ନଳକୂପ ମରାମତି ମିସ୍ତ୍ରୀ ଓ ପମ୍ପଚାଳକଙ୍କ ଧାରଣା

ବାସୁଦେବପୁର: ସ୍ୱାବଲମ୍ବୀ କାରିଗର ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ମହାସଂଘ ଆହ୍ୱାନରେ ନଳକୂପ ମରାମତି ମିସ୍ତ୍ରୀ ଓ ପମ୍ପ ଚାଳକମାନେ ଶୁକ୍ରବାର ଧାରଣା ଦେଇଛନ୍ତି। ପାରିଶ୍ରମିକ ପ୍ରଦାନରେ ଅବ୍ୟବସ୍ଥା ସହ ଉପଯୁକ୍ତ ଦରମା ପ୍ରଦାନ ଦାବିକୁ ନେଇ ନଳକୂପ ମରାମତି ମିସ୍ତ୍ରୀ ଓ ପମ୍ପ ଚାଳକମାନେ ବ୍ଲକ ପରିସରରେ ଧାରଣାରେ ବସିଛନ୍ତି। ପାନୀୟଜଳ ଯୋଗାଣକୁ ନେଇ ବ୍ଲକ ସ୍ତରରେ ବହୁ ପଦବୀ ଖାଲି ପଡ଼ିଥିବାବେଳେ ପଞ୍ଚାୟତମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅଣଦେଖା କରାଯାଉଥିବାକୁ ନେଇ ସଂଘ ପକ୍ଷରୁ ଅସନ୍ତୋଷ ବଢିବାରେ ଲାଗିଛି। କର୍ମଚାରୀମାନଙ୍କୁ ନିୟମିତ ଦରମା ପ୍ରଦାନକୁ ନେଇ ବିଡିଓମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କେତେକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କେତେକ ପଞ୍ଚାୟତର ସରପଞ୍ଚମାନଙ୍କ ବୈମାତୃକ ମନୋଭାବ କାରଣରୁ ବର୍ଷବର୍ଷ ଧରି ପାରିଶ୍ରମିକ ଭତ୍ତା ପାଇପାରୁ ନାହାନ୍ତିଁ ବୋଲି ବାସୁଦେବପୁର ସଂଘର ସଭାପତି ଭାସ୍କର ଚନ୍ଦ୍ର ଘଡ଼େଇ କହିଛନ୍ତି। ଏହି ଅବସରରେ ସଂପାଦକ ମୁକ୍ତିକାନ୍ତ ଅଧିକାରୀ, ସହସଂପାଦକ ସୁଶାନ୍ତ କୁମାର ନାଥଙ୍କ ସମେତ ସମସ୍ତ ମିସ୍ତ୍ରୀ ଓ ପମ୍ପ ଚାଳକମାନେ ଉପସ୍ଥିତ ଥିଲେ। ଧାରଣାସ୍ଥଳରେ ବିଡିଓ ସଞ୍ଜୀବ କୁମାର ସାହୁ ପହଞ୍ଚି ବୁଝାମଣା କରିବା ସହ ଆଶ୍ୱାସନା ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Comments are closed.