ରାଜ୍ୟସ୍ତରୀୟ ପୋଷଣ ମାସ – ୨୦୨୪ ଉତ୍ସବ ପାଳିତ

ଭୁବନେଶ୍ୱର : ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପୋଷଣ ମାସ- ୨୦୨୪ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୂଳସ୍ତରର କର୍ମକର୍ତ୍ତାମାନଙ୍କୁ ପୋଷଣ ଅଭିଯାନର ଯୋଦ୍ଧା ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ଗାଁ ଗାଁରେ ଜନସଚେତନତା ସୃଷ୍ଟି କରିବା ସହ ପୋଷଣ ଅଭିଯାନରେ ସେମାନଙ୍କୁ ଆତ୍ମୀୟତା ସହିତ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ । ଜିଲ୍ଲାସ୍ତରୀୟ ଅପପୁଷ୍ଟି ସମସ୍ୟାର କାରଣ ଓ ନିରାକରଣ ବିଷୟ ଉପରେ ବିଶେଷ ଦୃଷ୍ଟି ଦେବାକୁ ସେ ପରାମର୍ଶ  ଦେଇଥିଲେ । ମଧ୍ୟମ ପୁଷ୍ଟିହୀନତାକୁ ଓଡିଶାରୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ଢାଞ୍ଚା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ପୋଷଣ ପାଇଁ ଆଞ୍ଚଳିକ ଖାଦ୍ୟ ସହ ଖାଦ୍ୟ ବିବିଧତାକୁ ପ୍ରାଧାନ୍ୟ ଦେବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ତୃଣମୂଳସ୍ତରରେ ‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସେ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣେଇବା ସହ କର୍ମକର୍ତ୍ତାମାନଙ୍କ ପ୍ରତି କୌଣସି ଆକ୍ରୋଶକୁ ବରଦାସ୍ତ କରାଯିବ ନାହିଁ ବୋଲି ଦୃଢ ମତ ରଖିଥିଲେ ।       ଉପ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପରିସରରେ ଏକ ପିଜୁଳି ଗଛ ଲଗେଇ ‘ଏକ ପେଡ ମା କେ ନାମ’ ଅଭିଯାନକୁ ସ୍ୱାଗତ ଜଣାଇ ରାଜ୍ୟସ୍ତରୀୟ ପୋଷଣ ମାସ – ୨୦୨୪ ଉତ୍ସବର ଶୁଭାରମ୍ଭ କରିଥିଲେ । ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଶିକ୍ଷା ଓ ମନୋରଞ୍ଜନଧର୍ମୀ ସାମଗ୍ରୀ ଓ ଖେଳଣା ଏବଂ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିର ପ୍ରଦର୍ଶନକୁ ପରିଦର୍ଶନ କରିଥିଲେ ।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ସମାଜ କଲ୍ୟାଣ ବୋର୍ଡ ନିର୍ଦ୍ଦେଶିକା ମୋନିଶା ବାନର୍ଜୀ ତାଙ୍କ ଅଭିଭାଷଣରେ ଶିଶୁ ପୋଷଣରେ ମା’ ସହ ପରିବାରର ଅନ୍ୟ ସଦସ୍ୟମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଆମେ ଓଡ଼ିଶାକୁ ଏକ କୁପୋଷଣ ମୁକ୍ତ ରାଜ୍ୟ ଭାବେ ପ୍ରତିଷ୍ଠିତ କରିପାରିବା ବୋଲି ସେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲା, ବାଲିପାଟଣା ପ୍ରକଳ୍ପର ତୁରିନତିରା ଅଙ୍ଗନବାଡି କର୍ମୀ ହରପ୍ରିୟା ହୋତା, ନିମାପଡା ସେକଫରର ମହିଳା ସୁପରଭାଇଜର ସୁଶ୍ରୀ ସଂଗୀତା ଗୌତମୀ ଜେନା, ମାଲକାନଗିରି ଜିଲାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିହାରବାଳା ସାହୁ ଓ ନୂଆପଡ଼ା ଜିଲ୍ଲାର ଜିଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର ନିଜ ନିଜର କ୍ଷେତ୍ର ଅନୁଭୂତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥ ଉପଦେଷ୍ଟା ଓ ସ୍ୱତନ୍ତ୍ର ସଚିବ ଶୁଭଶ୍ରୀ ନାୟକ ଓ ବିଭାଗର ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ଜିଲାରୁ ଆସିଥିବା ଅଙ୍ଗନବାଡି କର୍ମୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ଜିଲା ଶିଶୁ ମଙ୍ଗଳ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭାଗୀୟ ଅତିରିକ୍ତ ସଚିବ ଏନ.ସି. ଜ୍ୟୋତିରଞ୍ଜନ ନାୟକ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.