ରାସ୍ତାରୁ ଜବରଦଖଲ ଉଚ୍ଛେଦ ପାଇଁ ଦାବି

ଆଠଗଡ/ତିଗିରିଆ : ତିଗିରିଆ ବ୍ଲକ ଓ ପାଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମରେ ରାସ୍ତାରୁ ଜବରଦଖଲ ଉଚ୍ଛେଦ ପାଇଁ କେତେକ ଗ୍ରାମବାସୀ ସୋମବାର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ସୁଦର୍ଶନପୁର ଗ୍ରାମର କିଛି ମୁଷ୍ଟିମେୟ ଲୋକ ରାସ୍ତା ଜବରଦଖଲ କରି ଗୃହ ଆଦି ନିର୍ମାଣ କରିଥିବାରୁ ଏବେ ନୂତନ ଭାବେ ନିର୍ମାଣାଧୀନ ରାସ୍ତା ସଙ୍କୁଚିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ପାଞ୍ଚଗାଁ ପୋଖରୀ ନିକଟରୁ ସୁଦର୍ଶନପୁର ଗ୍ରାମକୁ ଏକ ନୂତନ ରାସ୍ତା ନିର୍ମାଣ ହେଉଛି । ଯାହା ଦ୍ବାରା ସୁଦର୍ଶନପୁର ଗ୍ରାମବାସୀ ବହୁତ ଉପକୃତ ହେବେ । ହେଲେ ଗ୍ରାମର ୪-୫ ଜଣ ଲୋକ ସର୍ବସାଧାରଣ ରାସ୍ତା ଉପରକୁ ମଡାଇ ବିଭିନ୍ନ ନିର୍ମାଣ କରିଥିବାରୁ ରାସ୍ତାଟି ପୁରା ସଙ୍କୁଚିତ ହେବ ଏବଂ ଗାଡିମଟର ଯିବାଆସିବାରେ ବହୁତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି ।

ନକ୍ସାରେ ଥିବା ରାସ୍ତା ଓ ଦଣ୍ଡା ରାସ୍ତା ଚିହ୍ନଟ କରି ସେଥିରେ ହୋଇଥିବା ଜବରଦଖଲ ଉଚ୍ଛେଦ ନିମନ୍ତେ ୱାର୍ଡ ସଭ୍ଯଙ୍କ ନେତୃତ୍ବରେ ବହୁ ଗ୍ରାମବାସୀ ଗତ ସେପ୍ଟେମ୍ବର ୨୧ ତାରିଖରେ ତିଗିରିଆ ତହସିଲଦାରଙ୍କୁ ଲିଖିତ ଆକାରରେ ଜଣାଇଥିଲେ । ହେଲେ ଇତିମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ତହସିଲଦାର କୌଣସି ପଦକ୍ଷେପ ନନେବାରୁ ଗ୍ରାମବାସୀ ସୋମବାର ଉପଜିଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଭେଟି ଗ୍ରାମ ରାସ୍ତାରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ନଚେତ ସେମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।

Comments are closed.