ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି : ୮ ଇସ୍ରାଏଲୀ ସେନା ନିହତ

ତେଲ୍‌ଆଭିଭ୍‌ : ମଧ୍ୟପ୍ରାଚ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି। ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି ରହିଛି। ରାଜଧାନୀ ବେରୁତର ୭ଟି ସ୍ଥାନରେ ଜୋରଦାର ହମଲା ହୋଇଛି। ଇସ୍ରାଏଲ ବାୟୁସେନା ଦ୍ଵାରା ଏୟାର ଷ୍ଟ୍ରାଇକ୍ ସହ ବୋମାମାଡ ହୋଇଛି। ଆକ୍ରମଣରେ ୮ ଲେବାନନ ସେନା ନିହତ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ଲେବାନନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ସେପଟେ ଏହି ଆକ୍ରମଣର ଜବାବରେ ଇରାନ ଉପରେ ଯେକୌଣସି ସମୟରେ ପ୍ରତିଆକ୍ରମଣ କରିବା ଲାଗି ଇସ୍ରାଏଲ ଚେତାବନୀ ଦେଇଛି। ଏଥିଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୁରକ୍ଷାମୁଖ୍ୟଙ୍କ ସହିତ ବୁଧବାର ଜରୁରୀ ବୈଠକ କରିଛନ୍ତି। ବୈଠକରେ ​‌ଦେଶର ଆଭ୍ୟନ୍ତରୀଣ ସୁରକ୍ଷା (ସିନ୍‌ ବେଟ୍‌) ମୁଖ୍ୟ ରୋନେନ୍‌ ବାର୍‌, ଗୁଇନ୍ଦା ବିଭାଗ ଓ ସ୍ବତନ୍ତ୍ର ସାମରିକ ଅଭିଯାନ (ମୋସାଦ) ମୁଖ୍ୟ ଡାଭିଡ୍‌ ବାର୍ନେଆ, ଆଇଡିଏଫ୍‌ ମୁଖ୍ୟ ହେର୍ଜି ହାଲେଭି ଓ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ ଉପସ୍ଥିତ ଥିଲେ। ବୈଠକ ପରେ ଇସ୍ରାଏଲ ସେନା ମୁଖପାତ୍ର ଡାନିଏଲ ହାଗାରି କହିଛନ୍ତି ଯେ ଆମେ ଆମ ପସନ୍ଦର ସମୟ ନିର୍ଦ୍ଧାରଣ କରିବା ପରେ ପ୍ରତିଆକ୍ରମଣ କରିବୁ। ସେହିପରି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଗାଲାଣ୍ଟ କହିଛନ୍ତି ଯେ ଆମେ ଇରାନକୁ ଧୂଳିସାତ କରିଦେବୁ। ଆଗକୁ ଯେଉଁ ଯୁଦ୍ଧ ହେବ ସେଥିରେ ଇରାନ କିମ୍ବା ଇସ୍ରାଏଲ ମଧ୍ୟରୁ ଯିଏ ଜଣେ ହେଲେ ତିଷ୍ଠି ରହିବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ଇରାନର କୌଣସି ସ୍ଥାନ ଆମ ପାଇଁ ଅପହଞ୍ଚ ନୁହେଁ। ହେଜବୋଲ୍ଲା ଆତଙ୍କବାଦୀଙ୍କୁ ଦମନ କରିବା ଲାଗି ଲେବାନନ୍‌ ଉପରେ ସ୍ଥଳପଥରେ ସୀମିତ ଅଭିଯାନ କରାଯାଇଛି। ମାତ୍ର ଇରାନ ଆମ ଦେଶର ସମସ୍ତ ଅଞ୍ଚଳକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ କରିଛି। ଇରାନ ଉପରେ ପ୍ରତିଶୋଧ ନେବାକୁ କେବଳ ଇସ୍ରାଏଲ ନୁହେଁ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ ମଧ୍ୟ ଏକଜୁଟ୍ ହୋଇଛନ୍ତି। ଆମେରିକା ମଧ୍ୟ କହିଛି ଯେ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆମେ ଏବେ ଯୋଜନା କରୁଛୁ। ଇରାନ ଉପରେ କିପରି ଓ କେବେ ଆକ୍ରମଣ କରାଯିବ ସେ ବାବଦରେ ଆମେ ଚିନ୍ତା କରୁଛୁ ବୋଲି ଆମେରିକା ଉପ ବୈଦେଶିକ ମନ୍ତ୍ରୀ କୁର୍ଟ କାମ୍ପବେଲ କହିଛନ୍ତି। ଇରାନ ବିରୋଧୀ ଯୁଦ୍ଧରେ ଇସ୍ରାଏଲ ପଛରେ ଆମେରିକା ସହିତ ବ୍ରିଟେନ, ଫ୍ରାନ୍ସ, ଜୋର୍ଡାନ, ସାଉଦି ଆରବ ଓ ୟୁଏଇ ରହିଛନ୍ତି। ଭାରତ ମଧ୍ୟ ଇସ୍ରାଏଲକୁ ପରୋକ୍ଷ ସହଯୋଗ କରୁଛି। ମଙ୍ଗଳବାର ରାତିରେ ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲ କେହି ବି ଜଣେ ପ୍ରାଣ ହରାଇନାହାନ୍ତି। ଇସ୍ରାଏଲ ସେନାର କହିବା ଅନୁଯାୟୀ ଇରାନର ୧୮୦ରୁ ଅଧିକ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କରିଥିଲା। ଏଥିରୁ ଅଧିକାଂଶ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ନଷ୍ଟ କରିବାରେ ଆଇରନ ଡୋମ୍ ସଫଳ ହୋଇଥିଲା। ଅଳ୍ପ କିଛି କ୍ଷେପଣାସ୍ତ୍ର କେନ୍ଦ୍ର ଓ ଦକ୍ଷିଣ ଇସ୍ରାଏଲ ଉପରେ ପଡିଥିଲା। ମାତ୍ର ଏଥିରେ କୌଣସି ଜୀବନହାନି ହୋଇନାହିଁ। ଅନ୍ୟପଟେ ଇରାନ କହିଛି ଯେ ଆଗକୁ ଇସ୍ରାଏଲ ଉପରେ ଅଧିକ ଆକ୍ରମଣ କରାଯିବ। ଇରାନର ସର୍ବୋଚ୍ଚ ନେତା ଅଲି ଖାମନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଅଣ୍ଡରଗ୍ରାଉଣ୍ଡ ଅସ୍ତ୍ରାଗାରକୁ ଦେଖାଇଛନ୍ତି। ଇରାନର ଆକ୍ରମଣ ମଧ୍ୟରେ ଲେବାନନ୍‌ର ହେଜବୋଲ୍ଲା ଓ ୟେମେନ୍‌ର ହୁତି ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ସେମାନଙ୍କର ଅଭିଯାନ ଜାରି ରଖିଛନ୍ତି। ଇରାନ ସମର୍ଥିତ ହୁତି କହିଛି ଯେ ଏହା ବୁଧବାର ଇସ୍ରାଏଲ ଉପରେ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ କରିଛି। ମାତ୍ର ହୁତିର ଏପରି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ସେହିପରି ହେଜବୋଲ୍ଲା କହିଛି ଯେ ଏହା ଇସ୍ରାଏଲ ସେନା ଉପରେ ଆକ୍ରମଣ କରିଛି। ଦକ୍ଷିଣ ଲେବାନନ୍‌ର ୟରୌନ ଗ୍ରାମରେ ଇସ୍ରାଏଲର ସୈନିକଙ୍କ ସହିତ ହେଜବୋଲ୍ଲା ଯୋଦ୍ଧାଙ୍କ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ଇସ୍ରାଏଲର ୮ଜଣ ସୈନିକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଉପରେ ଇରାନ କରିଥିବା ଆକ୍ରମଣକୁ ଜର୍ମାନୀ ନିନ୍ଦା କରିଛି। ଏପରିକି ଏହି ଆକ୍ରମଣ ପାଇଁ ଇରାନର ରାଷ୍ଟ୍ରଦୂତଙ୍କୁ ଜର୍ମାନ ସମନ ଜାରି କରିଛି। ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ସେବାସ୍ଥାନିଆ ଫିସଚର କହିଛନ୍ତି ଯେ ଇରାନର ଆକ୍ରମଣକୁ ନେଇ ଆମେ ଏହାର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛୁ। ମାତ୍ର ଇରାନ ରାଷ୍ଟ୍ରଦୂତ ବର୍ଲିନରେ ଅନୁପସ୍ଥିତ ରହିଛନ୍ତି। ଭାରତ ସରକାର ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛନ୍ତି। ଅପରପକ୍ଷରେ ଜାତିସଂଘରେ ଆମେରିକା ଇରାନକୁ ଚେତାବନୀ ଦେଇଛି। ଇରାନ ସମୟ ଶେଷ ହୋଇ ଆସୁଛି ବୋଲି ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି। ଅନ୍ୟ ଏକ ଘଟଣାରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କୁ ଇସ୍ରାଏଲ ବାସନ୍ଦ କରିଛି। ତାଙ୍କୁ ଇସ୍ରାଏଲରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ଇରାନର ଆକ୍ରମଣକୁ ନିନ୍ଦା କରିନଥିବାରୁ ଇସ୍ରାଏଲ ଜାତିସଂଘ ମୁଖ୍ୟଙ୍କ ବିରୋଧରେ ଏଭଳି ଆଭିମୁଖ୍ୟ ପୋଷଣ କରିଛି। ଆତଙ୍କବାଦୀ ସଂଗଠନଗୁଡ଼ିକୁ ସବୁଦିନ ପାଇଁ ଶେଷ କରିଦେବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ପ୍ରତିଜ୍ଞା ସମଗ୍ର ଅଞ୍ଚଳରେ ଯୁଦ୍ଧ ଘନଘଟାକୁ ବଢ଼ାଇଦେଇଛି। ହମାସ୍‌, ହେଜ୍‌ବୋଲ୍ଲା ଓ ହୁତି ଆତଙ୍କବାଦୀ ସଂଗ୍ରଠନକୁ ଜବତ କରିବା ପାଇଁ ଇସ୍ରାଏଲ ଉଦ୍ୟମ ଚଳାଇଥିବାବେଳେ ପ୍ରଚ୍ଛଦ ପଟରେ ରହି ଇରାନ ଏମାନଙ୍କୁ ସହାୟତା କରୁଥିଲା; କିନ୍ତୁ ମଙ୍ଗଳବାର ରାତିରେ ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ହୋଇଗଲା।

Comments are closed.