ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଲୋମ ହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ନୌର ଚିନହଟରେ ମୋବାଇଲ୍ ଫୋନ୍ ଦେବାକୁ ଯାଇଥିବା ଜଣେ ଡେଲିଭରୀ ବୟଙ୍କୁ ତିନି ଜଣ ଯୁବକ ଷଡ଼ଯନ୍ତ୍ର ରଚି ହତ୍ୟା କରିଛନ୍ତି। ତାଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ ଓ ପ୍ରାୟ ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି। ପୁଲିସ ସୂଚନା ମୁତାବକ, ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ନିଖୋଜ ୩୦ ବର୍ଷୀୟ ଡେଲିଭରୀ ବୟ ମାମଲାର ତଦନ୍ତ କରୁଥିବା ପୁଲିସ ଜଣେ ସନ୍ଦିଗ୍ଧକୁ ଗିରଫ କରିଥିଲା।
ଡିସିପି ଶଶାଙ୍କ ସିଂହଙ୍କ କହିବା ଅନୁଯାୟୀ, ଚିନହଟ ନିବାସୀ ଗଜାନନ ଫ୍ଲିପକାର୍ଟରୁ କ୍ୟାସ୍ ଅନ୍ ଡେଲିଭରୀରେ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ୍ ମଗାଇଥିଲେ। ସେପ୍ଟେମ୍ବର ୨୩ରେ ନିଶାତଗଞ୍ଜ ନିବାସୀ ଭରତ କୁମାର ଫୋନ୍ ଦେବା ପାଇଁ ତାଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ଗଜାନନ ନିଜ ସାଥୀମାନଙ୍କ ସହ ମିଶି ତଣ୍ଟି ଚିପି ଭରତଙ୍କୁ ହତ୍ୟା କରିଥିଲେ। ଏହାପରେ ଡେଲିଭରୀ ବୟଙ୍କ ବ୍ୟାଗ୍ରେ ହିଁ ତାଙ୍କ ମୃତଦେହକୁ ଭର୍ତ୍ତି କରି ବାରାବଙ୍କୀର ମାତି ଅଞ୍ଚଳକୁ ଯାଇ ଇନ୍ଦିରା କେନାଲରେ ଫିଙ୍ଗି ଦେଇଥିଲେ। କ୍ୟାସ୍ ଅନ୍ ଡେଲିଭରୀରେ ଫୋନ୍ର ଟଙ୍କା ଯେପରି ଦେବାକୁ ନ ପଡ଼ିବ, ସେଥିପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି। ପୁଲିସ ଦୁଇ ଅଭିଯୁକ୍ତ ହିମାଂଶୁ କନୌଜିଆ ଓ ଆକାଶକୁ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ଗଜାନନକୁ ଖୋଜିବା ପାଇଁ ତିନୋଟି ଟିମ୍ ମୁତୟନ କରାଯାଇଛି। ଏସଡିଆରଏଫ ଟିମ୍ ମୃତଦେହ ଖୋଜିବାରେ ନିୟୋଜିତ ଅଛନ୍ତି। ମଙ୍ଗଳବାର ମଧ୍ୟ ମୃତଦେହ ଖୋଜିବା ପ୍ରୟାସ ଜାରି ରହିଛି।
ପୁଲିସ ସୂଚନା ଅନୁସାରେ, ଡେଲିଭରୀ ବୟ ଭରତ କୁମାର ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ସେପ୍ଟେମ୍ବର ୨୫ରେ ଚିନହଟ ଥାନାରେ ନିଖୋଜ ଏତଲା ଦେଇଥିଲେ। ପୁଲିସ ମୃତକଙ୍କ ଲୋକେସନ ଓ କଲ୍ ଡିଟେଲ୍ସ ଯାଞ୍ଚ କରି ଗଜାନନର ନମ୍ବର ପାଇଥିଲା ଏବଂ ତା’ର ସାଙ୍ଗ ଆକାଶକୁ ଗିରଫ କରିଥିଲା। ପଚରାଉଚରା ସମୟରେ ଆକାଶ ନିଜ ଅପରାଧ ସ୍ଵୀକାର କରିଛି।



