ପିତ ଥିଲେ। ସେଥିପାଇଁ ମହାତ୍ମା ଗାନ୍ଧୀ କହିଥିଲେ ‘ଗୋପବନ୍ଧୁ କେବଳ ଉତ୍କଳର ରତ୍ନ ନୁହେଁ, ସମଗ୍ର ଦେଶର ରତ୍ନ ବୋଲି ରାଜ୍ୟପାଳ ଶ୍ରୀ ଦାସ କହିଥିଲେ। ସେ ପୁଣି କହିଲେ, ସମ୍ବାଦପତ୍ରଗୁଡ଼ିକ ବର୍ତ୍ତମାନ ସମୟରେ ଖବରକୁ ଉତ୍ତେଜିତ ଢଙ୍ଗରେ ପରିବେଷଣ କରୁଛନ୍ତି। ଏହାଦ୍ବାରା ଖବରକାଗଜ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସାମ୍ବାଦିକତାକୁ କ୍ଷତି ପହଞ୍ଚାଉଛି। ସ୍ବାଧୀନତା ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସମୟରେ ଖବରକାଗଜଗୁଡ଼ିକୁ ଲକ୍ଷ୍ୟ କଲେ ‘ସମାଜ’ ସାମାଜିକ ମୂଲ୍ୟବୋଧକୁ ଜାଗ୍ରତ କରିବା, ସ୍ବାସ୍ଥ୍ୟ, ସାକ୍ଷରତା, ଶିକ୍ଷାର ବିକାଶ ତଥା ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ରାଜ୍ୟପାଳ ଶ୍ରୀ ଦାସ ମତ ଦେଇଥିଲେ।
ମୁଖ୍ୟବକ୍ତା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଲେ, ‘ସମାଜ’ ହେଉଛି ଏକ କ୍ରାନ୍ତି ଓ ସାମାଜିକ ଚେତନା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନର ବହୁ ଆଶା, ଆକାଂକ୍ଷା ଓ ଅଭିଯୋଜନା ଏଥିରେ ରୂପାନ୍ବିତ ହୋଇଥିଲା। ବ୍ୟବସ୍ଥାପକ ଭାବରେ ନିଜର ଚିନ୍ତାଧାରା ଏବଂ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବା ପାଇଁ ଏହି ଖବରକାଗଜ ବଳିଷ୍ଠ ମାଧ୍ୟମ ରୂପେ ପ୍ରକାଶ ପାଇଥିଲା। ନିର୍ଭୀକ ଓ ସତ୍ୟ ଉପରେ ପରିବେଷିତ ହୋଇଥିବା ଖବର ହିଁ ‘ସମାଜ’ର ମୂଳ ମନ୍ତ୍ର। ‘ସମାଜ’ ଓଡ଼ିଆ ସ୍ବାଭିମାନର ଏକ ଅଂଶ, ‘ଓଡ଼ିଆ ଅସ୍ମିତାର ପ୍ରତୀକ’ ବୋଲି ସେ କହିଥିଲେ। ଓଡ଼ିଶାର କୋଣ ଅନୁକୋଣରେ ସଂସ୍କାର ଆଣିବା କ୍ଷେତ୍ରରେ ‘ସମାଜ’ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯେଉଁଥି ପାଇଁ ଏହା ପାଠକଙ୍କ ନିକଟରେ ଆଦୃତ ହୋଇଛି। ଜାତୀୟତାବାଦୀ ଭାବଧାରାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସହ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଏହି ଖବରକାଗଜ ଏକ କବଚ ରୂପେ କାର୍ଯ୍ୟ କରୁଥିବା ପ୍ରଫେସର ଦାଶ କହିଥିଲେ। ସମ୍ମାନିତ ଅତିଥି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଲୋକଙ୍କ ନିକଟରେ ମୌଳିକ ସୁବିଧା ସୁଯୋଗ ପହଞ୍ଚିପାରୁନାହିଁ ବୋଲି କହିଥିଲେ। ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଥିବା ଆବଶ୍ୟକତା ପୂରଣ ହୋଇପାରୁନାହିଁ। ପ୍ରତ୍ୟେକ ନାଗରିକଙ୍କର ସାମାଜ ପ୍ରତି ଦାୟିତ୍ବ ଏବଂ କର୍ତ୍ତବ୍ୟ ରହିଛି; ହେଲେ ନିଜ ବ୍ୟସ୍ତ ଜୀବନ ମଧ୍ୟରେ ଅନ୍ୟକୁ ସାହାଯ୍ୟ ସହଯୋଗ କରିବାକୁ ଭୁଲି ଯାଉଛନ୍ତି। ତେଣୁ ଲୋକମାନଙ୍କ ମୌଳିକ ସମସ୍ୟା ଦୂର ପାଇଁ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ, ‘ସମାଜ’ ଏବେ ରାଜ୍ୟର ଲକ୍ଷାଧିକ ପାଠକଙ୍କ ବିଶ୍ବସ୍ତ ହେବା ସହ ରାଜ୍ୟର ବିକାଶ କ୍ଷେତ୍ରରେ ସାମୂହିକ ଯୋଗଦାନ କରିଆସିଛି। ଏହି ଖବରକାଗଜ ଏକ ବିଚାର, ଯାହା ଦେଶର ସ୍ବତନ୍ତ୍ରତା ଓ ଓଡ଼଼ିଆ ଅସ୍ମିତାକୁ ବଜାୟ ରଖିପାରିଛି। ଶିକ୍ଷା, ସ୍ବାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ସାଂସ୍କୃତିକ ଐକ୍ୟତା, ଆର୍ଥିକ,ସାମାଜିକ ବ୍ୟବସ୍ଥାର ସୁଧାର କ୍ଷେତ୍ରରେ ଏହା କାର୍ଯ୍ୟ କରୁଛି। ସମସ୍ତଙ୍କ ସହଯୋଗରେ ‘ସମାଜ’ ତାର ପ୍ରକୃତ ଲକ୍ଷ୍ୟକୁ ହାସଲ କରିପାରିବ ବୋଲି ସେ କହିଥିଲେ।
ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ଉପ ସଭାପତି ଦୀପକ ମାଲବ୍ୟ କହିଥିଲେ, ଜଣେ ବ୍ୟକ୍ତି ଆଶୀର୍ବାଦ ସହିତ ବଞ୍ଚିଥାଏ; କିନ୍ତୁ ଏକ ସଂସ୍ଥା ନିଜର ମାର୍ଗଦର୍ଶକଙ୍କୁ ଅନୁକରଣ କରି ଦୀର୍ଘାୟୁ ହୋଇଥାଏ। ‘ସମାଜ’ର ୧୦୫ ବର୍ଷ ପୂର୍ତ୍ତି ତାହାର ଏକ ସଂକେତ। ଗୋଟିଏ ଦିନରେ କେହି ଉତ୍କଳମଣି ପାଲଟି ନାହାନ୍ତି। ଏଥିଲାଗି ନୀଳକଣ୍ଠ ହେବାକୁ ପଡ଼ିବ ଏବଂ ବିଷ ପିଇବାକୁ ହେବ। କଠିନ ସମୟକୁ ସହ୍ୟ କରି ଆଗକୁ ଯାଇପାରିଲେ ସଫଳତା ମିଳିଥାଏ। ଯାହାର ଏକ ବଳିଷ୍ଠ ଉଦାହରଣ ହେଉଛନ୍ତି ଗୋପବନ୍ଧୁ ଦାସ।
ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରି ଉତ୍କଳମଣିଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମୟ ସହ ତାଳଦେଇ ‘ସମାଜ’ ତାର ଯାତ୍ରା ଜାରି ରଖିଛି। ସଂଘର୍ଷ, ସଂଗ୍ରାମ, ଝଡଝଞ୍ଜା ଭିତରେ ତାର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇନାହିଁ। ସମୟର କଷଟି ପଥରରେ କଷି ହୋଇ ଜାଜ୍ବଲ୍ୟମାନ ହୋଇଛି। ଖବର ପରିବେଷଣରେ ‘ସମାଜ’ ତାର ମୌଳିକତା ଓ ନିରପେକ୍ଷତାକୁ ବଜାୟ ରଖିପାରିଥିବା ସେ କହିଥିଲେ।
‘ସମାଜ’ ର ସମ୍ପାଦକ ତଥା କାର୍ଯ୍ୟବାହୀ ପରିଚାଳକ ତପନ କୁମାର ମିଶ୍ର ବିବରଣୀ ପାଠ କରିବା ସହ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ସମେତ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅତିଥିମାନେ ‘ସମାଜ’ ୧୦୫ବର୍ଷ ପୂର୍ତ୍ତିର ଲୋଗୋ, ସ୍ବତନ୍ତ୍ର ବିଶେଷାଙ୍କ ଏବଂ ଗୋପବନ୍ଧୁଙ୍କ ସତ୍ୟବାଦୀର ପୂଜା ସଂଖ୍ୟା ଉନ୍ମୋଚନ କରିଥିଲେ। ଏହି ଅବସରରେ ସମାଜ ଗଣମାଧ୍ୟମ ପୁରସ୍କାର-୨୦୨୪ ପ୍ରଦାନ କରାଯାଇଥିଲା। ଏଥିସହ ଶ୍ରେଷ୍ଠ ବିଜ୍ଞାପନଦାତା, ଶ୍ରେଷ୍ଠ ଖବରଦାତା, ଶ୍ରେଷ୍ଠ ବିତରକ,ସତ୍ୟବାଦୀର ​‌​ଶ୍ରେଷ୍ଠ ବିଜ୍ଞାପନଦାତା ଓ ବିତରକ ସମ୍ମାନିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ‘ସମାଜ’ ଡିଜିଟାଲ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, କେନ୍ଦ୍ରାପଡା ବିଧାୟକ ଗଶେଶ୍ବର ବେହେରା, ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ, ସାରଳା ସାହିତ୍ୟ ସଂସଦର ସଭାପତି ଇଂ ପ୍ରଭାକର ସ୍ବାଇଁଙ୍କ ସମେତ ସହରର ମୁରବି, ବୁଦ୍ଧିଜୀବୀ ଓ ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ।

Comments are closed.